ଭୁବନେଶ୍ୱର- ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ଶିଝୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମସ୍ୟା ପ୍ରତି ଉଦାସୀନ ରହି ଦାଉ ସାଜୁଛନ୍ତି ।ରାଜ୍ୟ ବିଜେଡ଼ି ସରକାର ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ସମଗ୍ର ରାଜ୍ୟରେ ଘନ ଘନ ବିଜୁଳି କାଟ ଓ ଲୋ ଭୋଲଟେଜ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡ଼ିଛି । ଭିତିଭୂମି ଅଭାବ ହେତୁ ବିଜୁଳି ଯୋଗାଇବା ବ୍ୟାହତ ହେଉଥିବା ସ୍ଵୟଂ ଶକ୍ତିମନ୍ତ୍ରୀ ସ୍ଵୀକାର କରିଛନ୍ତି । ରାଜ୍ୟ ରାଜଧାନୀ ମଧ୍ୟ ବିଜୁଳି ବିଭ୍ରାଟର ପୀଡ଼ା ଭୋଗୁଛି । ଭିତିଭୂମି ବାବଦରେ ବ୍ୟୟ ବରାଦ ହୋଇଥିବା ୨୦ ହଜାର କୋଟିର ସଦୂପଯୋଗ ବାବଦରେ ସାଧାରଣରେ ପ୍ରଶ୍ନ ଉଠିଛି । କଂଗ୍ରେସ ଏ ସଂକ୍ରାନ୍ତରେ ଶ୍ଵେତପତ୍ର ଦାବି କରିଛି । ଏଥି ସାଙ୍ଗକୁ ବିଜୁଳି ଦେୟ କ୍ଷେତ୍ରରେ ସାଧାରଣ ଖାଉଟିଙ୍କୁ ଶୋଷଣ କରାଯାଉଛି । ଗତ କଂଗ୍ରେସ ସରକାରଙ୍କ ସମୟର ବିଦ୍ୟୁତ ଦେୟ ତୁଳନାରେ ଏହା ୨୫୦ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିଣାମ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ *ଆସନ୍ତା ଜୁନ ୧୯, ସୋମବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ଵରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ* ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ ଓ ଘେରାଉ କରାଯିବାର ନିଷ୍ପତି ନିଆଯାଇଛି ।
ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆସନ୍ତା ୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ,ଦଳର ସମସ୍ତ ଛାମୁଆ ସଂଗଠନ ଏବଂ ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଯୋଗଦେବା ପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି।ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ବିଜୁଳି ଉପଭୋକ୍ତା ଓ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି.