ଢାକା : ବାଂଲାଦେଶରେ ବର୍ତ୍ତମାନ ଡେଙ୍ଗୁ ଜ୍ୱର ଆତଙ୍କ ସୃଷ୍ଟି କରିଛି । ଇତିମଧ୍ୟରେ ୩୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଥିବାବେଳେ ୬୦ ହଜାରରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସରକାରୀଭାବେ ଏହି ପରିସଂଖ୍ୟାନ ପ୍ରଦାନ କରାଯାଇଥିବାବେଳେ ବାସ୍ତବ ଚିତ୍ର ଆହୁରି ଭୟଙ୍କର ବୋଲି କୁହାଯାଇଛି ।
ରାଜଧାନୀ ଢାକାରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି । ହସ୍ପିଟାଲ ତୁଳନାରେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ ସେମାନଙ୍କ ପାଇଁ ଶଯ୍ୟାର ଅଭାବ ପରିଲକ୍ଷିତ ହେଉଛି । ଅତ୍ୟଧିକ ଜ୍ୱର, ଦେହହାତ ବିନ୍ଧା ଏବଂ ବାନ୍ତି ହେଉଥିବା ଲୋକେ ଡେଙ୍ଗୁ ଭୟରେ ଡାକ୍ତରଖାନା ପଳାଇ ଆସୁଥିବାରୁ ଏଭଳି ଦୟନୀୟ ସ୍ଥିତି ଉପୁଜିଥିବା କୁହାଯାଇଛି । ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ବାଂଲାଦେଶ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଜାହିଦ ମାଲେକ୍ୟୁ କହିଛନ୍ତି । ମାଈ ଏଡିସ ମଶା କାମୁଡାରୁ ସୃଷ୍ଟି ହେଉଥିବା ଡେଙ୍ଗୁ ଜ୍ୱରର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ନଥିବାରୁ ଏଭଳି ରୋଗୀଙ୍କୁ ଚିକିତ୍ସା କରିବାରେ ଡାକ୍ତରଙ୍କୁ ବିଶେଷ ଅସୁବିଧା ହେଉଥିବା କୁହାଯାଇଛି ।