କଟକ : କରୋନା ଦ୍ୱିତୀୟ ଲହର ଚାଲିଥିବା ବେଳେ କୋଭିଡ଼ – ୧୯ ଗାଇଡ଼ ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ଭୋଜି ଭାତକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ଜଣେକ ସିଏମସି କର୍ମଚାରୀ ତାଙ୍କ ଘରେ ସାଙ୍ଗ ସାଥିଙ୍କୁ ନେଇ ଭୋଜି କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୁଲିସ ଚଢାଉ କରି ଆଦାୟ କରିଛି ଜୋରିମାନା । ସୂଚନା ଅନୁଯାୟୀ, ବିଡାନାସୀ ଥାନା ଅନ୍ତର୍ଗତ ନଳିନୀ ମଣ୍ଡପ ଗଡା ନିକଟରେ କଟକ ମହାନଗର କର୍ମଚାରୀ ପ୍ରମୋଦ ମଙ୍ଗଲ ରହୁଛନ୍ତି । ଗତ କାଲି ତାଙ୍କ ଘରେ ପରିବାର ସଦସ୍ୟ କେହି ନଥିଲେ । ଏହି ସୁଯୋଗରେ ପ୍ରମୋଦ ସାଙ୍ଗସାଥୀଙ୍କୁ ନେଇ ଭୋଜି ଭାତର ଆୟୋଜନ କରିଥିଲେ । ସନ୍ଧ୍ୟା ବେଳେ ପ୍ରାୟ ୧୫ରୁ ୨୦ ଜଣ ସାଙ୍ଗ ଓ ସହକର୍ମୀଙ୍କୁ ଏକାଠି କରାଇ ଘରେ ଭୋଜିଭାତ କରିଥିଲେ ।
ସମସ୍ତେ ଖାଇ ପିଇ ନାଚଗୀତରେ ସମସ୍ତେ ମାତାଲ ହୋଇଥିଲେ । ରାତିରେ ଏ ସଂପର୍କରେ ବିଡାନାସୀ ପୁଲିସ ନିକଟରେ ଖବର ପହଞ୍ଚିଥିଲା । ପୁଲିସ ତତକ୍ଷଣାତ ଚଢଉ କରିଥିଲା । ଏତିକିବେଳେ ଘର ଭିତରେ ଏକାଧିକ ବ୍ୟକ୍ତି ନାଚ ଗୀତର ମସଗୁଲ ରହିଥିବା ଦେଖିବାକୁ ମିଳିଥିଲା । ଘରେ ରନ୍ଧା ଖାଦ୍ୟ ସହ ମଦ ବୋତଲ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସକୁ ଦେଖି କେତେକ ଫେରାର ହୋଇଯାଇଥିବା ବେଳେ ଅନ୍ୟମାନଙ୍କୁ ପୁଲିସ ତାଦିଗ କରିଥିଲା । କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ପୁଲିସ ପ୍ରମୋଦଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ମାତ୍ର କରୋନା ମୁକାବିଲାରେ କଟକ ମହାନଗର ନିଗମ କର୍ମଚାରୀ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ନିଜେ ନିୟମ ଭଙ୍ଗ କରିଥିବା ଘଟଣା ଆଜି ଦିନ ଭରି ସହରବାସୀଙ୍କ ମଧ୍ୟରେ ଆଲୋଚିତ ହେଉଛି ।