30.1 C
Bhubaneswar
Monday, May 20, 2024
Homeଓଡିଶାସମ୍ବିଧାନ ଓ ଆରକ୍ଷଣ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ମୋଦି ସରକାର: କଂଗ୍ରେସ

ସମ୍ବିଧାନ ଓ ଆରକ୍ଷଣ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ମୋଦି ସରକାର: କଂଗ୍ରେସ

* ସମ୍ବିଧାନ ବଦଳାଇବାର ଚିନ୍ତାଧାରା ଆମ୍ବେଦକରଙ୍କୁ ଅସମ୍ମାନ
* ମୋଦି ସରକାରରେ ଦଳିତ ଓ ପଛୁଆ ବର୍ଗ ଅଧିକ ନିସ୍ପେସିତ
* କଂଗ୍ରେସ ଇସ୍ତାହାରରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କୁ ମିଳିଛି ବିଶେଷ ଗୁରୁତ୍ୱ
ଭୁବନେଶ୍ୱର : ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଏବେ ଗଣତନ୍ତ୍ର ଅସୁରକ୍ଷିତ । ଦଳିତ ଓ ପଛୁଆ ବର୍ଗର ଲୋକେ ଦିନକୁ ଦିନ ଅଧିକ ନିସ୍ପେସିତ ହୋଇପଡୁଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଥିବା ଆରକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହଟିବାକୁଯାଉଛି । କହିବାକୁ ଗଲେ ଦେଶର ସମ୍ବିଧାନ ଏବେ ବିପଦରେ । ଏଥିପାଇଁ ମୋଦି ସରକାର ସୁଚିନ୍ତିତ ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି । ଏହି ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅବ୍‌କି ବାର ୪୦୦ ପାର’ ନାରା ଦେଇଛନ୍ତି । କେବଳ ମୋଦି ନୁହନ୍ତି, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ କାର୍ଯ୍ୟକର୍ତା ଓ ନେତାମାନେ ଖୋଲାଖୋଲି ଭାବେ ସମ୍ବିଧାନକୁ ବଦଳାଇବାର କଥା କହୁଛନ୍ତି । ଯାହାକି ଆମ ଦେଶ ପାଇଁ ବିପଦ । ତେବେ କଂଗ୍ରେସ ଏହା କଦାପି କରାଇ ଦେବ ନାହିଁ ବୋଲି ଅଖିଳ ଭାରତ କଂଗ୍ରେସ କମିଟି ପ୍ରବକ୍ତା ଡ. ଶ୍ୟାମା ମହମଦ କହିଛନ୍ତି ।
ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଶ୍ୟାମା ମହମଦ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କାର୍ଯ୍ୟକର୍ତାମାନେ ସମ୍ବିଧାନ ବଦଳାଇବାର ଯେଉଁ ଚିନ୍ତାଧାରା ରଖୁଛନ୍ତି, ତାହା ମହାନ ଜନନାୟକ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଘୋର ଅସମ୍ମାନ । ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସ୍‌ଏସ୍‌ର ଅଧ୍ୟକ୍ଷ ମୋହନ ଭାଗବତ ଦେଶରୁ ଆରକ୍ଷଣ ବ୍ୟବସ୍ଥା ହଟାଇବା କଥା କହିଥିଲେ । ଏହା ପରେ ଆରଏସ୍‌ଏସ୍‌ର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ବିଭିନ୍ନ ସମୟରେ ଆରକ୍ଷଣ ହଟାଇବାକୁ କହିଆସିଛନ୍ତି । ଏପରିକି ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଆରକ୍ଷଣ ହଟାଇବାକୁ କହିଥିଲେ । କିନ୍ତୁ କଂଗ୍ରେସ ସର୍ବଦା ଦଳିତ, ପଛୁଆ ବର୍ଗ ଏବଂ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ସହିତ ରହିଆସିଛି । ଆମର ନେତା ରାହୁଲ ଗାନ୍ଧିଜୀ ଏହି ବର୍ଗର ଲୋକଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସମ୍ବିଧାନ ସଂଶୋଧନ କରିବା ପାଇଁ ମଧ୍ୟ କହିଛନ୍ତି ।
ଆମ ଦେଶରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ୧୭ ପ୍ରତିଶତରୁ ଅଧିକ । କିନ୍ତୁ କେନ୍ଦ୍ର ସରକାରଙ୍କ ୯୦ଜଣ ସଚିବଙ୍କ ମଧ୍ୟରେ ମାତ୍ର ୩ଜଣ ଓବିସି ଏବଂ ୪ଜଣ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଲୋକ ରହିଛନ୍ତି । ସେହିପରି ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମାତ୍ର ଜଣେ ଦଳିତ ବର୍ଗର ଭାଇସ୍ ଚାନ୍‌ସେଲର, ଜଣେ ଆଦିବାସୀ ଭାଇସ୍ ଚାନ୍‌ସେଲର, ୫ ପଛୁଆ ବର୍ଗର ଭାଇସ୍ ଚାନ୍‌ସେଲର ଅଛନ୍ତି । ଦେଶର ସର୍ବବୃହତ ଶିକ୍ଷାନୁଷ୍ଠାନ ଆଇଆଇଟିରେ ମାତ୍ର ୨ ପ୍ରତିଶତ ଶିକ୍ଷକ ଓ ପ୍ରଫେସର ଓବିସି, ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବର୍ଗର ରହିଛନ୍ତି । ଆଇଆଇଏମରେ ମଧ୍ୟ ସେମାନଙ୍କ ସଂଖ୍ୟା ମାତ୍ର ୫ ପ୍ରତିଶତ । ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ୧୧,୩୧୦ ବରିଷ୍ଠ ଅଧିକାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୦୦୦ ହେଉଛନ୍ତି ଏହି ବର୍ଗର ଲୋକ । ଅନ୍ୟପକ୍ଷରେ ମନରେଗାରେ କାମ କରୁଥିବା ମଜଦୁରଙ୍କ ମଧ୍ୟରେ ୭୫ ପ୍ରତିଶତ, ସଫେଇ କର୍ମଚାରୀଙ୍କ ମଧ୍ୟରେ ୮୦ ପ୍ରତିଶତ ଓ ନାଳ ସଫେଇରେ ନିୟୋଜିତ ଲୋକଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ଶତ ପ୍ରତିଶତ । ୨୦୧୧ରେ କଂଗ୍ରେସ ଶାସନ କାଳରେ ଜାତି ଜନଗଣନା ହୋଇଥିଲା । ମାତ୍ର ବର୍ତମାନର ସରକାର ବାରମ୍ବାର ଦାବି ସତ୍ୱେ ଜାତି ଜନଗଣନା କରୁନାହାନ୍ତି ବୋଲି ଡ. ଶ୍ୟାମା ମହମଦ କହିଛନ୍ତି । ସେହିପରି ଓଡ଼ିଶାରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ କହି କହିଲେ ଯେ ଏଠାରେ ଏସ୍‌ଟି ୨୪ ପ୍ରତିଶତ, ଏସ୍‌ସି ୧୭ ପ୍ରତିଶତ ଏବଂ ଓବିସି ବର୍ଗର ଲୋକ ୪୦ ପ୍ରତିଶତ ରହିଛନ୍ତି । ମୋଟ ଉପରେ ୮୦ ପ୍ରତିଶତରୁ ଅଧିକ ଏହି ବର୍ଗର ଲୋକ ରହିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମିଳିଛି । ବିଜେଡି ସରକାର ମୋଦି ସରକାରଙ୍କ ସହ ସବୁ କ୍ଷେତ୍ରରେ ହାତ ମିଳାଇ କାର୍ଯ୍ୟ କରୁଛନ୍ତି । ଉଭୟ ସରକାର ଦଳିତ, ପଛୁଆ ବର୍ଗ ଏବଂ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଲୋକମାନଙ୍କୁ ଅବହେଳା କରିଆସିଛନ୍ତି । କିନ୍ତୁ କଂଗ୍ରେସ ଏହି ବର୍ଗର ଲୋକଙ୍କୁ ନିର୍ବାଚନ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇଛି । ଦଳ କ୍ଷମତାକୁ ଆସିଲେ ୫୦ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରିବା ସହ ଜାତି ଜନଗଣନା କରିବ । ଏଥିସହ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ସହ ପେସା ଆଇନ୍ ଲାଗୁ କରିବ ବୋଲି ଡ. ଶ୍ୟାମା ମହମ୍ମଦ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ମୁଖପାତ୍ର ପ୍ରଭାତ କୁମାର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking