19.1 C
Bhubaneswar
Friday, January 10, 2025
Homeଓଡିଶାଦଳିତ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ : ଘଟଣା ଚାପିବାକୁ ଉଦ୍ୟମ

ଦଳିତ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ : ଘଟଣା ଚାପିବାକୁ ଉଦ୍ୟମ

ବ୍ରହ୍ମପୁର: ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି । ସ୍କୁଲ ପିଲାଙ୍କୁ ଶିକ୍ଷକ ମାଡ଼ ମାରିବା ଏକ ଆଇନଗତ ଅପରାଧ ସହ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳରେ ରୂପେ ସରକାର ଘୋଷଣା କରିଛନ୍ତି । ଏଥି ସହିତ ଏଭଳି ଅଭିଯୋଗ ନିମନ୍ତେ ଏକ ଦେୟ ମୁକ୍ତ ନମ୍ବର ମଧ୍ୟ ଜାରି କରାଯାଇଛି । ସ୍କୁଲରେ ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରନ୍ତି ତେବେ ଉକ୍ତ ଶିକ୍ଷକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ଘୋଷଣା କରିଛି । ହେଲେ ବ୍ରହ୍ମପୁର ସହରରେ ଦଣ୍ଡମୁକ୍ତ ଅଞ୍ଚଳ ପ୍ରହସନ ପାଲଟିଛି । ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଦଳିତ ଛାତ୍ରଙ୍କୁ ଶିକ୍ଷକ ଜଣଙ୍କ ନସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୁରୁଣା ବ୍ରହ୍ମପୁର ସ୍ଥିତ ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ରଥଙ୍କ ନାମରେ ଉକ୍ତ ଦଳିତ ଛାତ୍ରଙ୍କ ବାପାମାଆ ଅଭିଯୋଗ ଆଣିଛନ୍ତି । ଶିକ୍ଷକ ଜଣଙ୍କ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ ମାରିଥିବା କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ଛାତ୍ର ଜଣକ ଭୀଷଣ ଜ୍ୱରରେ ପୀଡ଼ିତ ରହିଛନ୍ତି । ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ଅନୁଭବ ହେବା ସହ ଶରୀର ଅସୁସ୍ଥ ରହିଥିବା ତାଙ୍କ ବାପା ସନ୍ତୋଷ ନାୟକ କହିଛନ୍ତି ।
ଘଟଣାକୁ ନେଇ ଛାତ୍ରଙ୍କ ପିତାମାତା ସ୍କୁଲକୁ ଯାଇ ମାଡ଼ ମାରିଥିବା ଶିକ୍ଷକ ସମେତ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବ ସହ ଶିକ୍ଷକ ଜଣଙ୍କ କ୍ଷମା ପ୍ରାର୍ଥନା କରିଥିଲେ । ଆଗାମୀ ଦିନରେ ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ଘଟଣା ସମ୍ପର୍କରେ କାହାରି ନିକଟରେ ଅଭିଯୋଗ ନକରିବାକୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଘଟଣାର ସଠିକ୍ ତଦନ୍ତ ସହ ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଛାତ୍ରଙ୍କ ପିତାମାତା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲର ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରର ଜଗବନ୍ଧୁ ସାହିର ସନ୍ତୋଷ କୁମାର ନାୟକଙ୍କ ପୁଅ ସୁକୁମାର ନାୟକ ପୁରୁଣା ବ୍ରହ୍ମପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତକାଲି ସ୍କୁଲରେ ପାଠ ପଢ଼ାସାରିବା ପରେ ଛାତ୍ରଛାତ୍ରୀଙ୍କୁ ଅପରାହ୍ନ ୩ଟା ୩୦ ସମୟରେ ଖେଳିବାକୁ ଛଡାଯାଇଥିଲା । ଏହି ସମୟରେ ପୀଡ଼ିତ ଛାତ୍ର ଜଣକ ଅନ୍ୟ ଜଣେ ଛାତ୍ରଙ୍କ ସହ ଖେଳୁଥିଲେ । କୌଣସି କରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ଅନ୍ୟ ଜଣେ ଛାତ୍ର ଶିକ୍ଷକ ସନ୍ତୋଷ କୁମାର ରଥଙ୍କୁ ଖବର ଦେଇଥିଲେ । ଏହା ପରେ ଶିକ୍ଷକ ଶ୍ରୀ ରଥ ଏକ ଏସିସିରେ ବ୍ୟବହାର ହୋଉଥିବା ଏକ ବାଡ଼ି ସାହାଯ୍ୟରେ ଛାତ୍ର ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ସମୟରେ ଛାତ୍ର ଜଣଙ୍କ ମାଡ଼ ନ ମାରିବା ନିମନ୍ତେ ନେହୁରା ହେବା ସହ ତାଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ସେ ଆଗକୁ ଏଭଳି କୌଣସି ଦୁଷ୍ଟାମୀ କରିବେ ନାହିଁ ବୋଲି କହିଥିଲେ । ଏହା ପରେ ମଧ୍ୟ ଉକ୍ତ ଶିକ୍ଷକ ଜଣଙ୍କ ତାଙ୍କୁ ମାଡ଼ ମାରିଚାଲିଥିଲେ । ଏହି ସମୟରେ ଛାତ୍ର ଜଣଙ୍କ ଶିକ୍ଷକଙ୍କ ଗୋଡ଼ ଧରିବା ସହ ତାଙ୍କୁ ଆଉ ମାଡ଼ ନମାରିବାକୁ ଅନୁରୋଧ କରିଥିବା ଛାତ୍ର ଜଣଙ୍କ କହିଛନ୍ତି । ଏହା କିଛି ସମୟ ପରେ ସ୍କୁଲ ଛୁଟି ହେବାରୁ ଛାତ୍ର ଜଣକ ଘରକୁ ଆସି ସମସ୍ତ ଘଟଣା ତାଙ୍କ ମା’ଙ୍କୁ ଜଣାଇଥିଲେ । ଶିଶୁର ଗୋଡ଼, ହାତ, ଜଙ୍ଘ, ବେକ ଓ ଛାତି ସମେତ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ପାଇଥିଲେ । ମାଡ଼ ମରାଯିବା ପରଠୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେଉଥିବା ସେ ତାଙ୍କ ମା’ଙ୍କୁ କହିଥିଲେ । କିଛି ସମୟ ପରେ ଶିଶୁକୁ ଭୀଷଣ ଜ୍ୱରରେ ହୋଇଥିଲା । ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇ ଔଷଧ ଖାଇବାକୁ ଦେଇଥିଲେ । ଅନ୍ୟପକ୍ଷରେ ଗତ ତିନି ସପ୍ତାହ ମଧ୍ୟରେ ଉକ୍ତ ଶିକ୍ଷକ ଜଣକ କିଛି ଛାତ୍ରଙ୍କୁ ସ୍କୁଲର ଚୌକି ଘୁଞ୍ଚାଇବାକୁ କହିଥିଲେ । ସେହି ଚୌକିଟି ଅଧିକ ଓଜନ ଥିବା ବେଳେ ଛାତ୍ର ଜଣକ ଉଠାଇବାରେ ସକ୍ଷମ ହୋଇନଥିଲେ । ଏହାକୁ ନେଇ ଶିକ୍ଷକ ସେହି ଦିନ ତାକୁ ମାଡ଼ ମାରିଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏହା ସହ ଏଭଳି ଏକ ମାସ ମଧ୍ୟରେ ଶିକ୍ଷକ ଛାତ୍ର ସୁକୁମାରଙ୍କୁ ଦୁଇ ଦୁଇ ଥର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଛାତ୍ର ଜଣକ ତାଙ୍କ ବାପାମାଆ ଓ ସମ୍ପର୍କୀୟଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା କୁମାରୀ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ଘଟଣାକୁ ସ୍ୱୀକାର କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶିକ୍ଷକ ପ୍ରଶାନ୍ତ ରଥ ଉକ୍ତ ଛାତ୍ରକୁ ମାଡ଼ ମାରିଥିବା ସ୍ୱୀକାର କରିଥିଲେ । ଏଭଳି ଭୁଲ ଆଗକୁ ହେବ ନାହିଁ । ଏହି ଘଟଣାକୁ ନେଇ କାହାରି ନିକଟରେ ଅଭିଯୋଗ ନ କରିବା ନିମନ୍ତେ ଅଭିଭାବକଙ୍କ ନିକଟରେ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଶ୍ରେଣୀ ଗୃହରେ ଦୁଇ ଜଣ ଛାତ୍ର କଳହ କରୁଥିବା ବେଳେ କେବଳ ଜଣେ ଛାତ୍ରକୁ ଶିକ୍ଷକ ଜଣକ କାହିଁକି ମାଡ଼ ମାରିଛନ୍ତି ବୋଲି ତାଙ୍କ ମାଆ ପ୍ରଶ୍ନ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ବିଦ୍ୟାଳୟ ଅଚାନକ ଗସ୍ତ କରି ବ୍ୟବସ୍ଥା ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କାରନାମା ଯୋଗୁ ତାହା ପାଣି ଫାଡ଼ିଯାଉଛି । ଏଭଳି ଘଟଣା ସାମ୍ନାକୁ ଆସିବାପରେ ମାଡ଼ ମାରିଥିବା ଶିକ୍ଷକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ନା ଘଟଣାକୁ ଚାପି ଦିଆଯିବ ତାହା ଦେଖିବାକୁ ବାକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking