ବ୍ରହ୍ମପୁର:ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକମାନେ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଛନ୍ତି । ତାଙ୍କ ଷ୍ଟେଟବ୍ୟାଙ୍କର ୟୋନୋ ଆପ୍ ଅବନ୍ଦ ହୋଇଯିବ କହି ଉକ୍ତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଡାକ୍ତର ଲକ୍ଷ୍ମୀକାନ୍ତ ଚାନ୍ଦ ବ୍ରହ୍ମପୁର ଅଯୋଧ୍ୟାନଗର ଦ୍ୱିତୀୟ ଲାଇନରେ ରହୁଥିବା ବେଳେ ସେ ଗଜପତି ଜିଲ୍ଲା ଜି. ଉଦୟଗିରିରେ ଡାକ୍ତରଭାବେ କାର୍ଯ୍ୟ କରୁଛନ୍ତି । ଗତ ୮ ତାରିଖରେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ସେଥିରେ ଉଲ୍ଲେଖ ଥିଲା ସେ ଯଦି ପାନକାର୍ଡ ଅପଡେଟ ନହୁଏ ତେବେ ସେ ବ୍ୟବହାର କରୁଥିବା ଷ୍ଟେଟବ୍ୟାଙ୍କର ୟୋନୋ ଆପ ବନ୍ଦ ହୋଇଯିବ ।
କିନ୍ତୁ ଉକ୍ତ ମେସେଜକୁ ଡାକ୍ତର ଜଣଙ୍କ ଗୁରୁତ୍ୱ ଦେଇନଥିଲେ । ପୁଣି ସେହି ଦିନ ସନ୍ଧ୍ୟାରେ ପୁଣିଥରେ ସମାନ ଧରଣର ଏକ ମେସେଜ ଆସିବାରୁ ଡାକ୍ତର ଲକ୍ଷ୍ମୀଚାନ୍ଦ ମେସେଜରେ ଥିବା ଲିଙ୍କ ଉପରେ କ୍ଲିକ କରିଥିଲେ । ଏହା ପରେ ତାଙ୍କ ମୋବାଇଲରେ ଷ୍ଟେଟବ୍ୟାଙ୍କର ୟୋନୋ ଆପ ଭଳି ଏକ ପେଜ୍ ଖୋଲିଥିବା ବେଳେ ସେଥିରେ ସେ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ଦେଇଥିଲେ । ଏହାପରେ ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା । ସେ ଉକ୍ତ ଓଟିପି ସେହି ପେଜ୍ରେ ଦେବା ପରେ ଡାକ୍ତରଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨ ଲକ୍ଷ ୯୯ ହଜାର ୯୯୯ ଟଙ୍କା କଟିଯାଇଥିଲା ।
ଏହା ପରେ ପୁଣି ୨୪ ହଜାର ୯୮୭ ଟଙ୍କା କଟିଯାଇଥିଲା । ଏଭଳି ଦୁଇ ଥରରେ ତାଙ୍କ ଆକାଉଣ୍ଟରୁ ମୋଟ ୩ ଲକ୍ଷ ୨୫ ହଜାର ଟଙ୍କା ସାଇବର ଠକମାନେ ଗାଏବ କରିଦେଇଥିଲେ । ଏ ନେଇ ଡ଼ାକ୍ତର ଜଣଙ୍କ ଷ୍ଟେଟ୍ୟବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ ଫୋନ କରି ଏଭଳି ଅବୈଧ୍ୟ ନେଣଦେଣ ବନ୍ଦ କରିବାକୁ ଅନୁରୋଧ କହିଥିଲେ । ଏହା ପରେ ସେ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।