26.1 C
Bhubaneswar
Thursday, September 19, 2024
Homeଓଡିଶାମୋବାଇଲ ନଧରି ପାଠ ପଢ଼ିବାକୁ କହିଲେ ବାପା; ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର

ମୋବାଇଲ ନଧରି ପାଠ ପଢ଼ିବାକୁ କହିଲେ ବାପା; ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର: ମୋବାଇଲ ପାଇଁ ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର ! ଭୁବନେଶ୍ୱର କଳିଙ୍ଗନଗର ରେ ଘଟିଛି ଅଘଟଣ । ନିଜ ପାଠ ପଢା ଘରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତଦେହ । ଭରତପୁର ଥାନା ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲ ରୁଜୁ କରାଯାଇଛି । ପୋଲିସର ସୂଚନା ମୁତାବକ ଗତକାଲି ରାତିରେ ଏଭଳି ଘଟଣାର ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଘର ଲୋକଙ୍କ କହିବା କଥା, ମୃତକ ଜଣକ ଏବର୍ଷ ନବମ ପରୀକ୍ଷା ଦେଇ ୧୦ମ ଶ୍ରେଣୀକୁ ଉନ୍ନିତ ହୋଇଥିଲେ ।

ଯେହେତୁ ଏବର୍ଷ ବୋର୍ଡ ପରୀକ୍ଷା ରହିଛି, ସେନେଇ ଘର ଲୋକେ ପାଠପଢା ଉପରେ ଫୋକସ ଦେବା ପାଇଁ କହୁଥିଲେ । ଗତକାଲି ମଧ୍ୟ ତାଙ୍କ ବାପା ତାଙ୍କୁ ଅଧିକାଂଶ ସମୟ ମୋବାଇଲ ଧରି କାହିଁକି ସମୟ ନଷ୍ଟ କରୁଛୁ ବୋଲି ଆକଟ କରିଥିଲେ । ମୋବାଇଲ ନଧରି ବରଂ ପାଠ ପଢାରେ ଧ୍ୟାନ ଦେବାକୁ କହିଥିଲେ । ଯାହାକୁ ନେଇ ଗତକାଲି ସେ ଅବସାଦରେ ରହିଥିଲେ । ଏହାପରେ ଗତକାଲି ରାତିରେ ଛାତ୍ର ଜଣକ ନିଜ ରୁମରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ପୋଲିସ ମୃତଦେହ ମିଳିଥିବା ଘରେ ସାଇଣ୍ଟିଫିକ୍ ଯାଞ୍ଚ ସହ ବିଭିନ୍ନ ନମୂନା ସଂଗ୍ରହ କରିଛି । ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି । ତେବେ ମୃତଦେହକୁ କ୍ୟାପିଟାଲ ଥାନାକୁ ନେଇ ବ୍ୟବଚ୍ଛେଦ କରାଯାଇଛି । ନିଜ ପୁଅର ମୃତ୍ୟୁ ନେଇ ପରିବାର ଲୋକେ ମୁହଁ ଖୋଲି ନାହାନ୍ତି । ତେବେ ପିଲାଙ୍କ ଭିତରେ ବଦଳୁଥିବା ମାନସିକତା ଏବେ ଚିନ୍ତାର ବିଷୟ ପାଲଟିଛି ।

କମ ବୟସରୁ ପିଲାମାନଙ୍କ ମଧ୍ୟରେ ମୋବାଇଲ ବ୍ୟବହାର ବଢ଼ୁଛି । ଫଳରେ ମୋବାଇଲ ପାଇଁ କେହି ଆକଟ କରିବାରୁ ସେମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି । ଏଭଳି ଏକ ଘଟଣାରେ ଜଣେ ଛାତ୍ର ଜୀବନ ହାରିବା ପରେ ରାଜଧାନୀରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ପବ୍ଜି ବା ମୋବାଇଲ୍ରେ ଗେମ୍ ନଖେଳିବାକୁ ଆକଟ କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଭଳି ଘଟଣା ପୂର୍ବରୁ ନଜିର ରହିଛି । ଏଭଳି ଘଟଣା ଅଭିଭାବକ ପାଇଁ ଏକ ସତର୍କ ଘଣ୍ଟି ବଜାଇଛି । ଏନେଇ ମନସ୍ତତ୍ୱବିତ୍‌ଙ୍କ ମତାମତ ହେଉଛି, ମୋବାଇଲ ବା ଗେଜେଟ ଓ ଦାମି ଗିଫ୍ଟ ଠାରୁ ନିଜ ପିଲାଙ୍କୁ ଦୂରେଇ ରଖିବା ଦରକାର । କାରଣ ଏଭଳି ଜିନିଷ ପ୍ରତି ଥରେ ଆଗ୍ରହ ବଢିଲେ ଏହାପରେ ସେସବୁ ଜିନିଷଠାରୁ ଦୂରେଇ ରହିବାର ଚେତାବନୀ ହୁଏତ ମହଙ୍ଗା ପଡିପାରେ । ପିଲାଙ୍କ ଆଚାର ବ୍ୟବହାର ପ୍ରତି ପୂର୍ବରୁ ଟିକିଏ ସଚେତନ ରହିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking