ଯାଯପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ ଅଭିଯୁକ୍ତଙ୍କ ଚିହ୍ନଟ ନେଇ ଯାଯପୁର ଏସପି ସୂଚନା ଦେଇଛନ୍ତି । ତେବେ ୨ ଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲ। । ଦୁଇ ଯୁବକଙ୍କୁ ପୋଲିସ ଚିହ୍ନଟ କରିଛି । ମୃତ ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ବୁନ୍ଦେଇପଶି ଅଞ୍ଚଳର ଝରାଫୁଲ ନାୟକ ।
ଝରାଫୁଲଙ୍କ ବାପାଙ୍କ କହିବା ଅନୁସାରେ ଜଣେ ଅଧ୍ୟାପିକାଙ୍କ ଝିଅର ଜନ୍ମଦିନ ପାଇଁ ତାଙ୍କ ଝିଅ ଗତ ୨୪ ତାରିଖରେ ଭୁବନେଶ୍ୱର ଯାଇଥିଲା । ୨୬ ତାରିଖ ଦିନ ପ୍ରାୟ ୧୧ଟାରେ ଝିଅ ଭୁବନେଶ୍ୱରରୁ ବସ୍ରେ ବସିଥିଲା । ଏହାର କିଛି ସମୟ ପରେ ପେଟ ଖରାପ କଥା କହି ବସ୍ରୁ ଓହ୍ଲାଇଥିଲା ବୋଲି ଫୋନ୍ କରି ଜଣାଇବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଏହାରି ଭିତରେ ଏକ ଚାଟ୍ ସାମ୍ନାକୁ ଆସିଛି । ସଂଧ୍ୟା ୬ଟା ୫୦ରେ ଫୋନ୍ ରିସିଭ୍ କରିବା ପାଇଁ କୁହାଯାଇଛି । ଏହାର ଜବାବ ଆସୁଛି ରାତି ୧୨ଟା ୩୫ରେ ।
ଜବାବରେ ଲେଖାଯାଇଛି, ଭାଇ ମୁଁ ଠିକ୍ ଅଛି । ସାଙ୍ଗ ସୋନାଲି ଘରେ ଅଛି । ନେଟ୍ଓ୍ଵର୍କ ପ୍ରୋବ୍ଲେମ ଅଛି । ଏହି ଚାଟ୍ ଝରାଫୁଲ ଓ ତାଙ୍କ ଭାଇଙ୍କ ମଧ୍ୟରେ ବୋଲି କୁହାଯାଉଛି । ହେଲେ ଚାଟ୍ ଝରାଫୁଲ କରିଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ । ଝିଅକୁ ହତ୍ୟା କରାଯାଇଥିବା ନେଇ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ବାପା । ସେପଟେ ଅନ୍ଲାଇନ୍ରେ କ୍ଲାସ ଚାଲୁଥିବାରୁ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁନଥିଲେ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।