32.1 C
Bhubaneswar
Thursday, March 28, 2024
Homeଓଡିଶା୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- ପଂଚାନନ କାନୁନଗୋ

୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- ପଂଚାନନ କାନୁନଗୋ

ଭୁବନେଶ୍ୱର- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ । ମାତ୍ର ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ । ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପିଠି ନିଜେ ଥାପୁଡାଇବାପରି ମନେ ହେଉଛି ।

କେରଳରେ ପ୍ରତି ୪୦୦ ଜଣ ପାଇଁ ଜଣେ ଡାକ୍ତର ରହିଥିବା ବେଳେ ଓଡ଼ିଶାରେ ପ୍ରତି ୨୧୮୭ ଲୋକରେ ଜଣେ ଡାକ୍ତର ରହିଛନ୍ତି । ସେହିପରି ଭାରତର ପ୍ରଧାନମନ୍ତ୍ରୀ ଗୁଜୁରାଟର ଶାସନ ବ୍ୟବସ୍ଥାର ଯେଉଁ ପ୍ରଶଂସା କରୁଥିଲେ ତାହାର ଚିତ୍ର ହେଉଛି ଯେ ସେଠାରେ ୧୨୪୮ ଜଣରେ ଜଣେ ଡାକ୍ତର । ଅନ୍ୟପକ୍ଷରେ ରାଜସ୍ଥାନରେ ୩୭୭ ସିଏଚସି ଥିବାବେଳେ ଓଡ଼ିଶାରେ ମାତ୍ର ୮୭ । ଏଠାରେ ପ୍ରକାଶ ଥାଉକି ଡବ୍ଲୁ.ଏଚ.ଓ ର ହିସାବ ଅନୁଯାୟୀ ୧୦୦୦ ଲୋକରେ ଜଣେ ଡାକ୍ତର ରହିବା କଥା । ସେହି ଅନୁସାରେ ଓଡ଼ିଶାରେ ୪ କୋଟି ୬୦ ଲକ୍ଷ ଲୋକ ଥିବା ବେଳେ ଆମର ୪୬ ହଜାର ଡାକ୍ତରଙ୍କର ଆବଶ୍ୟକତା ରହିଛି । ମାତ୍ର ତାହା ଏଠାରେ ହୋଇପାରି ନାହିଁ । ଯେଉଁ ଡାକ୍ତରମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ଯୋଗ୍ୟତା ଠିକ୍ ଅଛିକି ନାହିଁ ବୋଲି ପରଖିବାକୁ ମାନ୍ୟବର ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଏଠି ଔଷଧ ନକଲି ଏବଂ ଡାକ୍ତର ନକଲି ତେବେ ରୋଗୀ ଭୟଭୀତ ଅବସ୍ଥାରେ ରହିବା ସ୍ୱଭାବିକ । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ (ସ୍ୱାସ୍ଥ୍ୟ ସେବା) ତାଙ୍କ ସତ୍ୟପାଠରେ ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ମେଡିକାଲ ସ୍ୱାସ୍ଥ୍ୟ ସେବାରେ ସାଧାରଣ ଡାକ୍ତର ଏବଂ ସ୍ପେସାଲିଷ୍ଟଙ୍କ ପାଇଁ ୮୫୪୬ଟି ପଦବୀ ରହିଛି । ସେଥିରୁ ୫୮୩୮ ସାଧାରଣ ମେଡିକାଲ ଅଫିସର ପଦବୀ ରହିଛି ଯେଉଁଥିରୁ ୩୫୨୩ଟି ଖାଲି ପଡ଼ିଛି । ଏତଦ୍‌ଭୀନ୍ନ ସ୍ପେସାଲିଷ୍ଟଙ୍କ ପାଇଁ ୨୭୦୮ ଟି ପଦବୀ ରହିଛି ଯେଉଁଥିରୁ ୧୨୧୧ ଟି ଖାଲି ପଡ଼ିଛି ।
ଏଠାରେ ପ୍ରକାଶଯୋଗ୍ୟ ଯେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତର ରଖିଛନ୍ତି ଯେ ଓଡ଼ିଶାର ଡାକ୍ତରଖାନା ମାନଙ୍କରେ ସମୁଦାୟ ୩୬ ହଜାର ପଦବୀ ଖାଲି ପଡ଼ିଛି । କିନ୍ତୁ ସିଏଚସି ଷ୍ଟାଣ୍ଡାର୍ଡ ଅନୁସାରେ ୫୬ ହଜାର ପଦବୀ ଖାଲିପଡ଼ିଛି ବୋଲି ଜଣାପଡ଼ିଛି । ଶ୍ରୀ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି ଯେ ୨୦୦୭ ମସିହାରେ ତତ୍‌କାଳନୀ ସ୍ୱାସ୍ଥ୍ୟମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ସାରା ଓଡ଼ିଶାରେ ନକଲି ଔଷଧ ବ୍ୟାପିଗଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ୬ ମାସ ଭିତରେ ତାଙ୍କର ମନ୍ତ୍ରୀପଦ ଚାଲିଯାଇଥିଲା । ସେ ପ୍ରଶ୍ନର ଉତର ଆଜି ମଧ୍ୟ ସମାଧାନ ହୋଇପାରିନାହିଁ । ଆଜିବି କଟକ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସହରରେ ଔଷଧ ଦୋକାନମାନଙ୍କରେ ନକଲି ଔଷଧର କାରବାର ଜାରି ରହିଛି । ଏ ସଂପର୍କରେ ରାଜ୍ୟ ସରକାରଙ୍କର ପଦକ୍ଷେପ ନାମକୁ ମାତ୍ର । କରୋନା ସମୟରେ ମାସ୍କ, ପିପି କିଟ ଠାରୁ ଆରମ୍ଭ କରି ଯାହାସବୁ ସରଞ୍ଜାମ ସରକାର କ୍ରୟ କରିଥିଲେ ସେଥିରେ ମଧ୍ୟ ଯେଉଁ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା ତାହାର ତଦନ୍ତ ମଧ୍ୟ ବାଟବଣା କରିଦିଆଗଲା । ଅନ୍ୟ ପକ୍ଷରେ ସାରା ରାଜ୍ୟରେ ଡାକ୍ତର ଏବଂ ଅନ୍ୟାନ୍ୟ ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ ମଧ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତିକରୁଛି । ରାଜ୍ୟରେ ୪୫ ହଜାରରୁ ଅଧିକ ପାରାମେଡିକାଲ ଷ୍ଟାଫ ଏବଂ ନସିଂ ପଦବୀ ବର୍ଷ ବର୍ଷ ଧରି ଖାଲି ରହିଛି । ଏଥିରୁ ରାଜ୍ୟବାସୀ ଜାଣିପାରୁଥିବେ କିଭଳି ଭାବରେ ଏବଂ କେଉଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓଡ଼ିଶାବାସୀଙ୍କୁ ମିଳୁଛି । ଯେଉଁ ଯନ୍ତ୍ରାଂଶ ଗୁଡିକୁ କିଣା ହୋଇଛି ଷ୍ଟାଫ ଅଭାବରୁ ତାହା ଖତ ଖାଉଛି । ୨୩ ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପଦବୀ ପୂରଣ କରିପାରିନଥିବା ଓଡ଼ିଶା ସରକାର ଡିସେମ୍ବର ସୁଦ୍ଧା କିଭଳି ସମସ୍ତ ଡାକ୍ତରପଦବୀ ପୂରଣ କରିବେ ବୋଲି ଦୃଢ଼ୋକ୍ତି କଲେ ତାହା ଆଶ୍ଚର୍ଯ୍ୟର ବିଷୟ । ସୁତରାଂ ନବୀନ ସରକାରରେ ଓଡ଼ିଶାର ଲୋକେ ନିମ୍ନତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ବୋଲି ଏକଥା ଆଉ କାହାକୁ ଅଛପା ନାହିଁ । ରାଜ୍ୟରେ ୨୩ ବର୍ଷ ଭିତରେ କେତୋଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପଖଣ୍ଡ ଡାକ୍ତରଖାନା କରାଯାଇଛି ତାହାର ଦୟାକରି ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଏକ ତାଲିକା ରାଜ୍ୟବାସୀଙ୍କ ସାମନାରେ ରଖିବେକି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି । ଆଜିବି ଭାରରେ ରୋଗୀ ବୁହା ହଉଛନ୍ତି ଏବଂ ଦାନ ମାଝୀର ଉଦାହରଣ ପ୍ରତିଦିନ ରହିଛି । ତେବେ ସ୍ୱାସ୍ଥ୍ୟ ସେବାର ସୁଧାର କେଉଁଠି ହୋଇଛି ବୋଲି ଶ୍ରୀ କାନୁନ ଗୋ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking