ମୁମ୍ବାଇ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୋରଦାର ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍କୁ ଏହା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଶକ୍ତ ଧକ୍କା ଲାଗିଛି । ଟିମ୍ର ଦୁଇଜଣ ଖେଳାଳି କୋଭିଡ୍ ସଂକ୍ରମିତ ହେବା କାରଣରୁ ବର୍ମିଂହାମ୍ ଯାତ୍ରା କରିପାରି ନାହାନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବା ପାଇଁ ଯାତ୍ରା କରିବା ପୂର୍ବରୁ ଅନିବାର୍ଯ୍ୟ କୋଭିଡ୍ ଟେଷ୍ଟରେ ଦୁଇଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଫଳରେ ରବିବାର ଯାତ୍ରା କରିଥିବା ଭାରତୀୟ ଟିମ୍ ସହିତ ସେମାନେ ଯାତ୍ରା କରିପାରି ନଥିଲେ । ଏହା ପୂର୍ବରୁ ଟିମ୍ର ଜଣେ ଖେଳାଳି କୋଭିଡ୍ ପଜିଟିଭ୍ ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ । କୋଭିଡ୍ ସଂକ୍ରମିତ ହେବା ଫଳରେ ଏହି ଦୁଇ ଖେଳାଳି ପ୍ରଥମ ଦୁଇଟି ମ୍ୟାଚ୍ରେ ଖେଳିବା ପ୍ରାୟତଃ ଅସମ୍ଭବ । ଭାରତୀୟ ଅଲିମ୍ପିକ୍ ସଂଘର ଜଣେ ଅଧିକାରୀ କହିଛନ୍ତି, ଟିମ୍ ଯାତ୍ରା କରିବା ପୂର୍ବରୁ ଦ୍ୱିତୀୟ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଉଭୟ ଖେଳାଳି ଭାରତରେ ଅଟକିଛନ୍ତି । ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ କୁହାଯାଇଛି ସେମାନଙ୍କ ରିପୋର୍ଟ ନେଭେଟିଭ୍ ଆସିବା ପରେ ଉଭୟ ଖେଳାଳି ଟିମ୍ ସହ ଯୋଗ ଦେଇପାରନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନିଜର ପ୍ରଥମ ମ୍ୟାଚ୍ରେ ଜୁଲାଇ ୨୯ରେ ଅଷ୍ଟ୍ରେଲିଆକୁ ଭେଟିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୩୧ରେ ଖେଳିବ । ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ଅଗଷ୍ଟ ୩ ତାରିଖରେ ବାର୍ବାଡୋସ୍କୁ ଭେଟିବ । ଫାଇନାଲ୍ ସମେତ ସମସ୍ତ ମ୍ୟାଚ୍ ଏଜବାଷ୍ଟନ୍ରେ ହିଁ ଖେଳାଯିବ । ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ଟିକେଟ୍ ପୂର୍ବରୁ ବିକ୍ରି ସରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।