23.1 C
Bhubaneswar
Monday, December 23, 2024
Homeଖେଳଆଜିଠାରୁ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍‌: ଶହେ ପ୍ରତିଶତ ଦର୍ଶକଙ୍କୁ ଅନୁମତି, ଅପରାଜେୟ ଧାରା ଜାରି...

ଆଜିଠାରୁ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍‌: ଶହେ ପ୍ରତିଶତ ଦର୍ଶକଙ୍କୁ ଅନୁମତି, ଅପରାଜେୟ ଧାରା ଜାରି ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ : ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ । ଏହି ଦିବାରାତ୍ର ମ୍ୟାଚ୍‌ରେ ବିଜୟୀ ହୋଇ ଘରୋଇ ଭାରତ ତା\’ର ଅପରାଜେୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଭାରତ ଅଦ୍ୟାବଧି ଘରୋଇ ମାଟିରେ ଖେଳିଥିବା ଦୁଇଟିଯାକ ଟେଷ୍ଟ୍‌ରେ ବିଜୟୀ ହୋଇଛି । ଅବଶ୍ୟ ଦଳ ବିଦେଶ ପିଚ୍‌ରେ ଗତ ୨୦୨୦ରେ ଅଷ୍ଟ୍ରେଲିଆଠାରୁ ଦିବାରାତ୍ର ମ୍ୟାଚ୍‌ରେ ପରାସ୍ତ ହୋଇଥିଲା । କିନ୍ତୁ ଘରୋଇ ମାଟିରେ ଦଳର ଦବ୍‌ଦବାକୁ କୌଣସି ଟିମ୍ ପରାହତ କରିପାରିନାହାନ୍ତି । ଦଳ ତା\’ର ସର୍ବପ୍ରଥମ ଦିବାରାତ୍ର ଟେଷ୍ଟ୍ ବାଂଲାଦେଶ ବିପକ୍ଷରେ ଖେଳିଥିବା ବେଳେ ଦ୍ୱିତୀୟଟି ଇଂଲଣ୍ଡ ବିପକ୍ଷରେ ଖେଳିଥିଲା । ଅଦ୍ୟାବଧି ଏହି ଦୁଇଟି ଟେଷ୍ଟ୍‌ରେ ଭାରତ ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ତେଣୁ ଏହି ରେକର୍ଡ କୋହଲିଙ୍କୁ ପୁଣି ଏକ ଶତକ ପାଇଁ ଉତ୍ସାହିତ କରିବ । କାରଣ କୋହଲି ପାଖାପାଖି ୨୮ ମାସ ହେବ ଶତକ ହାସଲ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦିବାରାତ୍ର ଟେଷ୍ଟ୍ ରେକର୍ଡ ମଧ୍ୟ ଭାରତ ସହ ସମାନ । ଦଳ ୩ଟି ଦିବାରାତ୍ର ମ୍ୟାଚ୍‌ରୁ ୨ଟି ବିଜୟୀ ହୋଇଛି ।
ତେବେ ଟିମ୍ ଇଣ୍ଡିଆ ପିଙ୍କ୍ ବଲ୍ ଟେଷ୍ଟ୍‌ରେ ଏବେ ବି ବେଶ୍ ନୂଆ ବୋଲି ମତ ଦେଇଛନ୍ତି ଦଳର ପ୍ରମୁଖ ପେସର୍ ଜସପ୍ରୀତ୍ ବୁମ୍‌ରା । ଏହି କାରଣରୁ ଦଳର ବୋଲରମାନେ ଏବେ ବି ପିଙ୍କ୍ ବଲ୍ ସହ ନିଜକୁ ଖାପ ଖୁଆଇବାରେ ସକ୍ଷମ ହୋଇପାରିନାହାନ୍ତି । ପେସାଦାର କ୍ରିକେଟର୍ ଭାବେ ବଲ୍ ସହ ତୁରନ୍ତ ଖାପ ଖୁଆଇବାକୁ ପଡ଼ିବ । ଫିଲ୍‌ଡିଂ କରିବା ସମୟରେ ପିଙ୍କ୍ ବଲ୍ ନିୟମିତ ବଲ୍‌ଠାରୁ ଭିନ୍ନ ମନେ ହେଉଛି । ଏହା ଆଶାନୁପାତରେ ଯଥେଷ୍ଟ ଶୀଘ୍ର ମୁଭ୍ କରୁଛି । ସାଧାରଣ ଟେଷ୍ଟ୍‌ରେ ବଲ୍ ସକାଳ ବେଳା ଅଧିକ ସୁଇଙ୍ଗ୍ କରିଥାଏ । କିନ୍ତୁ ପିଙ୍କ୍ ବଲ୍ ଟେଷ୍ଟ୍‌ରେ ପ୍ରଥମ ସେସନ୍‌ରେ ପେସର୍‌ଙ୍କୁ ଏହି ସୁଯୋଗ ଯଥେଷ୍ଟ କମ୍ ମିଳିଥାଏ । ଅବଶ୍ୟ ସନ୍ଧ୍ୟା ସମୟ ପେସର୍‌ଙ୍କୁ ସୁହାଇଥାଏ ବୋଲି ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ବୁମ୍‌ରା କହିଛନ୍ତି । ସେହିପରି ଦଳ ଭିନ୍ନ ଭିନ୍ନ ପରିବେଶରେ ପିଙ୍କ୍ ବଲ୍ ଟେଷ୍ଟ୍ ଖେଳିଥିବାରୁ ଅଦ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ତିଆରି କରିବାରେ ସକ୍ଷମ ହୋଇନାହିଁ । ତେଣୁ ସ୍ୱଳ୍ପ ଅଭିଜ୍ଞତାର ଉପଯୋଗ ପୂର୍ବକ ବେଙ୍ଗାଲୁରୁ ମ୍ୟାଚ୍‌କୁ ଜିତି ସିରିଜ୍ କ୍ଲିନ୍‌ସୁଇପ୍ କରିବାର ଲକ୍ଷ୍ୟ ରହିଛି ବୋଲି ବୁମ୍‌ରା କହିଛନ୍ତି । ଦଳର ଖେଳାଳିମାନେ ପିଙ୍କ୍ ବଲ୍‌ରେ ଅଭ୍ୟାସକୁ ଅଧିକ ଗୁରୁତ୍ୱ ଦେଉଥିବା କଥା କହିବାକୁ ଯାଇ ବୁମ୍‌ରା କହିଛନ୍ତି ଯେ ଗତ ମୋହାଲି ଟେଷ୍ଟ୍ ପରେ ମଧ୍ୟ ଖେଳାଳିମାନେ ଅତିରିକ୍ତ ସେସନ୍‌ରେ ଅଭ୍ୟାସ କରିଥିଲେ । ସେହିପରି ପିଙ୍କ୍ ବଲ୍ ଟେଷ୍ଟ୍‌ରେ ଖେଳାଳିମାନେ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିବା ମଧ୍ୟ କଷ୍ଟକର ବ୍ୟାପାର ବୋଲି ବୁମ୍‌ରା କହିଛନ୍ତି । ତେବେ ଦଳରେ ୩ ଜଣ ସ୍ପିନର୍‌ଙ୍କୁ କିମ୍ବା ପେସର୍‌ଙ୍କୁ ନିଆଯିବ, ସେନେଇ ମ୍ୟାଚ୍ ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଫିଟ୍ ହେବା ପରେ ଦଳକୁ କୁଲଦୀପ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲ୍ ଫେରିଥିବାରୁ ତାଙ୍କୁ ଜୟନ୍ତ ଯାଦବଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ନିଆଯିବାର ସମ୍ଭାବନା ବ୍ୟକ୍ତ କରାଯାଉଛି । କିନ୍ତୁ ବୁମ୍‌ରା ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ସେହିପରି କୁଲଦୀପଙ୍କୁ ଦଳରୁ ବାହାର କରାଯାଇନାହିଁ । ବରଂ ଦୀର୍ଘଦିନ ଧରି ସେ ବାୟୋ ବବଲ୍ ପରିବେଶରେ ରହିଥିବାରୁ ତାଙ୍କୁ ବିଶ୍ରାମ ଦେବା ସକାଶେ ପରିବାର ସହ ସମୟ ବିତାଇବାକୁ ସୁଯୋଗ ଦିଆଯାଇଛି ବୋଲି ବୁମ୍‌ରା କହିଛନ୍ତି । କିନ୍ତୁ ମୋହାଲିରେ ଉଭୟ ବ୍ୟାଟ୍ ଆଉ ବଲ୍‌ରେ ଚମକିଥିବା ରବୀନ୍ଦ୍ର ଜାଡେଜା ଏପରି ଚମତ୍କାର ପ୍ରଦର୍ଶନ ପରେ ବିଶ୍ରାମ ନେବାକୁ ଚାହିଁବେ ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୁମ୍‌ରା କହିଛନ୍ତି । ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ଆଘାତଜନିତ ସମସ୍ୟା ସହ ଲଢ଼େଇ କରୁଛି । ଗତ ମ୍ୟାଚ୍‌ରେ ପାଥୁମ୍ ନିଶଙ୍କା ଅର୍ଦ୍ଧଶତକ କରିଥିଲେ ହେଁ ଦ୍ୱିତୀୟ ଟେଷ୍ଟ୍‌ରୁ ବାଦ୍ ପଡ଼ିସାରିଛନ୍ତି । ଏହାଛଡ଼ା ବୋଲର୍ ଲାହିରୁ କୁମାରା ମଧ୍ୟ ଆହତ ଅଛନ୍ତି । ଅଧିକନ୍ତୁ ଦୁଷ୍ମନ୍ତ ଚାମିରାଙ୍କୁ ଡାକ୍ତର ନ ଖେଳିବା ସକାଶେ ପରାମର୍ଶ ଦେଇଛନ୍ତି ।
ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗରୱାଲ୍‌, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଅକ୍ଷର ପଟେଲ୍‌, ଜସପ୍ରୀତ୍ ବୁମ୍‌ରା ଓ ମହମ୍ମଦ ଶମି ।
ଶ୍ରୀଲଙ୍କା ଏକାଦଶ: ଦିମୁଥ୍ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁସାଲ୍ ମେଣ୍ଡିସ୍‌, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡି\’ସିଲ୍‌ଭା, ଦିନେଶ ଚାଣ୍ଡିମାଲ୍‌/ଚରିତ୍ ଅସଲଙ୍କା, ନିରୋଶନ୍ ଡିକୱେଲା (ୱିକେଟ୍‌କିପର୍‌), ଚାମିକା କରୁଣାରତ୍ନେ, ସୁରଙ୍ଗା ଲକମଲ୍‌, ଲାସିଥ୍ ଏମ୍ବୁଲଦେନିୟା ଓ ପ୍ରବୀଣ ଜୟବିକ୍ରମା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking