ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ବଡ ଅପଡେଟ୍ ଆସିଛି । ଆର୍ୟ୍ୟନ୍ ଖାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳି ନାହିଁ । ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ଆର୍ୟ୍ୟନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
କେବଳ ସେତିକି ନୁହେଁ ଆର୍ୟ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲାରେ ଇଣ୍ଟରନ୍ୟାସନାଲ୍ ଲିଙ୍କକୁ ନେଇ ହେଉଥିବା ତଦନ୍ତ ବାବଦରେ ବୟାନ ରଖିଛି ଏସ୍ଆଇଟି । ମାମଲାକୁ ନେଇ ଝଓଞ ମୁଖ୍ୟ ସଞ୍ଜୟ ସିଂହ କହିଛନ୍ତି, ଆର୍ୟ୍ୟନ୍ ଖାନଙ୍କ ବିରୁଦ୍ଧରେ କିଛି ପ୍ରମାଣ ମିଳିନଥିବା ଖବର ମିଛ । ଏହା କେବଳ ଏକ ଗୁଜବ । ଏଭଳି ପରିସ୍ଥିତିରେ କିଛି କୁହାଯାଇପାରିବ ନାହିଁ ।ଏସ୍ଆଇଟି କହିବା ମୁତାବକ, ଆର୍ୟ୍ୟନ୍ ଖାନଙ୍କ ଇଣ୍ଟରନ୍ୟାସନାଲ୍ ଡ୍ରଗ୍ସ ଲିଙ୍କ ଥିବା ନେଇ ସିଧାସଳଖ ଭାବେ କୌଣସି ପ୍ରମାଣ ମିଳିନାହିଁ । ତା ସହିତ ତେଣୁ କେବଳ ହ୍ବାଟ୍ସଆପ୍ ଚାଟରୁ ହିଁ କାହାକୁ ଦୋଷୀ କରାଯାଇପାରିବ ନାହିଁ ।
ସୂଚନାଯୋଗ୍ୟ, ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜ୍ ରେ ପାର୍ଟି ଚାଲିଥିବା ବେଳେ ଚଢଉ କରି ଆର୍ୟ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି ଟିମ୍ । ଆର୍ୟ୍ୟନ ଖାନଙ୍କ ସମେତ ତାଙ୍କର ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ମୋଟ ୮ ଜଣଙ୍କୁ ଗିରଫ କରି ହେପାଜତକୁ ନେଇଥିଲା ଏନସିବି । ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ ରେ ଡ୍ରଗ୍ସ ପାର୍ଟି ହେଉଥିବା ନେଇ ଖବର ପାଇଥିଲା ଏନସିବି। ଆର୍ୟ୍ୟନ ଖାନ ମଧ୍ୟ ଏହି ପାର୍ଟିରେ ସାମିଲ ଥିଲେ । ଏହା ସହିତ ଚଢଉ ବେଳେ ଅରବାଜ ମର୍ଚାଣ୍ଟଙ୍କ ଜୋତା ମଧ୍ୟରୁ ମିଳିଥିଲା ଡ୍ରଗ୍ସ । କିନ୍ତୁ ଆର୍ୟ୍ୟନ୍ ଖାନ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲା ।