18.1 C
Bhubaneswar
Saturday, November 23, 2024
Homeଓଡିଶାଶିମିଳିପାଳର ନିଆଁ ପାଇଁ ବନ ବିଭାଗ ଦାୟୀ : କଂଗ୍ରେସ

ଶିମିଳିପାଳର ନିଆଁ ପାଇଁ ବନ ବିଭାଗ ଦାୟୀ : କଂଗ୍ରେସ

 ପିସିସି ଦ୍ୱାରା ନିଯୁକ୍ତ ତଥ୍ୟ ଅନୁସନ୍ଧାନକାରୀ ଦଳର ଶିମିଳିପାଳ ଜଙ୍ଗଲ ନିଆଁ ସଂପର୍କରେ
ରିପୋର୍ଟ
 ଜଙ୍ଗଲ ବିଭାଗ ନାମରେ ୧୦ଟି ଅଭିଯୋଗ ଆଣିଲା କଂଗ୍ରେସ
 ସରକାର କ୍ଷୟକ୍ଷତି ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ
ଭୁବନେଶ୍ୱର:ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ଶିମିଳିପାଳ
ଜଙ୍ଗଲର ନିଆଁକୁ ଅନୁଧ୍ୟାନ କରି ଆସିବା ପରେ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ
ସମ୍ମିଳନୀରେ ବନ ବିଭାଗ ବିରୋଧରେ ୧୦ଟି ଅଭିଯୋଗ ଆଣିଛନ୍ତି ।
୧. ନିଆଁ ନିୟନ୍ତ୍ରଣାଧିନ ଅଛି ବୋଲି ବନ ବିଭାଗ ଯେଉଁ ଦାବି ବାରମ୍ବାର କରି ଆସୁଛି ତାହା ସତ୍ୟ ଉପରେ
ଆଧାରିତ ନୁହେଁ । ନାସାର ସାଟେଲାଇଟ୍ ରିପୋର୍ଟ ଯେତେବେଳେ ସମସ୍ତଙ୍କୁ ଚକିତ କଲାଭଳି ଶିମିଳିପାଳ
ଜଙ୍ଗଲ ନିଆଁର ଦୃଶ୍ୟ ଦେଖାଉଥିଲା ସେତେବେଳେ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ, ପିସିସିଏଫ୍ ଓ
ପିସିସିଏଫ୍ ୱାଇଲ୍ଡ ଲାଇଫ୍ ନିଆଁ ନିୟନ୍ତ୍ରଣରେ ଅଛି ବୋଲି କହିବା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ।
୨. ଗତ ମାର୍ଚ୍ଚ ୩ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲିଙ୍ଗରାଜ ହୋତା ରାଜ୍ୟର
ଡିଏଫ୍‌ଓ ମାନଙ୍କୁ ଏକ ପତ୍ର ଲେଖି ଜଣାଇଲେ ଯେ ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିଥିବା ୬୦ ପ୍ରତିଶତ
ଅଂଚଳରେ ଜଙ୍ଗଲ ବିଭାଗ ପହଂଚିବାରେ ସକ୍ଷମ ହୋଇଛି ଏବଂ ଆଉ ୪୦ ଭାଗରେ ବିଭାଗ ପହଂଚି
ପାରିନାହିଁ । ସେ ଏଭଳି ପତ୍ର ଡିଏଫ୍‌ଓ ମାନଙ୍କୁ ଲେଖୁଥିଲାବେଳେ ସେହି ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ
ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୁତ ସମୀକ୍ଷା ବୈଠକରେ ନିଆଁ ନିୟନ୍ତ୍ରଣରେ ଅଛି ବୋଲି କହିବା କେତେ
ଯୁକ୍ତିଯୁକ୍ତ । ଏହା ଜଙ୍ଗଲ ଓ ପରିବେଶ ବିଭାଗ ଭିତରେ ସମନ୍ୱୟର ଅଭାବକୁ ପଦାରେ ପକାଇଛି ।
୩. ବର୍ତମାନ ଉଭୟ ପିସିସିଏଫ୍ (ଜେନେରାଲ) ଓ ପିସିସିଏଫ୍ (ୱାଇଲ୍ଡ ଲାଇଫ୍‌) ପଦବୀ ଖାଲି ପଡିଛି ଏବଂ
କାମଚଳା ପିସିସିଏଫ୍ କାର୍ଯ୍ୟ ତୁଲାଉଛନ୍ତି । ସରକାର ଦକ୍ଷ ପିସିସିଏଫ୍ ନିଯୁକ୍ତ ନକରିବା ଜଙ୍ଗଲ ବିଭାଗର
ପ୍ରଶାସନିକ ଅବହେଳା ପାଇଁ ଦାୟୀ, ଯାହା ଫଳରେ ନିଆଁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସରକାର ବିଫଳ
ହୋଇଛନ୍ତି ବୋଲି ଉପଲବ୍ଧ ହୁଏ ।
୪. ଶିମିଳିପାଳ ଅଭୟାରଣ୍ୟ ଦାୟିତ୍ୱରେ ଥିବା ଉପନିର୍ଦ୍ଦେଶକ ୪ ବର୍ଷ ଧରି ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି
ସହିତ ସଂପୃକ୍ତ ବୋଲି ବାରମ୍ବାର ଅଭିଯୋଗ ଆସିଛି । ତାଙ୍କ ଅଧିନରେ ଥିବା ଜଙ୍ଗଲ ବିଭାଗର
କର୍ମଚାରୀମାନଙ୍କ ଭିତରେ ମଧ୍ୟ ସେ ଉପଯୁକ୍ତ ସମନ୍ୱୟ ରଖିପାରିନାହାନ୍ତି ବୋଲି ଅଭିଯୋଗ ହୋଇଛି । ମାତ୍ର
ସରକାର ତାକୁ ଜାଣିଶୁଣି ଆଖି ବୁଜି ଦେଇଛନ୍ତି ଏବଂ ବିହୀତ ପଦକ୍ଷେପ ନେଇନାହାନ୍ତି । ଯାହାର ଫଳସ୍ୱରୂପ
ଶିମିଳିପାଳ ଜଙ୍ଗଲର ନିଆଁ ଅଣାୟତ ହୋଇଛି ।
୫. ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ ପ୍ରତିଷେଧମୂଳକ ଭାବରେ ବିଭିନ୍ନ
ପଦକ୍ଷେପ ନିଆଯାଇଥାଏ । ଚଳିତ ବର୍ଷ ଏଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ ।
୬. ଜଙ୍ଗଲର ସୁରକ୍ଷା ଓ ଜଙ୍ଗଲ ନିଆଁକୁ ରୋକିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦା ବିଶେଷକରି ବନସୁରକ୍ଷା ସମିତି,
ଜଙ୍ଗଲ ସୁରକ୍ଷା କମିଟି, ଇକୋ ଡେଭଲପମେଂଟ କମିଟି ଇତ୍ୟାଦି ଅନୁଷ୍ଠାନଗୁଡିକର ଭୂମିକା ଅତ୍ୟନ୍ତ
ଗୁରୁତ୍ୱପୂର୍ଣ୍ଣ । ମାତ୍ର ଜଙ୍ଗଲ ବିଭାଗର ଅଫିସରମାନଙ୍କର ଏଥିପ୍ରତି ଉଦାସୀନତା ଓ ଗୁରୂତ୍ୱର ଅଭାବ
ଅକ୍ଷମଣୀୟ ।
୭. ଜଙ୍ଗଲ ବିଭାଗ ଶିମିଳିପାଳ ଅଂଚଳରେ ୫୦୦ ଜଙ୍ଗଲ ସୁରକ୍ଷା ସହାୟକମାନଙ୍କୁ ପୂର୍ବରୁ ନିଯୁକ୍ତି ଦେଇଥିଲେ ।
ଏମାନଙ୍କ ଭିତରୁ ଅଧିକାଂଶ ସ୍ଥାନୀୟ ଅଂଚଳର ଅଧିବାସୀ ନୁହଁନ୍ତି । ବାହାରୁ ସେମାନଙ୍କୁ ଆଣି ଜଙ୍ଗଲ ସଂରକ୍ଷଣ
ଦାୟିତ୍ୱ ଦେବା କେତେ ଯୁକ୍ତିଯୁକ୍ତ । ସେମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତା ଓ କେଳେଙ୍କାରୀ ବିଷୟରେ
ସରକାର ଅବଗତ ଥିଲେ କି ନାହିଁ?କୋଭିଡ୍ ସମୟରେ ସେମାନଙ୍କ ଭିତରୁ ୨୫୦ ଜଣଙ୍କୁ ଚାକିରୀରୁ ଛଟେଇ
କରାଯାଇଛି । ସରକାରଙ୍କ ଗୋଚରରେ ଏହି ଜଙ୍ଗଲ ସୁରକ୍ଷା ସହାୟକମାନଙ୍କ ନିଯୁକ୍ତି ଓ ଛଟେଇ ହୋଇଥିଲା
କି?
୮. କାମଚଳା ପିସିସିଏଫ୍ (ୱାଇଲ୍ଡ ଲାଇଫ୍‌) ଦାବି କରିଛନ୍ତି ଯେ ଏହି ଜଙ୍ଗଲ ନିଆଁରେ ବନ୍ୟ ଜନ୍ତୁମାନଙ୍କର
କୌଣସି କ୍ଷତି ହୋଇନାହିଁ । ଏହା କେତେଦୂର ଯଥାର୍ଥ । ନିଆଁ ଲାଗିଥିବା ଅଂଚଳରେ କେତେ ସାପ ଓ ସରୀସୃପ
ଜାତୀୟ ପ୍ରାଣୀ ଥିଲେ ତାହା ପିସିସିଏଫ୍‌କୁ ଜଣାଥିଲା କି?
୯. ସରକାର ଶିମିଳିପାଳ ଏବଂ ରାଜ୍ୟର ଅନ୍ୟ ଜାଗାରେ ଜଙ୍ଗଲରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବା ପାଇଁ
ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏଥିରେ ଆଦିବାସୀ ବା ବନବାସୀ ସଂପ୍ରଦାୟର ପ୍ରତିନିଧିତ୍ୱ ନ ରହିବା
ସରକାରଙ୍କର ଜଙ୍ଗଲ ସୁରକ୍ଷା ଦିଗରେ ଆଦିବାସୀମାନଙ୍କର ଭୂମିକା ପ୍ରତି ଆନ୍ତରିକତାରେ ପ୍ରଶ୍ନବାଚୀ ସୃଷ୍ଟି
କରେ ।
୧୦. ଶିମିଳିପାଳ ଜଙ୍ଗଲ ନିଆଁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉଦ୍‌ବେଗ ସୃଷ୍ଟି କରିଥିବା ବେଳେ ଏହାକୁ ପ୍ରଶମିତ
କରିବା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯଥେଷ୍ଟ ନୁହେଁ । କେନ୍ଦ୍ର ସରକାର
ବର୍ତମାନ ପର୍ଯ୍ୟନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ବିହିତ ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଅଭିଯୋଗଗୁଡିକ ଉପସ୍ଥାପନ କରାଯିବା ସହିତ ରାଜ୍ୟ ସରକାର
ଓଡିଶାର ଜଙ୍ଗଲ ନିଆଁର କ୍ଷୟକ୍ଷତି ଉପରେ ଏକ ଶ୍ୱେତପତ୍ର ଓଡିଶାବାସୀଙ୍କ ପାଖରେ ଉପସ୍ଥାପନ କରିବା ପାଇଁ
ପିସିସି ମୁଖପାତ୍ର ସୁଦର୍ଶନ ଦାସ ଦାବି କରିଛନ୍ତି ।
ପ୍ରକାଶଥାଉକି ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ସର୍ବଶ୍ରୀ ସୁଦର୍ଶନ ଦାସ, ସୁରେନ୍ଦ୍ର ପରମାଣିକ, ହେମନ୍ତ
ଦାସ, ସତ୍ୟଶିବ ଦାସ, ମମତା କୁଣ୍ଡୁ, ମହେନ୍ଦ୍ର ନାୟକ ପ୍ରମୁଖ ସଭ୍ୟ / ସଭ୍ୟା ଥିଲେ । ଯେଉଁମାନେ ଶିମିଳିପାଳର
ପିଠାବଟା, ବାଙ୍ଗିରିପୋଷି, ବିଷୋୟି, ଯଶିପୁର ଇତ୍ୟାଦି ଅଂଚଳ ପରିଦର୍ଶନ କରିଥିଲେ । ବାଲେଶ୍ୱର ଜିଲ୍ଲାର
କୁଲଡିହା ଓ ନୀଳଗିରି ବନାଚଂଳ ମଧ୍ୟ ସେମାନେ ପରିଦର୍ଶନ କରିଥିଲେ । ଏହି ଅଂଚଳରେ ସ୍ଥାନୀୟ ଅଧିବାସୀ,
ବନସୁରକ୍ଷା ସମିତି, ଜଙ୍ଗଲ ସୁରକ୍ଷା କମିଟି, ପଂଚାୟତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ
ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କୁ ପ୍ରଦାନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ସୁରେନ୍ଦ୍ର
ପରମାଣିକ, ମମତା କୁଣ୍ଡୁ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking