18.1 C
Bhubaneswar
Monday, November 25, 2024
Homeଏକ୍ସକ୍ଲୁସିଭ୍ମଧୁମୟ ବିଶ୍ୱ ଓ କରୋନା ସଂଗ୍ରାମ : ସଂଯୁକ୍ତା ମହାପାତ୍ର

ମଧୁମୟ ବିଶ୍ୱ ଓ କରୋନା ସଂଗ୍ରାମ : ସଂଯୁକ୍ତା ମହାପାତ୍ର

ସମଗ୍ର ସମୟ ଚକ୍ରକୁ ଚାରିଭାଗରେ ବିଭକ୍ତ କରାଯାଇଛି, ଯଥା- ସତ୍ୟ, ତ୍ରେତେୟା , ଦ୍ୱାପର ଓ କଳି । ସତ୍ୟଯୁଗରେ ଲୋକମାନେ ସତ୍ୟ ଧର୍ମର ପୁଜାରୀ ଥିଲେ । ଅର୍ଥାତ ସେମାନେ ଲକ୍ଷ୍ମୀ ନାରାୟଣଙ୍କର ସ୍ୱରୁପ ଥିଲେ । ସଂସାରରେ ପାପ ନଥିଲା । ତ୍ରେତେୟା ଯୁଗରେ ପୁଣ୍ୟ ତିନିପାଦ ଥିବାବେଳେ ପାପ ଏକ ପାଦ ଥିଲା । ତେଣୁ ଲୋକମାନେ ଦାନ, ଧର୍ମ ଓ ଯଜ୍ଞ କରୁଥିଲେ । ଫଳରେ ସାମାଜିକ ଓ ବ୍ୟକ୍ତି ଜୀବନରେ ଥିବା ଏକ ଭାଗ ପାପ ଦୂର ହେଉଥିଲା । ଦ୍ୱାପର ଯୁଗରେ ପୁଣ୍ୟ ଦୁଇ ପାଦ ଓ ପାପ ଦୁଇ ପାଦ । ତେଣୁ ଲୋକମାନେ ଦାନ, ଧର୍ମ ପ୍ରତି ବିଶ୍ୱାସ ରଖୁଥିଲେ ଏବଂ ସାମାଜିକ ଓ ବ୍ୟକ୍ତି ଜୀବନ ସମପରିମାଣରେ ସମନ୍ୱୟ ରଖି ଗତି କରୁଥିଲେ । କିନ୍ତୁ କଳି ଯୁଗରେ ପାପ ତିନି ପାଦ ଓ ଧର୍ମ ଏକ ପାଦ । ପାପର ଆଧିକ୍ୟ ହେତୁ ଲୋକମାନଙ୍କ ମଧ୍ୟରେ ଧର୍ମ , କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଉଥିଲେ ମଧ୍ୟ ଧର୍ମ ଏକ ବିଚାର ଭାବେ ସର୍ବଦା ସାର୍ବଜନୀନ । ପ୍ରତ୍ୟେକ ବ୍ୟକ୍ତିର ଅନ୍‌ଃକରଣରେ ଧର୍ମ ରହିଥାଏ । ମାତ୍ର ସମୟ କ୍ରମେ ଲୋଭ , ମୋହ ହେତୁ ଧର୍ମ ପ୍ରାପ୍ତିର ପଥ ଓ ମତ ଭିନ୍ନ ପ୍ରକାର ହୋଇଯାଏ । ଏହି ପଥ ବା’ ମତକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ମତବାଦ ମୁଣ୍ଡ ଟେକିଥାଏ । କିନ୍ତୁ ପ୍ରତ୍ୟେକ ଧର୍ମର ମୂଳ ଆଧାର ଶାନ୍ତି, ପ୍ରୀତି ,ମୈତ୍ରୀ କରୁଣା ଓ ମାନବବାଦ । ଏହି ମୁଳଭିତ୍ତିକୁ ଅଧାର କରି ବିଭିନ୍ନ ପ୍ରକାରର ପୂଜା, ପାଠ ଓ ଉପଚାରର ସୃଷ୍ଟି ହୋଇଥିଲେ ବି କ୍ରମେ ମଣିଷର ଗୁଣ କର୍ମ ଓ ପ୍ରବୃର୍ତ୍ତିରେ ପରିବର୍ତ୍ତନ ଦେଖାଯାଏ । ଫଳରେ କେତେକ ଯୁକ୍ତିହୀନ , ଅନ୍ଧବିଶ୍ୱାସ ଓ କୁସଂସ୍କାର ଯୁକ୍ତ ଧାର୍ମିକ ପ୍ରଥା ସୃଷ୍ଟି ହୋଇ ଧର୍ମ ଜଗରରେ ଅବକ୍ଷୟ ଓ ଅନାସ୍ଥାଭାବ ଆଣେ । ଧର୍ମକୁ ବିଭିନ୍ନ ଧର୍ମର ପ୍ରଚାରକ ମାନେ କେବଳ ଧାରଣ କରି ନଥାନ୍ତି । ଆଧ୍ୟାତ୍ମିକ ଚିନ୍ତନ ଓ ମାନବିକ ମୂଲ୍ୟବୋଧ ହିଁ ପ୍ରକୃତ ଧର୍ମ ହୋଇଥାଏ, ଯାହାକୁ ଜୀବଧର୍ମ ବା’ ମାନବଧର୍ମ କୁହାଯାଏ । କିନ୍ତୁ ଯୁଗ ଧର୍ମ ଅନୁସାରେ ଏହି ଜୀବଧର୍ମ ବା’ ମାନବ ଧର୍ମ ଦିନକୁ ଦିନ ସଂକୁଚିତ ହୋଇଯାଉଛି । ସମସ୍ତେ ଭୈାତିକ ମାୟା ବନ୍ଧନରେ ବାନ୍ଧି ହୋଇ ପଡିଛନ୍ତି । ତ୍ୟାଗ , ତପସ୍ୟା କୁ ମୋହ, ମାୟାଗ୍ରସ୍ଥ ଭୋଗୀମାନେ ଗ୍ରହଣ କରିପାରୁ ନାହାଁନ୍ତି । ସମଗ୍ର ସୃଷ୍ଟିରେ ନିଜକୁ ସର୍ମଶକ୍ତିମାନ ମନେକରି , ଅନ୍ୟ ସମସ୍ତ ପ୍ରାକୃତିକ ବିଭବକୁ କେବଳ ଧ୍ୱଂସ କରୁନାହିଁ, ଅନ୍ୟ ସମସ୍ତ ଜୀବଜଗତକୁ ନିଜର ଇଛାରେ ପରାଭବ ଦେଉଛନ୍ତିି । ଫଳରେ ପ୍ରାକୃତିକ ସଂନ୍ତୁଳନ ଓ ସାମାଜିକ ଶୃଙ୍ଖଳା ନଷ୍ଟ ହେଉଛି । ଏହାର ଫଳ ସ୍ୱରୁପ ଏବେ ଆମେ ସମସ୍ତେ ଏକ ସନ୍ଧି ଓ ସଂକ୍ରମଣର କାଳଖଣ୍ଡରେ ପହଂଚି ଯାଇଛନ୍ତି ।
ସାମ୍ପ୍ରତିକ ସମୟକୁ ବହୁ ପୂର୍ବରୁ ବହୁ ଦୂରଦ୍ରଷ୍ଟା, ତତ୍ୱଦର୍ଶୀ, ଜ୍ଞାନୀ ମାନେ , ସେମାନଙ୍କ ଜ୍ଞାନ ଚକ୍ଷୁରେ ଦେଖିସାରିଥିଲେ । ସେଥିପାଇଁ ସେମାନେ ମାନବ ସମାଜକୁ ବହୁ ସତର୍କ ସୂଚନା ଦେଇଯାଇଛନ୍ତି । ଏହି ମର୍ମ୍ମରେ ଷୋଡଶ ଶତାବ୍ଦୀର ସନ୍ଥ ସାହିତ୍ୟ ଉଲ୍ଲେଖଯୋଗ୍ୟ, ଯାହାକୁ ପଂଚସଖା ଯୁଗ କୁହାଯାଏ । ସେମାନେ ହେଲେ ବଳରାମ, ଅଚ୍ୟୁତ, ଜଗନ୍ନାଥ, ଅନନ୍ତ, ଯଶୋବନ୍ତ । ଭକ୍ତିଭାବରେ ଏମାନେ ନିଜକୁ ଦାସ ବା’ ସେବକ ଭାବେ ପରିଚିତ କରୁଥିବାରୁ, ଦାସ ସଂଜ୍ଞା ବ୍ୟବହାର କରି ଆଧ୍ୟାତ୍ମିକ ଚେତନାକୁ ରୂଦ୍ଧିମନ୍ତ କରିଯାଇଛନ୍ତି । କୁହାଯାଏ :“ଗାରକଟାଯନ୍ତ୍ର ଜାଣେ ଅନନ୍ତ, ସ୍ୱର ସାଧନା କରେ ଯଶୋବନ୍ତ, ଆଗତନାଗତ ଅଚ୍ୟୁତ ଭଣେ , ବଳରାମ ଦାସ ତତ୍ୱ ବଖାଣେ ।” ଏହାର ଅର୍ଥ ଆଗତନାଗତ ବା’ ସେତେବେଳର ଭବିଷ୍ୟତ କଥାକୁ ୁ ଅଚ୍ୟୁତାନନ୍ଦ ଦାସ ଛଅ ଶହ ବର୍ଷ ପୂର୍ବେ ବର୍ଣ୍ଣନା କରି ଲେଖିଥିଲେ:- ‘ଅଜଣା ଆତଙ୍କ ଆସିବ ମାଡି, କଳି ଭୈରବ ଦେବଲୋ ରଡିି’ ଅର୍ଥାତ ସବୁ ଆଡେ ଭୟର ରଡି ଶୁଣାଯିବ । ଏବେ ବୋଧହୁଏ ସେହି ସମୟ ଉପଗତ ହୋଇଛି । ପ୍ରାକୃତିକ ଓ ସାମାଜିକ ବିକାରଗ୍ରସ୍ତ ଅବସ୍ଥା ହେତୁ ବିଭିନ୍ନ ପ୍ରକାର ଭୁତାଣୁ ଯଥା-ସାରର୍ସ, ଇବୋଲା, ଏଚ. ଆଇ.ଭି, ମାର୍ଭ, କୋଭିଡ, ଇତ୍ୟାଦି ବିଭିନ୍ନ ସମୟରେ ଦେଖା ଯାଉଛି । ଅଚ୍ୟୁତାନନ୍ଦ ପୁଣି ଲେଖିଥିଲେ‘ବହୁ ମହାମାରି ଉଚ୍ଚାଟ ହୋଇଣ , ଗ୍ରାସିବ ସାରା ମେଦିନୀ, ବୁଦ୍ଧିବଳ ସବୁ ବିଫଳ ହୋଇବ ପଥ୍ୟାପଥ ମିଳିବନି ।’ ଏହାର ଅର୍ଥ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ, ସେତେବେଳର ଗଣନା ଭୁଲ ବୋଲି କୁହାଯାଇପାରିବ ନାହିଁ । ସେ ପୁଣି ସମୟ ନିର୍ଦ୍ଧାରଣ କରିବାକୁ ଯାଇ ଲେଖିଥିଲେ- ‘ ବିଂଶ ଊଣା ଏକ , ଦୁଇ କୋଡି ଯୋଖ, ବ୍ରହ୍ମ ସଂଖ୍ୟା ଏକ ମିଶି ତହିଁ, ଏକାଳେ ଜାଣିବୁ ଅକାଳ ଚଡକ , ରହିତୁ ପାରିବୁ ନାହିଁ ।’ ଅର୍ଥାତ ବିଂଶ ଊଣା ଏକ ମାନେ ଉଣେଇସି ସହିତ ଦୁଇଯୋଡା ମିଶାଇଲେ ଚାଳିସି, ଆଉ କୋଡିଏ ସହିତ ଉଣେଇସିରେ ବ୍ରହ୍ମ ସଂଖ୍ୟା ଏକ ମିଶିଲେ ୨୦୨୦ମସିହାକୁ ବୁଝାଏ, ବୋଲି ପଣ୍ଡିତ ମାନେ ହିସାବକରନ୍ତି । ଆହୁରି ସେ ମଧ୍ୟ ଲେଖିଥିଲେ –‘ଦୁଇବିଂଶ ଯେବେ ବରଷ ହୋଇବ, ବହୁ ବିତପାତ ହେବ । ଅଜଣା ବ୍ୟାଧିରେ ବହୁ ନାଶ ଯିବେ ,ମହାମାରି ଘୋଟିଯିବ । କେହି କାହାଘର ନଯିବ ।’ ଏବେର ଗୃହବଂନ୍ଦୀ ଅବସ୍ଥାକୁ ଲକ୍ଷ୍ୟ କରି, ହୁଏତ ସେତେବେଳେ କୁହାଯାଇଥିବା ମଧ୍ୟ କୁହାଯାଏ । ଶିଶୁ ଅନନ୍ତ ଦାସ ଠାର ଗାରରେ ଲେଖିଛନ୍ତି- ‘ ଏମିତି ସମୟ ଆସିବ ,ବଳଦ ସମାନ ମଣିଷ ହୋଇବ, ମୁହେଁ ଲଗାଇବ ତୁଣ୍ଡି ।’ ଉପରୋକ୍ତ କଥା ସେତେବେଳେ ଲେଖାହୋଇଥିଲା ବେଳେ , ଏବେ ମୁହଁରେ ମାକ୍ସ ପିନ୍ଧିବାର କଥା ସତ୍ୟ ମନେ ହେଉଛି । ଓଡିଆଜାତିର ବେଦ ଶ୍ରୀମଦ ଭାଗବତରେ , ଜଗନ୍ନାଥ ଦାସ ଲେଖିଛନ୍ତି :-‘ଜୀବରେ ଯାର ଦୟା ନାହିଁ , ଉଦ୍ଧବ ଚଣ୍ଡାଳ ଟି ସେଇ । ‘ ଏହି ଭୟାବହ ପରିସ୍ଥିତିରୁ ଉଦ୍ଧାର ପାଇବା ବାଟ ମଧ୍ୟ ସେ ସ୍ୱୟଂ ଭଗବାନଙ୍କ ମୁହଁରେ କହଛନ୍ତିି “ ଯେ ମୋର ଚରଣ ଚିନ୍ତଇ, ତା’ର କଳିଭୟ ନାହିଁ ।”ଏବେ ଜାତି ସଂଘ ମଧ୍ୟ ତଦନୁରୂପ କହୁଛି ଯେ ବାଇବେଲ ରେ ମଧ୍ୟ ଏହିପରି ଘଟିବ ବୋଲି ବର୍ଣ୍ଣନା ରହିଛି । କୋରାନ ମଧ୍ୟ କହେ ଆଲ୍ଲା ବର୍ତ୍ତମାନର ମାନବୀୟ କାର୍ଯ୍ୟରେ ଅସନ୍ତୁଷ୍ଟ । ତେଣୁ ତାଙ୍କର କୋପ ମାନବ ସମାଜ ଉପରେ ଅନୁଭୁତ ହେଉଛି । ଜନ୍ମ ମୃତ୍ୟୁ ରୋଗ ଶାସ୍ତ୍ର କହେ ପର୍ଯ୍ୟାୟ କ୍ରମେ ଜନ୍ମ ମୃତ୍ୟୁ ରୋଗର ତୃତୀୟ ସ୍ଥିତିରେ ଏମିତି ମହାମାରୀ , ଖାଦ୍ୟାଭାବ ଆଦି ଦେଖାଯିବ ।
ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ୧୯୧୮ମସିହାରେ ସ୍ପାନିସ୍ ଫ୍ଲୁ ଦ୍ୱାରା ୫୦୦ କୋଟି ଲୋକ ଆକ୍ରାନ୍ତ ହୋଇ ୧୦-୫୦ କୋଟି ଲୋକ ମୃତ୍ୟୁ ବରଣ କରିଥିଲେ । ଏହା ମଧ୍ୟରେ ଏକ ଶତାବ୍ଦୀ ଅବ୍ୟବହିତ ହୋଇଛି । କିନ୍ତୁ ହେତୁବାଦୀ ମାନେ ଯୁକ୍ତି କରନ୍ତି ଯେ ଏସବୁ ଅନ୍ଧବିଶ୍ୱାସ । ଲୋକ ମାନଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରାଯିବା କଥା ସେମାନେ କହି ସମାଲୋଚନା କରନ୍ତି । ପ଼ରିବେଶ ବିତ୍ ମାନେ କୁହନ୍ତି କ୍ରମବର୍ଦ୍ଦିଷ୍ଣୁ ମାନବ ନିଜର ଅଭାବ ପୂରଣ ନିମନ୍ତେ ପରିବେଶ ଉପରେ ଅତ୍ୟଧିକ ଚାପ ପକାଉଥିବାରୁ , ପରିବେଶ ସନ୍ତୁଳନ ନଷ୍ଟ ହେଉଛି, ଜୀବଜଗତ ବେସାହାରା ହୋଇ ଧ୍ୱଂସ ପାଉଛନ୍ତି । ଫଳରେ ପ୍ରାକୃତିକ ଦୁର୍ବିପାକ ବ୍ୟାପିବାର କାରଣମାନ ସୃଷ୍ଟି ହେଉଅଛି । ମଣିଷ ଯେମିତି ପ୍ରକୃତିର ଅଂଶ , ଅନ୍ୟ ପଣୁପକ୍ଷୀମାନେ ମଧ୍ୟ ସେମିତି । ତେଣୁ ସେମାନଙ୍କର ବଂଚିବାର ଅଧୀକାର ଅଛି । ସମସ୍ତଙ୍କୁ ନେଇ ସୁନ୍ଦର ଜୀବଜଗତ ସୃଷ୍ଟି ହୋଇଛି । ସେଥିପାଇଁ ଜୈନ ଧର୍ମ ଓ ବୈାଦ୍ଧ ଧର୍ମରେ ପଶୁ ହତ୍ୟା ନିଷେଧ କରାଯାଇଛି । ବୈଦିକ ସଂସ୍କୃତି ମଧ୍ୟ ଜୀବେ ଦୟାକୁ ଅଗ୍ରାଧିକାର ଦେଇଧାଏ ।
ଆଜିର ମଣିଷ ସର୍ବଭକ୍ଷୁ ସାଜି ଜୀବନ୍ତ ପ୍ରଣୀଙ୍କୁ ଆହାର କରିବା ପ୍ରକୃତିର ବିଡମ୍ବନା ହୋଇଥଇବାରୁ , ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ସମ୍ପର୍କରେ ମାଳିକାରେ ବହୁ ପୁର୍ବରୁ କୁହାଯାଇଛି : ଉତ୍ତରେ ବର୍ଷିବ, ଦକ୍ଷିଣେ ଗାଜିବ ,ପୂର୍ବେ ନରହିବେ କେହି,ଛାଡବାଡ ଘେନି ଯେତିକି ରହିବେ , କୁଳକୁ ବିହନ ସେହି ।’ ଆହୁରି ମଧ୍ୟ ପରିସଂସ୍ଥା ବିଜ୍ଞାନର ପିତା ଭାବେ ପରିଚିତ ରାମଦେଓ ମିଶ୍ର କହିଛନ୍ତି ‘ପାହାଡ, ପର୍ବତ, ନଦୀ, ଓ ଜଙ୍ଗଲ ମାନଙ୍କର ଜୀବନ ଅଛି । ତେଣୁ ପ୍ରକୃତି କୋଳରେ ରହିବାର ସମସ୍ତଙ୍କର ଅଧିକାର ଅଛି । ବିଜ୍ଞାନ ମଧ୍ୟ କୁହେ ଜଡ ମଧ୍ୟରେ ଜୀବନ ବିଦ୍ୟମାନ । ଏଥିରେ ବ୍ୟାଘାତ , ଆସିଲେ ପ୍ରକୃତି ନିଜେ ନିଜକୁ ସଜାଡିବା ନିମନ୍ତେ ଭୟଙ୍କର ହୋଇଥାଏ । ଏହି ପ୍ରସଙ୍ଗରେ ପରିବେଶ ବିତ୍ ପ୍ରଫେସର ଅଜୟ କୁମାର ନନ୍ଦ କୁହନ୍ତି ପରିବେଶ ଓ ପଶୁ ସୁରକ୍ଷିତ ରହିଲେ , ସ୍ୱଂୟ ଭଗବାନ ମଧ୍ୟ ଆମକୁ ମାରିପାରିବେ ନାହିଁ । ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ‘ସ୍ୱଚ୍ଛତା ହିଁ ଭଗବାନ’ ଆଉ ପ୍ରଧାନ ମନ୍ତ୍ରୀ କହିଛନ୍ତି ‘ସ୍ୱଚ୍ଛତା ହିଁ ସେବା ।’ ଶ୍ରୀମଦ୍ ଭାଗବତରେ କୁହାଯାଇଛି –‘ ଯେ ମୋର ଚରଣ ଚିନ୍ତଇ, ସଂସାରେ ତା’ର ଭୟ ନାହିଁ । ‘ ଅର୍ଥାତ ସ୍ୱଚ୍ଛତା ରୂପକ ଭଗବାନଙ୍କୁ ଚିନ୍ତା କଲେ, ମହାମାରୀ ରୂପକ ଭୟ ଦୂର ହେବ । ସୁନ୍ଦର ମାନବ ସଭ୍ୟତା ବଂଚି ରହିବ । ଏବେ ଆମେ ବିଚାର କରିବା ଯେ କରୋନା ମହାମାରୀ ଚୀନରୁ ପଶୁ ମାନଙ୍କ ଠାରୁ ସୃଷ୍ଟିବୋଲି ଅନୁମାନ କରାଯାଏ । ଏବେ ସମଗ୍ର ବିଶ୍ୱର ସବୁ ବୁଦ୍ଧିବିଦ୍ୟା କରୋନା ପାଖରେ ହାର ମାନିଛି । ଏହା ପା ଇଁ କୈାଣସି ପ୍ରତିଷେଧକ ନାହିଁ , କେବଳ ପ୍ରତିରୋଧ ହେଲା ଆମର ଏକମାତ୍ର ଭରସା । ଲୋକମାନଙ୍କ ସୁରକ୍ଷା ପାଇଁ ସରକାର ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଉ ଏହାକୁ କାର୍ଯ୍ୟକାରି କରିବାକୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏବେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ଲଢୁଛି । ଭାଗବତରେ କୁହାଯାଇଛି ।’ ସର୍ବେ ହୋଇବେ ଏକାକାର , ବେଦରେ ନଥିବ ବିଚାର ।’ ଏହା ମଧ୍ୟ ସତ ମନେ ହେଉଛି ।
ଆକଳନରୁ ଜଣାଯାଏ କରୋନା ପ୍ରଭାବରେ ମୃତ୍ୟୁ ଭୟ ଅପେକ୍ଷା ତୀବ୍ର ସଂକ୍ରମଣର ଭୟ ସାରା ବିଶ୍ୱକୁ ଅସହାୟ କରିଦେଇଛି । ତେଣୁ ଆମକୁ ଆମର ଜୀବନ ଶୈଳୀ ବଦଳାଇବାକୁ ପଡିବ । ଘରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ଆତ୍ମମଗ୍ନ ହୋଇ ନିଜକୁ ଖୋଜିବାକୁ ପଡିବ । ଜୀବନ ପରିଚର୍ଯ୍ୟା ରେ ସୁଧାର ଆଣିବାକକୁ ହେବ । ଯୋଗ ପ୍ରାଣାୟମକୁ ଦୈନନ୍ଦିନ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରି ଶରୀରର ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ପଡିବ । ପ୍ରତିଦିନ ଅତିକମରେ ଭତ୍ସିକା ପାଂଚ ମିନିଟ ଅନୁଲୋମ ବିଲୋମ ଅଧଘଂଟାଏ, ଉଜ୍ଜାଇ ପାଂଚ ମିନିଟ ଓ କପାଳଭାତି ଅଧଘଂଟାଏ କରିବା ସହିତ ବାୟୁମୁଦ୍ରା, ଜ୍ଞାନ ମୁଦ୍ରା,ଲିଙ୍ଗ ମୁଦ୍ରା, ଅପାନମୁଦ୍ରା , ବାୟୁ ମୁଦ୍ରା,ଭ୍ରମରି ମୁଦ୍ରା,ପ୍ରାଣ ମୁଦ୍ରା ସହିତ ମକରାସନ, ଭୁଜଙ୍ଗାସନ, ମର୍କଟାସନ, ସଲଭାସନ ଓ ଏକୁପ୍ରେସର ଚିକତ୍ସା ଆଦି ଉପଯୁକ୍ତ ଭାବେ ଶିକ୍ଷା ଗ୍ରହଣ କରି କରିବା ଉଚିତ । ନଚେତ ଦୁରଦର୍ଶନରୁ ଦେଖି କରିପାରିବା । ଆମେ ମାନେ ସବୁ ଯୋଗୀଋଷି ମାନଙ୍କ ବଂଶଧର । ଆମର ପବିତ୍ର , ସ୍ୱଚ୍ଛ ଜୀବନ ଶୈଳୀ, ଯୋଗୁ ପରିବେଶର ପ୍ରଦୁଷଣ ମଧ୍ୟ କମଯିବି । ପରିବେଶ ସୁରକ୍ଷା ସହିତ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଲେ ସବୁଭୟ ଆପେ ଆପେ ଦୂର ହୋଇଯିବ । ଏଣୁ ଆମ ବିଚାରରେ କରୋନା ଆଧୁନିକ ବିଶୃଙ୍ଖଳିତ ଜୀବନ ନିମନ୍ତେ ଏକ ଚେତାବନି । ଏହାକୁ ଆମେ ସତର୍କତାର ସହିତ ଗ୍ରହଣ କରିବା, କରୋନାକୁ ଭୟ ନକରି ନିଜକୁ ସୁଧାରି ନେବା । ଆଉ ମଧୁମୟ ବିଶ୍ୱ ଗଠନରେ ସକ୍ରିୟ ଭାଗିଦାର ହେବା । ମାନବ ଧର୍ମକୁ ବିଶ୍ୱଧର୍ମ ଭାବେ ଆପଣେଇ, ଆମେ ସବୁ ମହାମାନବ ହେବାର ରାସ୍ଥାକୁ ପ୍ରଶସ୍ତ କରିବା ସ୍ୱଚ୍ଛ ଭାରତ, ସମୃଦ୍ଧ ଭାରତ, ଅତ୍ମନିର୍ଭରଶୀଳ ଭାରତ ଗଠନରେ ସହାୟକ ହୋଇପାରିବା ।
– ଯାଜପୁର, ମୋ ୯୬୫୮୪୮୨୦୧୪
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking