ନୂଆଦିଲ୍ଲୀ : ଏକ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନିଜ ସ୍ୱାମୀଙ୍କର ଦ୍ୱିତୀୟ ବିବାହକୁ ନେଇ ଜଣେ ମହିଳା ଅଭିଯୋଗ ଦାୟର କରିଥିବାବେଳେ ଏନେଇ ଦିଲ୍ଲୀ ହାଇକୋର୍ଟ ଆଜି ନିଜ ରାୟ ପ୍ରଦାନ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି । ଆଉ ଏହାର ବିରୋଧ କରି ସେ କୋର୍ଟରେ ଏକ ଅଭିଯୋଗ ଦାୟର କରିଥିଲେ । ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳା ଜଣକର ଏକ ୧୧ ମାସର ସନ୍ତାନ ଥିବାବେଳେ ତାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଦେଇଛନ୍ତି । ଯାହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ କିଛି ଜରୁରୀ କାଗଜପତ୍ର ମଧ୍ୟ ଦାଖଲ କରିବାକୁ କହିଥିଲେ । ନିଜ ଅଭିଯୋଗ ଫର୍ଦ୍ଦରେ ମହିଳା ଜଣଙ୍କ କହିଛନ୍ତିକି କୌଣସି ମୁସଲମାନ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବା ପୂର୍ବରୁ ବର୍ତ୍ତମାନର ପତ୍ନୀଙ୍କ ଠାରୁ ଅନୁମତି ନେବା ନିହାତି ଜରୁରୀ ।
ଅନ୍ୟପକ୍ଷରେ ହାଇକୋର୍ଟର କାର୍ଯ୍ୟନିବାହୀ ଅଧ୍ୟକ୍ଷ ଜଷ୍ଟିସ ବିପିନ ସଂଘୀ ଓ ଜଜ ନବୀନ ଚାୱଲାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ସୂଚନା ଦେଇଛନ୍ତି କି, ମୁସଲମାନ ସରିୟାତ ଆଇନ ଅନୁଯାୟୀ ଜଣେ ମୁସଲମାନ ପତି ନିଜ ସମସ୍ତ ପତ୍ନୀଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳ ହୋଇଥାଏ । ସେପଟେ ମହିଳାଙ୍କ ଓକିଲ କହିଛନ୍ତି କି ପାକିସ୍ତାନ ଓ ବାଙ୍ଗଲାଦେଶ ପରି ଦେଶରେ ସ୍ୱାଧୀନତା ପାଇବା ପରେ ମୁସଲିମ ପର୍ସନାଲ ଲ’ ବା ସରିୟତ ଆପ୍ଲିକେସନ ଆକ୍ଟ ଲାଗୁ ହୋଇଛି । ଯେଉଁଥିରେ ମୁସଲମାନ ପତିଙ୍କ ଦ୍ୱିତୀୟ ବିବାହ ବା ବହୁ ବିବାହକୁ ବେଆଇନ ଭାବେ ଘୋଷଣା କରାଯାଇଛି । ଯାହାର ଜବାବରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ପଚାରିଛନ୍ତିକି ଏହା କୌଣସି ସରିୟତ ଆଇନ ନୁହେଁ ।
ଏହା କୌଣସି ପ୍ରଥାଗତ ଆଇନ ନୁହେଁ । ଏହା ପାକିସ୍ତାନ ଆଇନ ହୋଇଥିବାରୁ ଭାରତରେ କିପରି ଭାବରେ ଲାଗୁ ହୋଇପାରିବ । ଅଦାଲତ ଏହା ମଧ୍ୟ କହିଛନ୍ତିକି ଭାରତୀୟ ଆଇନରେ ସେପରି କୌଣସି ତଥ୍ୟ ନାହିଁ କି ଅନ୍ୟ ମହିଳାଙ୍କ ସହ ବିବାହ କରିବା ପୂର୍ବରୁ ବର୍ତ୍ତମାନର ପତ୍ନୀଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏହି ମାମଲାରେ ଅଦାଲତ ଓକିଲଙ୍କ ଠାରୁ ଜରୁରୀ କାଗଜ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆଗାମୀ ଶୁଣାଣି ପାଇଁ ମାର୍ଚ୍ଚ ୨୯ ତାରିଖ ଧାର୍ଯ୍ୟ କରାଯାଇଛି । ଅଦାଲତ ଶୁଣାଣି ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀ ତାଙ୍କ ଠାରୁ ଛାଡପତ୍ର ନେଇ କୌଣସି ଅନ୍ୟ ଜଣେ ମହିଳାଙ୍କ ସହିତ ବିବାହ କରିବା ନେଇ ଯୋଜନା କରୁଛନ୍ତି । ଯାହାକି ଅସାମ୍ବିଧାନିକ, ବର୍ବର, ଅମାନବୀୟ ତଥା ଭେଦଭାବ ଯୁକ୍ତ ହୋଇଥାଏ ।