ସିଙ୍ଗାପୁର : ସିଙ୍ଗାପୁରରେ ପୁଣି କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି। ଏଭଳି ପରିସ୍ଥିତିରେ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗ ଚେତାବନୀ ଦେଇଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଆହୁରି ଅଧିକ ଲୋକ ଅସୁସ୍ଥ ହୋଇପାରନ୍ତି। କରୋନାରେ ସଂକ୍ରମିତ ହେବା କାରଣରୁ ରୋଗୀ ସଂଖ୍ୟା ବଢ଼ିପାରେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆକଳନ ଅନୁସାରେ, ତିନି ସପ୍ତାହ ପୂର୍ବରୁ କରୋନା ମାମଲା ପାଖାପାଖି ୧୦୦୦ ଥିଲା, ଯାହାକି ଗତ ଦୁଇ ସପ୍ତାହ ମଧ୍ୟରେ ୨୦୦୦କୁ ବୃଦ୍ଧି ପାଇଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ସହ ଜଡିତ ନୂଆ ମାମଲା ଆସିଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାରର ଭ୍ୟାରିଏଣ୍ଟ୍ ଦେଖିବାକୁ ମିଳୁଛି। ପ୍ରଥମଟି ହେଉଛି ଇଜି.୫ ଏବଂ ଦ୍ୱିତୀୟଟି ଏଚକେ.୩। ଏହି ଦୁଇଟି ଯାକ ଏକ୍ସବିବି ଓମିକ୍ରନରୁ ଉତ୍ପନ୍ନ ହୋଇଛି। କରୋନା ସଂକ୍ରମଣର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏହି ମାମଲାଗୁଡ଼ିକରେ ୭୫% ରୋଗୀ ଉଭୟ ଭ୍ୟାରିଏଣ୍ଟରେ ସଂକ୍ରମିତ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବଢ଼ୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। କିନ୍ତୁ ବର୍ତ୍ତମାନ ସିଙ୍ଗାପୁର ସରକାରଙ୍କର କୌଣସି ସାମାଜିକ ପ୍ରତିବନ୍ଧକ ଲଗାଇବା ନେଇ ଯୋଜନା ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏହାକୁ ଏକ ଏଣ୍ଡେମିକ୍ ରୋଗ ଭାବରେ ବିବେଚନା କରିବୁ। କରୋନାଠାରୁ କିପରି ରକ୍ଷା ମିଳିପାରିବ, ତାହା ଆମକୁ କାହାକୁ ଜଣାଇବାର ଆବଶ୍ୟକ ନାହିଁ। କିନ୍ତୁ ଏହି ନୂତନ ଭ୍ୟାରିଏଣ୍ଟ ଗମ୍ଭୀର ହେବାର ଆଶଙ୍କା ରହିଛି। ଡବ୍ଲୁଏଚଓ ରୁ ମିଳିଥିବା ତଥ୍ୟ ମୁତାବକ, ସିଙ୍ଗାପୁରରେ କରୋନା ମହାମାରୀ ଆରମ୍ଭରୁ ୨୦୨୩ ଅକ୍ଟୋବର ୪ ପର୍ଯ୍ୟନ୍ତ ମୋଟ ୨,୫୯୪,୮୦୯ ମାମଲା ରେକର୍ଡ କରାଯାଇଛି। ଦେଶରେ ମୃତ୍ୟୁ ସଂଖ୍ୟା ୧,୮୭୨ ଥିଲା।