ନୂଆଦିଲ୍ଲୀ : ଡଲାର ତୁଳନାରେ ଭାରତୀୟ ଟଙ୍କାର ସାମାନ୍ୟ ମୂଲ୍ୟହ୍ରାସ ଘଟିଛି । ସୋମବାର ଶେଷ ହୋଇଥିବା ଷ୍ଟକ୍ ଏକ୍ସଚେଞ୍ଜ୍ର କାରବାର ଅନୁଯାୟୀ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯.୮୪୬୩ ପହଞ୍ଚିଥିବା ଜଣାପଡିଛି । ଗତଥର ଏହା ୭୯.୮୦୨୫ ରହିଥିଲା । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଟଙ୍କା ତୁଳନାରେ ଡଲାରର ମୂଲ୍ୟ ସର୍ବୋଚ୍ଚ ସୀମାରେ ପହଞ୍ଚିଥିବା ଜଣାପଡିଛି । ଅବଶ୍ୟ ଏହି ଧାରାରେ ବ୍ରେକ୍ ଲଗାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଉଦ୍ୟମ ଚଳାଇଥିବା କୁହାଯାଇଛି । ଭାରତରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୮୦ ବିଲିୟନ ଡଲାର ରହିଥିବାବେଳେ ଏଥିରେ ଆହୁରି ଉନ୍ନତି ଘଟିବା ଜରୁରୀ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି ।
ଅବଶ୍ୟ ଅନ୍ୟ ଏସୀୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଯଥେଷ୍ଟ ଉନ୍ନତ ସ୍ଥାନରେ ରହିଥିବା ଜଣାପଡିଛି । ୟୁରୋପ୍ରେ ଦେଖାଦେଇଥିବା ଶକ୍ତି ସଙ୍କଟ ଏବଂ ରୁଷ୍ରୁ ଆସୁଥିବା ଗ୍ୟାସ୍ ଯୋଗାଣକୁ ବନ୍ଦ ରଖାଯାଇଥିବାରୁ ଏହାର ପ୍ରଭାବ ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅର୍ଥନୀତି ବିଶାରଦମାନେ କହିଛନ୍ତି । ରୁଷ୍ ପକ୍ଷରୁ ୟୁରୋପ୍କୁ ଗ୍ୟାସ୍ ଯୋଗାଣ କଟକଣା ଲାଗୁ କରାଯାଇଥିବାରୁ ୟୁରୋ (ୟୁରୋପୀୟ ମୁଦ୍ରା)ର ବିନିମୟ ମୂଲ୍ୟ ମଧ୍ୟ ୨୦ ବର୍ଷ ମଧ୍ୟରେ ସବୁଠାରୁ ପ୍ରଭାବିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଡଲାର ତୁଳନାରେ ୟୁରୋ ମୂଲ୍ୟ ୧୧୦.୦୨କୁ ବୃଦ୍ଧି ପାଇଛି । ଡଲାର ମୂଲ୍ୟ ବଢିଚାଲିଥିବାରୁ ଭାରତୀୟ ମାର୍କେଟରେ ପୁଞ୍ଜି ବିନିଯୋଗକାରୀ ଓ ରପ୍ତାନୀକାରୀଙ୍କ ଚିନ୍ତା ବଢିଯାଇଛି ।