ୟୁପି : ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଦେଖାଯାଇଛି | ପୂର୍ବରୁ ୪ ଜଣ ଆତ୍ମହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । କ୍ୱାରେଣ୍ଟାଇନରେ ଥିବା ଜଣେ ୨୩ ବର୍ଷୀୟ ଶ୍ରମିକ ଖସି ପଳାଇଯାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଏହାକୁ ମିଶାଇ କରୋନା ଭାଇରସ ସହ ଜଡ଼ିତ ଘଟଣାରେ ୫ ଜଣ ଆତ୍ମହତ୍ୟା କଲେଣି । ମଥୁରାରେ ଜଣେ ଚାଷୀ ଥଣ୍ଡା ଓ ଜ୍ୱର ହେବାରୁ କରୋନା ଭୟରେ ଗତ ମଙ୍ଗଳବାର ଆତ୍ମହତ୍ୟା କରିଥିଲେ। ଗତ ୨୪ ତାରିଖରେ କାନପୁରରେ ଜଣେ ଯୁବକ ଏବଂ ହାପୁର ଓ ବରେଲୀରେ ମଧ୍ୟ ଦୁଇ ଜଣ ଯୁବକ କରୋନା ଆକ୍ରାନ୍ତ ହେବା ଭୟକରି ଆତ୍ମହତ୍ୟା କରିଥିଲେ |
ମିଳିଥିବା ଖବର ଅନୁଯାୟୀ ମାର୍ଚ୍ଚ ୨୮ରେ ଏହି ଯୁବକଙ୍କ ସହ ୬ ଜଣ ଶ୍ରମିକ ଗୁରୁଗ୍ରାମରୁ ଫେରିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ସମସ୍ତଙ୍କୁ ଗାଁ ନିକଟ ସ୍କୁଲରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ହଲରେ ରଖାଯାଇଥିଲା। ଏଠାରେ ରହିବା ଅବସ୍ଥାରେ ଶ୍ରମିକ ଜଣଙ୍କ ଦୁଇଥର ଏଠାରୁ ଖସିବାକୁ ଚେଷ୍ଟା କରିଥିଲେ। ହେଲେ ଅଧିକାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ମଙ୍ଗଳବାର ମଧ୍ୟାହ୍ଣରେ ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା।ଏହା ଜାଣିପାରି ସେ ଘରୁ ମଧ୍ୟ ଫେରାର ହୋଇଯାଇଥିଲେ। ଶେଷରେ ଗାଁ ମୁଣ୍ଡ ଗଛରେ ତାଙ୍କ ଝୁଲାନ୍ତା ମୃତଦେହ ଠାବ ହୋଇଛି।