31.1 C
Bhubaneswar
Monday, June 17, 2024
Homeଓଡିଶାଶାସନଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଅବସର ଗ୍ରହଣ କରନ୍ତୁ:...

ଶାସନଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଅବସର ଗ୍ରହଣ କରନ୍ତୁ: ଦେବାଶିଷ ନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ବିଜେଡିର ଦୁଇ ନମ୍ବର ନେତା (କା) ଶ୍ରୀ ଭି.କେ.ପାଣ୍ଡିଆନ ଭୋଟରଙ୍କୁ ଅପିଲ୍ କରି ନିଜର ଯେଉଁ ଅସହାୟତା ପ୍ରକାଶ କରିଛନ୍ତି ତାହା ସୂଚାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି । “ଆପଣମାନେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜମା ଦେଖନ୍ତୁ ନାହିଁ । ନବୀନ ବାବୁଙ୍କୁ ଦେଖନ୍ତୁ ଓ ବିଜେଡିକୁ ଭୋଟ ଓଜାଡି ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ିବେ” ବୋଲି ଶ୍ରୀ ପାଣ୍ଡିଆନ ଦୁଇ ଦିନ ତଳେ ଏକ ସଭାରେ କହିଛନ୍ତି । ରାଜ୍ୟରେ ଆଉ ବିଧାୟକ, ମନ୍ତ୍ରୀଙ୍କର ଆବଶ୍ୟକତା ନାହିଁ । ଯଦି ନବୀନ ବାବୁ ସବୁ ଜାଗାରେ ଲଢ଼ିବେ, ତାହାଲେ ସାଂସଦ ଓ ବିଧାୟକ କାହିଁକି ପ୍ରାର୍ଥୀପତ୍ର ଦାଖଲ କରିବେ? ନବୀନ ବାବୁ ଏକାକୀ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବାଶିଷ ନାୟକ ପରାମର୍ଶ ଦେଇଛନ୍ତି ।

ଦୀର୍ଘ ୨୪ ବର୍ଷ ହେଲା ଓଡିଶାବାସୀ ସ୍ନେହ, ଶ୍ରଦ୍ଧା ପୂର୍ବକ ବିଜେଡି ହାତରେ ଶାସନ କ୍ଷମତା ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ । ବାସ୍ତବରେ ବର୍ତମାନ ବିଜେଡି ନେତା, ମନ୍ତ୍ରୀ, ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧିମାନଙ୍କର କୌଣସି କତୃତ୍ୱ ନାହିଁ । ସମସ୍ତଙ୍କ ସମ୍ମାନ ଓ ସ୍ୱାଭୀମାନକୁ କାଢ଼ି ନେଇ ନାଳ ନର୍ଦ୍ଦମାରେ ପକାଇଦେଇଛି ବିଜେଡି । ବିଜେଡି ସାଂସଦମାନେ ଦିଲ୍ଲୀରେ କ’ଣ କରୁଥିଲେ ଓ କ’ଣ କରିବେ? ଶ୍ରୀ ଭର୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅଭିଜ୍ଞ ସାଂସଦଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ଓ ବାଚସ୍ପତି କରିବାକୁ ମୋଦିଜୀ ଚାହୁଁଥିଲେ । କିନ୍ତୁ ନବୀନ ବାବୁ ସହମତି ନଦେବା କାରଣରୁ ଓଡିଶା ସୁଯୋଗ ହରାଇଲା । ୨୪ବର୍ଷ ଧରି ନବୀନ ବାବୁ ଜଣେ ହେଲେ ଓଡ଼ିଆକୁ ଉଚ୍ଚସ୍ଥାନରେ ବସାଇ ପାରିଲେ ନାହିଁ । ଯେଉଁ ଓଡ଼ିଆ ଉଚ୍ଚପଦବୀରେ ଥିଲେ ତାଙ୍କୁ କାଢ଼ି ଦେଲେ ଓ ଫୋପାଡି ଦେଲେ । ଯଦି ଜ୍ଞାନୀ ଲୋକଙ୍କ ବିଜେଡିରେ ସମ୍ମାନ ଏମିତି ତାହାଲେ ସାଧାରଣ କାର୍ଯ୍ୟକର୍ତାଙ୍କ ଅବସ୍ଥା କ’ଣ ଏଥିରୁ ସ୍ପଷ୍ଟ ଜଣାପଡୁଛି ।

ନିର୍ବାଚନ ଆସିଲା ବୋଲି ନବୀନ ନିବାସର ଗେଟ୍ ଖୋଲା ହେଲା । ନୋମିନେସନ ପରେ ଗେଟ୍ ଚାବି ପଡିଯିବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦୂରର କଥା ଦୁଇ ନମ୍ବର ନେତାଙ୍କୁ (କା) ଙ୍କୁ ଭେଟିପାରିବେ ନାହିଁ ବିଜେଡି ନେତା ଏବଂ ଓଡିଶାବାସୀ । ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଭଣ୍ଡେଇବା, ବିଭ୍ରାନ୍ତ କରି ଓଡିଶାବାସୀଙ୍କ ସହିତ ଏଭଳି ଛଳନା ଆଉ କେତେଦିନ ବିଜେଡି କରିବ ? ଏ ଛଳନା ଓ ବିଭ୍ରାନ୍ତିକର କଥାକୁ ଓଡ଼ିଶାବାସୀ ଆଉ ଗ୍ରହଣ କରିବେ ନାହିଁ । ସ୍ୱାଭୀମାନୀ ଓଡ଼ିଆ ଜାତି କାହା ପଛରେ ନଗୋଡାଇ ଓଡ଼ିଆମାଟିର ଆତ୍ମଗୌରବ ରକ୍ଷା ପାଇଁ ନିଷ୍ପତି ନେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ଟାଣ କରାଯିବା ସହିତ ଓଡିଶାରେ ମଧ୍ୟ ବିଜେପିର ସରକାର ଗଠନ ହେବ । ଓଡିଆ ସ୍ୱାଭୀମାନ ଓ ସମ୍ମାନର ସୁରକ୍ଷା ପ୍ରାଥମିକ କର୍ତବ୍ୟ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

ମାଲକାନଗିରି, କୋରାପୁଟ, କାଶୀପୁର ଆଦି ଅଂଚଳରେ ଆଜି ବି ଗରିବ ଲୋକେ ବିନା ଲାଇଟ ଓ ଫ୍ୟାନରେ ମାଟି ତଳେ ଶୋଉଛନ୍ତି । ଓଡ଼ିଶାକୁ ବିଜେଡିର ଅଣଓଡ଼ିଆ ଦଲାଲମାନେ ଲୁଟି ନେଇଛନ୍ତି । ବିଜେଡି ଠିକାଦାରମାନଙ୍କ ପାର୍ଟି ସାଜିଛି । ଶାସନଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅବସର ନିଅନ୍ତୁ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking