ନୂଆଦିଲ୍ଲୀ : ୨୦୨୨ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ବର୍ଷ ବୟସ ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଘୋଷଣା କରିଛନ୍ତି । ଟିକାକରଣର ଦୁଇଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧ରୁ ଯୋଗ୍ୟ ବିବେଚିତ ହେଉଥିବା ପିଲାମାନେ କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜୀକରଣ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସନାଲ ହେଲ୍ଥ ଅଥରିଟୀର ସିଇଓ ଆର.ଏସ.ଶର୍ମା କହିଛନ୍ତି । ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୁଲ ଆଇ-କାର୍ଡ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି । ଏହି ବୟସ ବର୍ଗରେ କେତେକ ପିଲାଙ୍କର ଆଧାର କିମ୍ବା ଅନ୍ୟ ପରିଚୟ ପତ୍ର ନଥିବାରୁ ସ୍କୁଲ ଆଇ-କାର୍ଡ ବ୍ୟବହାର ସୁଯୋଗ ଦିଆଯାଉଛି ବୋଲି ସେ କହିଛନ୍ତି ।
ଦେଶରେ ୧୨ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଡିସିଜିଆଇ (ଡଗ୍ର୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଇତିମଧ୍ୟରେ ଅନୁମତି ପ୍ରଦାନ କରିସାରିଛନ୍ତି । ପିଲାଙ୍କ ପାଇଁ ଏହି ଟିକା ଉତ୍ତମ ପ୍ରତିଷେଧକଭାବେ କାର୍ଯ୍ୟ କରୁଛି ବୋଲି କୋଭାକ୍ସିନ୍ର ପରୀକ୍ଷଣରୁ ପ୍ରମାଣିତ ହୋଇସାରିଛି । ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ଜଣାପଡିଛି । ଇତିପୂର୍ବରୁ ଜାଇଡସ୍ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଜାଇକୋଭ୍-ଡି’ ଟିକାକୁ ମଧ୍ୟ ଡିସିଜିଆଇ ମଞ୍ଜୁରୀ ଦେଇସାରିଛନ୍ତି । ଜାଇକୋଭ୍-ଡି’ ଟିକା ମଧ୍ୟ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ।