ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ୨୦୧୬ ନଭେମ୍ବର ୮ରେ ଦେଶରେ ନୋଟ୍ବନ୍ଦୀ ଲାଗୁ କରିଥିଲେ । ତଦନୁଯାୟୀ ସେତେବେଳେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ପ୍ରଚଳନକୁ ହଠାତ୍ ବନ୍ଦ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଇସ୍ୟୁ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏତାଦୃଶ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକାଧିକ (ପ୍ରାୟ ୫୮) ପିଟିସନ ଦାଏର କରାଯାଇଥିଲା । ଜଷ୍ଟିସ ଏସ.ଏ.ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ବୁଧବାର ଏହାର ଶୁଣାଣି କରିବା ସହ ନୋଟ୍ବନ୍ଦୀ ସଂକ୍ରାନ୍ତ ସମସ୍ତ ରେକର୍ଡପତ୍ର ଦାଖଲ କରିବାକୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୦ ସୁଦ୍ଧା ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ସାମ୍ବିଧାନିକ ପୀଠ ଶୁଣାଣି ଶେଷ କରି ରାୟକୁ ସ୍ଥଗିତ ରଖିଥିବାବେଳେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଆର୍ôଥକ ମାମଲା ସମ୍ପର୍କିତ ନିଷ୍ପତ୍ତିର ସମୀକ୍ଷା କରିବା ସୁପ୍ରିମକୋର୍ଟଙ୍କ କ୍ଷମତା ବାହାରେ ହୋଇଥିଲେ ସୁଦ୍ଧା ଏ ପ୍ରସଙ୍ଗରେ ଆଗତ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ ହାତଯୋଡି ବସିପାରିବେ ନାହିଁ ବୋଲି ପୀଠ ମତବ୍ୟକ୍ତ କରିଛନ୍ତି । ସରକାର କେଉଁ ନୀତିକୁ ଆଧାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହା ଯାଞ୍ଚ ସାପେକ୍ଷ ବୋଲି ପୀଠ କହିଛନ୍ତି । ଆଜିର ଶୁଣାଣିରେ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବାବେଳେ ପି.ଚିଦାମ୍ବରମ ଓ ଶ୍ୟାମ ଦିୱାନ ପିଟିସନଧାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ । ସାମ୍ବିଧାନିକ ପୀଠରେ ସାମିଲ ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ଏ.ଏସ.ବୋପନ୍ନା, ଜଷ୍ଟିସ ଭି.ରାମସୁବ୍ରମଣ୍ୟମ ଓ ଜଷ୍ଟିସ ବି.ଭି.ନାଗରତ୍ନା ସାମିଲ ଥିଲେ ।