ଦେବଗଡ଼ : କରୋନା ଦ୍ଵିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ଦୃତ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇ ଜନଗହଳିକୁ ରୋକ ଲଗାଯାଇ ସାମାଜିକ ଦୂରତ୍ୱ ବଜାୟ ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି l ଗୋଷ୍ଠୀ ସଂକ୍ରମଣକୁ ଆୟତ୍ତ ପାଇଁ ପ୍ରଶାସନ ଉଦ୍ୟମ କରୁଥିଲେ ମଧ୍ଯ ଅନେକ କ୍ଷେତ୍ରରେ ଏହାକୁ ଅଣଦେଖା କରି କେତେକ ଅମାନିଆ ସରକାରୀ ନିର୍ଦେଶାବଳିକୁ ଫୁ କରୁଥିବା ଦେଖିବାକୁ ମିଳିଛି l ଏହି କ୍ରମରେ ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମରେ ଅଲେଖ ଧର୍ମବଲମ୍ବୀଙ୍କ ପକ୍ଷରୁ ଏକ ଯଜ୍ଞ ତଥା ଧାର୍ମିକ ସଭା ସହ ଅଲେଖ ମହିମା ମେଳା ଆୟୋଜନ କରି ଆୟୋଜକ ପୁଲିସ ହାତରେ ବନ୍ଧା ହୋଇଥିବା ଜଣା ପଡିଛି l
ସୂଚନା ଅନୁଯାୟୀ, ଗତକାଲି ସରୁଆଳି ଗ୍ରାମ ମୁଣ୍ଡରେ ଅଲେଖ ଧର୍ମାବଲମ୍ବିଙ୍କ ପକ୍ଷରୁ ଏକ ବିଶାଳ ମେଳା ସହ ଯଜ୍ଞର ଆୟୋଜନ କରିଥିଲେ l ପୂର୍ଵ ସୂଚନା ପାଇ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜକଙ୍କୁ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଥିଲା l ମାତ୍ର ପ୍ରଶାସନିକ ନିର୍ଦ୍ଧେଶନାମାକୁ ବେଖାତିର କରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହା ଜଣାପଡିବା ପରେ ବାରକୋଟ ତହସିଲଦାର ବାର୍ଷିୟୁଷ ଡୁଙ୍ଗଡୁଙ୍ଗଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ମହାମାରୀ ସଂକ୍ରମଣ ଆଇନ ସମେତ ବିଭିନ୍ନ ଦଫାରେ ଆୟୋଜକଙ୍କ ସମେତ ଅଂଶ ଗ୍ରହଣ କରିଥିବା ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଆୟୋଜକ ଡମ୍ବରୁଧର ନାଏକ ଓ ଦୁର୍ଯ୍ୟୋଧନ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l