କଟକ : ଦିୱାନ ବଜାର ଅଞ୍ଚଳରେ ସାମାନ୍ୟ କେତେଟା ଟଙ୍କା ପାଇଁ ସ୍ତ୍ରୀକୁ ତାଙ୍କ ମଦୁଆ ସ୍ୱାମୀ ଅତି ନିର୍ମମଭାବେ ଭୁଜାଲିରେ ହାଣି ହତ୍ୟା ଉଦ୍ୟମ କରିଛି । ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଅପରପକ୍ଷେ ଆହତ ମହିଳାଙ୍କ ପରିବାର ପକ୍ଷରୁ ଏ ନେଇ ଲାଲ୍ବାଗ ଥାନାରେ ଏତଲା ଦିଆଯାଇଥିଲା ବେଳେ ବିବତ୍ସ କାଣ୍ଡ ଘଟାଇଥିବା ସଇତାନ ସ୍ୱାମୀକୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଦିୱାନବଜାର ତନ୍ତିସାହିର ଷ୍ଟିକରିଂ କାମରୁଥିବା ୱାଇ.ଜଗନ୍ନାଥ ନିକଟସ୍ଥ କାଜି ବଜାରର ୱାଇ. ସିରିଶା(୨୮)ଙ୍କୁ ୧୦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଅଛି । ବିବାହର କିଛି ଦିନ ପର୍ଯ୍ୟନ୍ତ ଦୁହେଁ ଭଲରେ ସଂସାର ଚଳାଇଥିଲେ । ତେବେ ବିବାହ ସମୟରେ ସିରିଶା ଯୌତୁକ ଆଣିନଥିବାରୁ ଜଗନ୍ନାଥ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା ।
ଏହାକୁ ନେଇ ଅନେକ ସମୟରେ ଦୁହିଁଙ୍କ ଭିତରେ କଳିଝଗଡା ଲାଗିରହୁଥିଲା । ଦୁଇମାସ ତଳେ ଜଗନ୍ନାଥ ବାପା ଘରୁ ତୁରନ୍ତ ୨ଲକ୍ଷ ଟଙ୍କା ଆଣିବାକୁ ସିରିଶାଙ୍କୁ ଧମକାଇଥିଲେ । କିନ୍ତୁ ସିରିଶା ଟଙ୍କା ନଆଣିବାରୁ ଜଗନ୍ନାଥ ତାଙ୍କୁ ମାରଧର କରୁଥିଲା । ତେବେ ଆଜି ସକାଳୁ ଟଙ୍କା ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଜଗନ୍ନାଥ ସ୍ତ୍ରୀ ସିରିଶାଙ୍କୁ ପ୍ରବଳ ମାଡ ମାରିଥିଲା । ଏତିକିରେ ତା’ର ରାଗ ଶାନ୍ତ ହୋଇନଥିଲା । ଘରେ ଥିବା ଏକ ଭୁଜାଲିରେ ସିରିଶାଙ୍କୁ ଆକ୍ରମଣ କରିଥିଲା । ପ୍ରାଣ ବିକଳରେ ସିରିଶା ଏଣେତେଣେ ଦୌଡୁଥିଲା ବେଳେ ଜଗନ୍ନାଥ ତାଙ୍କୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହାଣିଥିଲା । ସ୍ୱାମୀର ଆକ୍ରମଣରେ ସିରିଶାଙ୍କ ଡାହାଣ ହାତର ପାପୁଲି ଅଧା ଛିଣ୍ଡିଯାଇଥିଲା ବେଳେ ମୁଣ୍ଡ, ପିଠିରେ ଗଭୀର କ୍ଷତ ହୋଇଛି । ସାହିପଡିଶା ତାଙ୍କୁ ଅଟକାଇଲା ବେଳକୁ ସିରିଶା ରକ୍ଷା ପାଇଥିଲେ ସିନା ହେଲେ ଗୁରୁତର ଭାବେ ଆହତ ହୋଇଯାଇଥିଲେ ।
ଖବର ପାଇ ଲାଲ୍ବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଅଭିଯୁକ୍ତ ଜଗନ୍ନାଥକୁ କାବୁ କରିନେଇଛି । ସିରିଶାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଶରୀରେ ୫୦ରୁ ଉର୍ଦ୍ଧ୍ବ ଷ୍ଟିଚ୍ ହୋଇଛି । ତାଙ୍କର ଅଧା କଟା ପାପୁଲିକୁ ଯୋଡିବା ପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ମେଡିକାଲ୍ ସୂତ୍ରରୁ ଜଣାପଡ଼ିଛି । ସିରିଶାଙ୍କ ଭାଇର ଏତଲା ଆଧାରରେ ପୁଲି ଏକ ମାମଲା ରୁଜୁ କରିଛି । ଆସନ୍ତାକାଲି ଜଗନ୍ନାଥକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।