15.1 C
Bhubaneswar
Thursday, January 15, 2026
Homeଓଡିଶାବାରବାଟୀରେ ଦିନିକିଆ ରେକର୍ଡ: ୧୮ ବର୍ଷ ଧରି ଟିମ୍ ଇଣ୍ଡିଆ ଅପରାଜୟ

ବାରବାଟୀରେ ଦିନିକିଆ ରେକର୍ଡ: ୧୮ ବର୍ଷ ଧରି ଟିମ୍ ଇଣ୍ଡିଆ ଅପରାଜୟ

ଭୁବନେଶ୍ୱର: ଟିମ୍ ଇଣ୍ଡିଆ ରବିବାର କଟକର ବାରବାଟୀ ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ନାଗପୁରରେ ବିଜୟ ସହିତ ଭାରତୀୟ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ବାରବାଟୀ ଷ୍ଟାଡିୟମ୍‌ରେ ଭାରତର ରେକର୍ଡ ଚମତ୍କାର ରହିଛି। ଟିମ୍ ଏଠାରେ ମୋଟ ୧୭ ଦିନିକିଆ ଖେଳିଥିବା ବେଳେ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ଏବଂ ୪ଟିରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଅନ୍ୟପକ୍ଷରେ ଇଂଲଣ୍ଡ ବାରବାଟୀ ଷ୍ଟାଡିୟମ୍‌ର ରେକର୍ଡ ହିସାବରେ ଭାରତ ତୁଳନାରେ ଆଗୁଆ। ଟିମ୍ ଏଠାରେ ଭାରତ ବିପକ୍ଷରେ ଖେଳିଥିବା ୫ ଦିନିକିଆରୁ ତିନିଟିରେ ବିଜୟୀ ହୋଇଛି। ଭାରତ ମାତ୍ର ଦୁଇଥର ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି।

ତେବେ ସବୁଠୁ ଖାସ୍ ବିଷୟ ହେଉଛି ବାରବାଟୀରେ ଖେଳାଯାଇଥିବା ଗତ ୭ଟି ଦିନିକିଆରେ ଭାରତୀୟ ଟିମ୍ ବିଜୟୀ ହୋଇଛି। ଏପରି ସ୍ଥିତିରେ ରୋହିତ ବ୍ରିଗେଡ୍ ନିକଟରେ ରବିବାର କଟକରେ ଲଗାତାର ଅଷ୍ଟମ ବିଜୟ ହାସଲର ସୁଯୋଗ ରହିବ। ଟିମ୍ ଇଣ୍ଡିଆ ୨୦୦୭ ଜାନୁଆରୀ ୨୪ ପରଠାରୁ (୧୮ ବର୍ଷ ଧରି) ଲଗାତାର ସମସ୍ତ ମ୍ୟାଚ୍ ଜିତିଆସୁଛି।

ଭାରତ ଶେଷଥର ପାଇଁ ଏଠାରେ ୨୦୦୩ ନଭେମ୍ବର ୬ରେ ନ୍ୟୁଜିଲାଣ୍ଡଠାରୁ ୪ ୱିକେଟ୍‌ରେ ହାରିଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ୧୯୮୨ ଜାନୁଆରୀ ୧୭ରେ ଅନୁଷ୍ଠିତ ଏହି ମ୍ୟାଚ୍ ଭାରତ ୫ ୱିକେଟ୍‌ରେ ନିଜ ନାମରେ କରିଥିଲା। ଏହି ମ୍ୟାଚ୍‌ରେ ସୁନୀଲ୍ ଗାଭାସ୍କର ୮୭ ବଲ୍‌ରେ ୭୧ ରନ୍‌ର ଇନିଂସ୍ ଖେଳିଥିଲେ।

ବାରବାଟୀରେ ଇଂଲଣ୍ଡର ଦିନିକିଆ ରେକର୍ଡ
ଇଂଲଣ୍ଡ ଟିମ୍ ବାରବାଟୀରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଦିନିକିଆ ମ୍ୟାଚ୍ ଖେଳିଛି। ଏହା ମଧ୍ୟରୁ ଗୋଟିଏ ପାକିସ୍ତାନ ବିପକ୍ଷରେ (୧୯୮୯) ହୋଇଥିବା ବେଳେ ବାକି ୫ଟି ଭାରତ ବିପକ୍ଷରେ ଖେଳାଯାଇଥିଲା। ଏହା ମଧ୍ୟରୁ ଟିମ୍ ଏଠାରେ ମୋଟ ୪ ମ୍ୟାଚ୍ (୩ ଭାରତ ବିପକ୍ଷରେ, ଗୋଟିଏ ପାକିସ୍ତାନ ବିପକ୍ଷରେ) ଜିତିଥିବା ବେଳେ ଦୁଇଟି ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇଛି।

ବାରବାଟୀରେ ସର୍ବାଧିକ ଦିନିକିଆ ରନ୍ ଓ ୱିକେଟ୍‌
ବାରବାଟୀରେ ସର୍ବାଧିକ ଦିନିକିଆ ରନ୍ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ୍ ଏଠାରେ ୧୦ ମ୍ୟାଚ୍‌ର ୧୦ ଇନିଂସ୍‌ରେ ୮୪.୮୧ ଆଭରେଟ୍‌ରେ ମୋଟ ୪୬୯ ରନ୍ କରିଛନ୍ତି। ତେବେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ରେକର୍ଡ ଏଠାରେ ଖରାପ। କୋହଲି ଏଠାରେ ୪ ମ୍ୟାଚ୍‌ରେ ୨୯.୫୦ ଆଭରେଜ୍ ୧୧୮ ରନ୍ କରିଛନ୍ତି। ୮୫ ରନ୍ ତାଙ୍କ ସର୍ବାଧିକ ସ୍କୋର। ସେହିପରି ରୋହିତ ଶର୍ମା ତିନିଟି ଦିନିକିଆରେ ୭୧.୫୦ ଆଭରେଜ୍‌ରେ ମୋଟ ୧୪୩ ରନ୍ କରିଛନ୍ତି। ରୋହିତ ଏଠାରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ବାରବାଟୀରେ ସର୍ବାଧିକ ଦିନିକିଆ ୱିକେଟ୍ ଯୁଗ୍ମଭାବେ ଅନିଲ୍ କୁମ୍ବଲେ, ରବୀନ୍ଦ୍ର ଜାଡ଼େଜା, ଅଜିତ ଆଗରକର ଏବଂ ଈଶାନ୍ତ ଶର୍ମାଙ୍କ ନାମରେ ରହିଛି। ସମସ୍ତେ ୭-୭ ୱିକେଟ୍ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking