28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶବନ୍ଦ ଘରୁ ମିଳିଲା ବାପା ସହ ୪ ଭିନ୍ନକ୍ଷମ ଝିଅଙ୍କ ମୃତଦେହ

ବନ୍ଦ ଘରୁ ମିଳିଲା ବାପା ସହ ୪ ଭିନ୍ନକ୍ଷମ ଝିଅଙ୍କ ମୃତଦେହ

ନୂଆଦିଲ୍ଲୀ: ପତ୍ନୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ସ୍ୱାମୀ। ୪ ଭିନ୍ନକ୍ଷମ ଝିଅଙ୍କୁ ଚଳାଇବା ସହ ବାହାରେ କାମ କରିବା ସବୁ କିଛି ତାଙ୍କ ଉପରେ ନ୍ୟସ୍ତ ହେଲା। ଏଥିଯୋଗୁ ଅଣନିଶ୍ୱାସୀ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ନେଲେ ଚରମ ନିଷ୍ପତ୍ତି। ଆଉ ଏକ ସଙ୍ଗେ ବନ୍ଦ ଘରୁ ବାପା ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ରାଜଧାନୀ ଦିଲ୍ଲୀରେ ରହୁଥିବା ହୀରାଲାଲ ଜଣେ କାର୍ପେଟର ଭାବେ କାମ କରନ୍ତି । ଘରେ ପତ୍ନୀ ଓ ୪ ଭିନ୍ନକ୍ଷମ ଝିଅ ରହୁଥିଲେ। ପିଲାଙ୍କ ମଧ୍ୟରୁ କାହା ଆଖିକୁ ଦେଖା ଯାଉ ନ ଥିବା ବେଳେ କାହା ହାତ କାମ କରୁ ନ ଥିଲା ତ କିଏ ଚାଲିବାକୁ ଅକ୍ଷମ । ସେମାନଙ୍କ ବୟସ ୮ ବର୍ଷରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି । ତେଣୁ ହୀରାଲାଲଙ୍କ ପତ୍ନୀ ପିଲାଙ୍କ ସବୁ କାମ କରିଥାନ୍ତି।

ମାତ୍ର ହୀରାଲାଲଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଯେତେବେଳେ ତାଙ୍କ ପତ୍ନୀ କ୍ୟାନସରରେ ଆକ୍ରାନ୍ତ ହେଲେ। ବହୁ ଚିକିତ୍ସା ସତ୍ତ୍ୱେ ବର୍ଷେ ପୂର୍ବେ ତାଙ୍କ ପତ୍ନୀ ଆଖି ବୁଜିଲେ। ଏହାପରେ ପିଲାମାନଙ୍କ କାମ ତଥା ରୋଜଗାର କରି ପରିବାର ଚଳାଇବା ସବୁ ଦାୟିତ୍ୱ ହୀରାଲାଲଙ୍କ ମୁଣ୍ଡକୁ ଚାଲି ଆସିଲା। ସକାଳୁ ପିଲାମାନଙ୍କ କଥା ବୁଝିବା ସହ ସେମାନଙ୍କ ଖାଇବା ପ୍ରସ୍ତତ କରି ସେ ଘରୁ ବାହାରି ଯାଉଥିଲେ। ରାତିରେ ଘରକୁ ଫେରିବା ପରେ ପୁଣି ଥରେ ପିଲାଙ୍କ କାମରେ ଲାଗି ପଡ଼ୁଥିଲେ। ବର୍ଷେ କାଳ ଏପରି କାମ କରି ସେ ଅଣନିଶ୍ୱାସୀ ହୋଇପଡ଼ିଲେ। ଏହାପରେ ଗତ ୨୪ ତାରିଖରେ ସେ ଶେଷ ଥର ଘରେ ପଶୁଥିବାର ସିସିଟିଭିରେ ଦେଖିବାକୁ ମିଳିଥିଲା।

ଏହାପରେ ଆଉ ତାଙ୍କ ଘର କବାଟ ଖୋଲି ନ ଥିଲା। ପାଖପଡ଼ୋଶୀଙ୍କର ସନ୍ଦେହ ହେବାରୁ ଏନେଇ ସେମାନେ ଗତକାଲି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ୫ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲା। ସମସ୍ତ ମୃତଦେହ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖାଦ୍ୟରେ ବିଷାକ୍ତ ପଦାର୍ଥ ଦେଇ ପିଲାଙ୍କୁ ମାରିବା ପରେ ହୀରାଲାଲ ନିଜ ଜୀବନ ହାରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking