ଭୁବନେଶ୍ୱର: ବିଶୁଦ୍ଧ ପାନୀୟ ଜଳ ହେଉଛି ପ୍ରତିଟି ମଣିଷର ମୌଳିକ ଆବଶ୍ୟକତା । ତେଣୁ ରାଜ୍ୟର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ହେଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ । ବିକଶିତ ଓଡ଼ିଶା ଗଠନ ଦିଗରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକ୍ରିୟା ଏକ ପ୍ରାଥମିକ ପ୍ରୟାସ ବୋଲି ମେଗା ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ମତପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ଏସ୍ଆଇଆର୍ଡି କ୍ୟାମ୍ପସ୍ସ୍ଥିତ ଏମ୍୍ଜିଏନ୍ଆରଇଇଜିଏ ସମ୍ମିଳନୀ କକ୍ଷରେ ଆୟୋଜିତ ମେଗା ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ଶ୍ରୀ ରବିନାରାୟଣ ନାଏକ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେସବୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସମୀକ୍ଷା ବୈଠକରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସବିଶେଷ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ନିର୍ମାଣାଧିନ ସମସ୍ତ ପ୍ରକଳ୍ପଗୁଡ଼ିକର ନିର୍ମାଣ ପାଇଁ ଧାର୍ଯ୍ୟ ସମୟ, ନିର୍ମାଣ କାର୍ଯ୍ୟର ମାନ ଆଦି ବିଷୟରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ ୩୫, ୧୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୭ଟି ପ୍ରକଳ୍ପ ନିର୍ମାଣାଧିନ ଅଛି । ଏହା ମଧ୍ୟରୁ ନିର୍ମାଣ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ପହଞ୍ଚିଛିଥିବା ୭୧ଟି ନିର୍ମାଣାଧିନ ପ୍ରକଳ୍ପର ପ୍ରାଥମିକତା ଭିତ୍ତିରେ ସମୀକ୍ଷା ହୋଇଥିଲା । ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗର ସମସ୍ତ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟର ମାନକୁ ବିଶେଷ ଗୁରୁତ୍ୱ ଦେବା ସହ ରାଜ୍ୟର ଅନ୍ତିମ ପରିବାରକୁ ମଧ୍ୟ ଉତ୍ସର୍ଗୀକୃତ ଭାବରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସଂକଳ୍ପବଦ୍ଧ ହେବା ପାଇଁ ଶ୍ରୀ ନାଏକ କହିଥିଲେ ।
ଏହି ଅବସରରେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ସମ୍ବୋଧନ କରି ମାନ୍ୟବର ମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ବିକଶିତ ଓଡ଼ିଶାର ମୂଳଦୁଆ ବୋଲି ପ୍ରକାଶ କରିବା ସହ ବିଭାଗୀୟ ପ୍ରଦର୍ଶନ ଓଡ଼ିଆ ଅସ୍ମିତାର ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ହୋଇପାରିବ ବୋଲି ସୂଚିତ କରିଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ବିଭିନ୍ନ ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ଭିନୀତ ଭରଦ୍ୱାଜ ବିଭିନ୍ନ ପ୍ରକଳ୍ପର ନିର୍ମାଣ ସମୟସୀମା ବିଷୟରେ ଆଲୋକପାତ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ଯନ୍ତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।