କୋଲକାତା: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଏବଂ ଏଥିରେ ଅନେକ ଅଧିକାରୀ ଗୁରୁତର ଆହତ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଉତ୍ତର-୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଗ୍ରାମରେ ରହୁଥିବା (ତୃଣମୂଳ କଂଗ୍ରେସ) ଟିଏମ୍ସି ନେତା ଶେଖ୍ ଶାହାଜହାନ୍ ଏବଂ ବୋଁଗାଓ ନଗରପାଳିକାର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ଘରେ ଚଢ଼ଉ କରିବା ପାଇଁ ଇଡିର କେତେକ ଅଧିକାରୀ ଆଜି ଏଠାରେ ପହଞ୍ôଚଥିଲେ । ତେବେ ସେମାନେ ଏଠାରେ ପାଦ ଦେବା ମାତେ ପ୍ରାୟ ୨୦୦ରୁ ଅଧିକ ଲୋକ ଅତର୍କିତ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜ୍ଜା କରିଥିଲେ । କିଛି ଲୋକ ଇଡି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଇଡି ଅଧିକାରୀମାନେ ଆସିଥିବା ୨ଟି ଯାକ ଗାଡ଼ିକୁ ଲୋକେ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ସେହିପରି କେତେକ ଅଧିକାରୀଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି, ଯାହାଫଳରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗୋଟିଏ ପଟେ ଇଡି ଟିମ୍ ଉପରେ କିଏ ଏବଂ କେଉଁ କାରଣରୁ ଆକ୍ରମଣ କରାଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି । ରାଜ୍ୟପାଳ ସିବି ଆନନ୍ଦ ବୋଷ୍ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏପ୍ରକାର ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି । ଏଥିସହ ରାଜ୍ୟ ପୁଲିସ୍ ପ୍ରଶାସନିକ ଅଧିକାରୀ ଓ ଗୃହ ସଚିବଙ୍କୁ ଏହି ମାମଲାରେ ସେ ରିପୋର୍ଟ ତଲବ କରିଛନ୍ତି । ଏପ୍ରକାର ଘଟଣାକୁ ରୋକିବା ଦିଗରେ ଯଦି ରାଜ୍ୟ ସରକାର ବିଫଳ ହେଉଛନ୍ତି ତେବେ ଭାରତୀୟ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବାଧ୍ୟ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, କୋଭିଡ୍ ସମୟରେ ରାଜ୍ୟରେ ହୋଇଥିବା ରାସନ ସାମଗ୍ରୀ ଦୁର୍ନୀତି ମାମଲାରେ ଛନ୍ଦିହୋଇପଡିଥିବା ଟିଏମ୍ସି ନେତା ଏସ୍କେ ଶାହାଜାହାନ୍ ଙ୍କଘରେ ଚଢ଼ଉ କରିବା ପାଇଁ ଇଡି ଅଧିକାରୀମାନେ ଏଠାକୁ ଆସିଥିଲେ ।
ସେହିପରି ବିଜେପି ମଧ୍ୟ ଏହି ଘଟଣାରେ ନିଜ ସ୍ୱରକୁ ଉଚ୍ଚା କରିଛି । ଏହି ଘଟଣାର ତଦନ୍ତ ଭାର ଏନ୍ଆଇଏକୁ ଦେବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିଜେପି ଦାବି କରିଛି । ପଶ୍ଚିମବଙ୍ଗରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ସେହପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏହି ଘଟଣାରେ ପଶ୍ଚିମବଙ୍ଗ ରାଜ୍ୟପାଳ, ଇଡି ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି ।
ଏହି ମାମଲାରେ କଂଗ୍ରେସ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଆଜି ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି, ହୁଏତ କାଲି ସେମାନଙ୍କୁ ହତ୍ୟା ମଧ୍ୟ କରାଯାଇପାରେ । ଯଦି ଏପରି ହୁଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ରାଜ୍ୟରେ ଆଇନ୍ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଧୀର ରଞ୍ଜନ କହିଛନ୍ତି । ସୂଚନାଯୋଗ୍ୟ, ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଟିଏମ୍ସି କଂଗ୍ରେସକୁ ରାଜ୍ୟରେ ମାତ୍ର ୨ଟି ଲୋକସଭା ଆସନ ଛାଡିବା ନେଇ ପ୍ରସ୍ତାବ ଦେବା ପରେ ଅଧୀର ରଞ୍ଜନ ଟିଏମ୍ସିକୁ ତୀବ୍ର ସମାଲୋଚନା କରିଥିଲେ । ଏହାକୁ ନେଇ ଟିଏମ୍ସି ଏବଂ କଂଗ୍ରେସ ମଧ୍ୟରେ ଏବେ ଛକାପଞ୍ଝା ଚାଲିଛି ।