ଭୁବନେଶ୍ୱର : ଓଡ଼ିଶା ପାଇଁ ବାତ୍ୟା ଆଶଙ୍କା ପ୍ରକାଶ ପାଇଛି । ଇଣ୍ଡିଆନ୍ ନ୍ୟାସ୍ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍ସିଓଆଇଏସ୍)ର ମଡେଲ ଅନୁଯାୟୀ, ବଙ୍ଗୋପ ସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିପରି ଆଉ ଏକ ଜଣାଶୁଣା ପ୍ରତିଷ୍ଠାନ ୟୁରୋପିଆନ୍ ସେଣ୍ଟର ଫର୍ ମିଡିଅମ୍ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମ୍ଡବ୍ଲୁଏଫ୍) ମଧ୍ୟ ସାମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ନେଇ ସୂଚନା ଦେଇଛି । ବାତ୍ୟା ୟଶ୍ ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ ବୋଲି ଇସିଏମ୍ଡବ୍ଲୁଏଫ୍ ପୂର୍ବାନୁମାନ କରିଛି । ଫଳରେ ଏବେ ଉତ୍ତର ଓଡ଼ିଶାର ଉପକୂଳବାସୀଙ୍କୁ ବାତ୍ୟା ଭୟ ଘାରିଛି ।
ଏହି କ୍ରମରେ କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍ଡି) ବାତ୍ୟା ୟଶ୍ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ । ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ୨୫ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ବହିବ । କିନ୍ତୁ ବାତ୍ୟା କେଉଁଠି ଓ କେବେ ଲ୍ୟାଣ୍ଡ୍ଫଲ୍ କରିବ, ତା’ର ତିବ୍ରତା କେତେ ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ । ସେହିପରି ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ଆଇଏମ୍ଡି ପକ୍ଷରୁ ପୂର୍ବରୁ ସତର୍କ କରାଇ ଦିଆଯାଇଥିବା ସେ କହିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ୟଶ୍ ନେଇ ପ୍ରତିକ୍ରିୟ ରଖିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ସେ କହିଛନ୍ତି, ବାତ୍ୟାର ରୂପରେଖ ନେଇ ଅନିଶ୍ଚିତତା ରହିଥିଲେ ମଧ୍ୟ ବଙ୍ଗୋପ ସାଗର ଜଳପତନର ତାପମାତ୍ରା ଅଧିକ (୩୦-୩୧ ଡିଗ୍ରୀ ସେଲ୍ସିଅସ୍) ଥିବାରୁ ଏହା ଦ୍ରୁତ ଗତିରେ ଘନିଭୂତ ହେବ । ପାରଦୀପଠାରୁ ଦୀଘା ମଧ୍ୟରେ ବାୟୁମଣ୍ଡଳର ପରିସ୍ଥିତି ସ୍ଥଳଭାଗ ଛୁଇଁବା ପାଇଁ ଅନୁକୂଳ ରହିଛି । ସମ୍ଭାବ୍ୟ ଗତିପଥ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ବାତ୍ୟାର କେନ୍ଦ୍ରରେ ବାୟୁର ଚାପ ୯୮୦ ମିଲିବାର ପର୍ଯ୍ୟନ୍ତ ପହଞ୍ଚିପାରେ ।
୨୬ ତାରିଖ ଉପରବେଳା ସ୍ଥଳଭାଗ ଛୁଇଁଲା ବେଳକୁ ତା’ର ତିବ୍ରତା ପ୍ରାୟତଃ ସେତିକି ରହିବ ନଚେତ୍ କମିପାରେ । ଉପର ବାୟୁମଣ୍ଡଳରେ ବାୟୁର ଦିଗରୁ ଜଣାପଡ଼ୁଛି ଯେ ଏହାର ଦିଗ ପରିବର୍ତ୍ତନ ସମ୍ଭାବନା ନାହିଁ । ବାତ୍ୟା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ବାତ୍ୟାକୁ ସହଯୋଗ କରିବ ବୋଲି ଆକଳନ କରାଯାଉଥିବା ଶ୍ରୀ ପଶୁପାଳକ କହିଛନ୍ତି । ବଡ଼ କଥା ହେଲା ସାଧାରଣତଃ ବାତ୍ୟାର ଦକ୍ଷିଣ ଭାଗ ଶକ୍ତିଶାଳୀ ହୋଇଥାଏ । ତେଣୁ ବାତ୍ୟା ଯଦିଓ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ନକରି ଦୀଘା ଆଖପାଖରେ ଲ୍ୟାଣ୍ଡଫଲ୍ କରେ ତଥାପି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜ ପ୍ରଭୃତି ୫ ଜିଲ୍ଲାରେ ପବନର ବେଗ ୫୦ରୁ ଉପରେ ରହିବା ସମ୍ଭାବନା ଥିବାବେଳେ ଭାରୀ ବର୍ଷା ହେବ ।
ଉପକୂଳବର୍ତ୍ତି ଜିଲ୍ଲା ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ସମ୍ବଲପୁର, ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ବାତ୍ୟା ଦିନ ଯଦି ପୂର୍ଣ୍ଣିମୀ ପଡ଼େ ତେବେ ସମୂଦ୍ର ଜୁଆର ଆହୁରି ଅଧିକ ଉପରକୁ ଉଠିବ । ତେଣୁ ଜଗତ୍ସିଂହପୁରରୁ ବାଲେଶ୍ୱର ଯାଏ ସମୂଦ୍ର ଅଗଭୀର ହୋଇଥିବାରୁ ତଳୁଆ ଉପକୂଳ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବାର ମଧ୍ୟ ସମ୍ଭାବନା ରହିଥିବା ବିଶେଷଜ୍ଞ ଶ୍ରୀ ପଶୁପାଳକ କହିଛନ୍ତି ।