ଭୁବନେଶ୍ୱର : ରନ୍ଧନ ଗ୍ୟାସ୍ର କ୍ରମାଗତ ଦର ବୃଦ୍ଧି ଘଟି ସିଲିଣ୍ଡର ଦାମ୍ ହଜାରେ ଟଙ୍କା ଟପିଲାଣି । ଏହା ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ହାଣ୍ଡିଶାଳ ଉପରେ ବୋମା ମାଡ଼ ଭଳି । ଏଥିରେ ଅତିଷ୍ଠ ହୋଇ ଗୃହିଣୀମାନେ ତ୍ରାହି ତ୍ରାହି ଡାକିଲେଣି । ଏହା ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ରାଜଧାନୀ ଭୁବନେଶ୍ୱରଠାରେ ଆଜି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଉଭୟ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା ।
ଶୋଭାଯାତ୍ରାକାରୀମାନେ ସମଗ୍ର ଅଶୋକନଗର ଓ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ପରିକ୍ରମା କରିବା ପରେ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିକ୍ଷୋଭକାରୀମାନଙ୍କୁ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ ମୋଦି ସରକାର ତୈଳ ଓ ଗ୍ୟାସ୍ ଦରକୁ ପ୍ରାୟ ପ୍ରତିଦିନ ବଢ଼ାଇ ଲୋକଙ୍କ ମେରୁଦଣ୍ଡକୁ ଭାଙ୍ଗି ଚାଲିଥିବାବେଳେ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ମନ୍ଦିର-ମସ୍ଜିଦ୍ ବିବାଦ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜୋନ ସହସମ୍ପାଦକ କୈଳାସ ପୁହାଣ, ନାନିକା ମୁଣ୍ଡା, ଲୋକନାଥ ଭୋଇ, ପାର୍ବତୀ ଲାଗୁରି, ଅଶୋକ ବାରିକ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଶଙ୍କର ବାରିକ, ଶିବ ବେହେରା, କୁନା ଜାଲି ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।