ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଓଡ଼ିଶାକୁ ଆସୁଛି କୋରନା ଟୀକା କୋଭିସିଲ୍ଡ । ଏହା ପୁନେରୁ ଭୁବନେଶ୍ୱରକୁ ଏକ ସ୍ପାଇସ ଜେଟ ଯୋଗେ ଆସି ପହଞ୍ଚିବ । ଆଜି ଅପରାହ୍ନ ୪.୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଏହି ଟିକା । ଏହାନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଆଜି ଯାଏଁ କୋରନାକୁ ନେଇ ଯେଉଁ ଆଲୋଚନା ଓ ଚିନ୍ତା ପ୍ରକଟ କରାଯାଉଥିଲା ସେହି ବିପଦ ଏବେ ଦୁର ହେବା ଆଶା କରାଯାଉଛି ।
ଆଜି ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଏହି ଟୀକା ପୁନେରୁ ଭୁବନେଶ୍ୱର , ଚେନ୍ନାଇ, କୋଲକାତା , ଗୌହାଟି ,ବିଜୟୱାଡ଼ା , ଅହମ୍ମଦାବାଦ ,ପାଟନା କୁ ଯାଉଛି । କୋରନା ଟୀକା ଆସିବା ପରେ ରାଜ୍ୟର ଷ୍ଟୋରେଜ ୟୁନିଟରେ ଏହା ସଂରକ୍ଷିତ ହୋଇ ରହିବ । ଏହାପରେ ଟୀକା କରଣ ପାଇଁ ଯେଉଁ ୧୬୦ ଟି ଟିକା କରଣ କେନ୍ଦ୍ର ଠିକ କରାଯାଇଛି ସେହିି ସ୍ଥାନକୁ ପଠାଯିବ ।
ସୂଚନା ଅନୁସାରେ ଏହି କେଭିସିଲ୍ଡ ଟୀକାର ଗୋଟିଏ ସିସିରେ ୧୦ ଜଣଙ୍କ ପାଇଁ ଡ଼ୋଶ ରହିଛି । ମୋଟ ୪୦ ହଜାର ୮୦୦ ସିସି ଏବେ ରାଜ୍ୟକୁ ଆସିବ । ଏହି ହିସାବରେ ମୋଟ ୪ ଲକ୍ଷ ୮ ହଜାର ଡୋଶ ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ଅଣାଯାଉଛି । ଏହି ଟୀକା କରଣରେ ଜଣେ ବ୍ୟକ୍ତିକୁ ୨ ଟି ପର୍ଯ୍ୟାୟରେ ଟୀକା ଦିଆଯିବ । ପ୍ରଥମ ଦିନ ଡୋଶ ନେବାର ୨୮ ଦିନ ପରେ ଆଉ ଏକ ଡୋଶ ନେବାର ବ୍ୟବସ୍ଥା ରହିଛି । ଏହି ଟୀକାର ପରିମାଣକୁ ନେଇ ପ୍ରାୟ ୨ ଲକ୍ଷ ଲୋକ ଓଡ଼ିଶାରେ ଟୀକା ନେଇପାରିବେ ବୋଲି ଆଶା କରାଯାଉଛି । ଆସନ୍ତା ୧୬ ତରିଖରୁ ଏହି ଟୀକା କରଣ ଆରମ୍ଭ କରାଯିବ । ଏନେଇ ସୁଚନା ଦେଇଛନ୍ତି ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ।