ବ୍ରହ୍ମପୁର: ଫାଷ୍ଟ୍ ଟ୍ରାଇ ପୋସକୋ କୋର୍ଟ ଜଜ୍ ଗୁରୁପ୍ରସାଦ ସାହୁ ନାବାଳିକା ଅପକରଣ ସହ ଦୁଷ୍କର୍ମ ମାମଲାର ଆଜି ଶୁଣାଣି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ଭଞ୍ଜନଗର ଥାନା ଅଞ୍ଚଳର ବାଳକୃଷ୍ଣ ସେଠୀଙ୍କ ସହ ନାବାଳିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୁକ୍ତ ପାଣ୍ଡି ସେଠୀ ଓ ତାଙ୍କ ସ୍ୱାମୀ ବାବୁଲା ସେଠୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ମାମଲାର ବିଚାରଣା ବେଳେ ୧୧ ଜଣ ସାକ୍ଷୀଙ୍କ ବାୟାନ ରେକର୍ଡ଼ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଭଞ୍ଜନଗର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକାଙ୍କୁ ତାଙ୍କ ଘରେ ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ । ଘଟଣା କାହାକୁ କହିଲେ ଜୀବନରୁ ମାରି ଦେବା ନିମନ୍ତେ ଧମକ ଦେଇଥିଲେ । ଘଟଣା ଜାଣିବା ପରେ ପରିବାର ଲୋକେ ନାବାଳିକାଙ୍କୁ ଅପକରଣ କରି ନେଇ ଏକ ମନ୍ଦିରରେ ବିବାହ କରିଥିଲେ । ଏହା ପରେ ଅଭିଯୁକ୍ତ ବାଳକୃଷ୍ଣର ଭଉଣୀ ପାଣ୍ଡି ଓ ତାଙ୍କ ସ୍ୱାମୀ ବାବୁଲା ଉଭୟଙ୍କୁ ନେଇ ନିଜ ଘରେ ରଖିଥିଲେ । ଏଥି ମଧ୍ୟରେ ପୀଡ଼ିତା ନାବାଳିକାର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଅଭିଯୁକ୍ତ ବାବୁଲା ଓ ତାଙ୍କ ସ୍ତ୍ରୀ ତାଙ୍କୁ ନିର୍ଯାତନା ଦେଇ ନାବାଳିକା ଜଣଙ୍କୁ ଘରୁ ବାହାର କରିଦେଇଥିଲେ । ଘଟଣା ପରେ ପୀଡ଼ିତା ଜଣଙ୍କ ଗତ ୨୦୧୩ ମସିହା ମାର୍ଚ୍ଚ ୧୪ ତାରିଖରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କୋର୍ଟ ଆଜିମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।