26.1 C
Bhubaneswar
Monday, July 7, 2025
Homeଦେଶ ବିଦେଶମୋଦୀ ପ୍ରଧାନମନ୍ତ୍ରୀ ଥିବା ଯାଏ ଦେଶର ଇଞ୍ଚେ ଜମି ବି ନେଇପାରିବନି ଚୀନ୍‌: ଶାହା

ମୋଦୀ ପ୍ରଧାନମନ୍ତ୍ରୀ ଥିବା ଯାଏ ଦେଶର ଇଞ୍ଚେ ଜମି ବି ନେଇପାରିବନି ଚୀନ୍‌: ଶାହା

ଦିସ୍‌ପୁର: ଆସାମ ମାଟିରୁ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । ମଙ୍ଗଳବାର ଆସାମ୍‌ର ଲଖୀମପୁର ଠାରେ ଆୟୋଜିତ ଏକ ରାଲି ଶୋଭାଯାତ୍ରାକୁ ସମ୍ବୋଧିତ କରିବା ଅବସରରେ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଦେଶର ଇଞ୍ଚେ ଜମିକୁ ବି ଚୀନ୍ କିମ୍ବା ଅନ୍ୟ କେହି ନେଇପାରିବେନି । ମୋଦୀ ସରକାର ଭାରତ ବର୍ଷର ଅଖଣ୍ଡତା ଏବଂ ସୁରକ୍ଷା ପ୍ରତି ସଦାସର୍ବଦା ଯତ୍ନବାନ୍ ରହିଆସିଛନ୍ତି । ମୋଦୀ ସରକାର ସମୟରେ ଭାରତ ଉପରେ କେହି ନଜର ମଧ୍ୟ ପକାଇପାରିବେ ନାହିଁ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସୀମାରେଖାରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ମୋଦୀ ସରକାରଙ୍କ ଦୃଢ଼ ନୀତି ଅନ୍ତର୍ଗତ ଆସାମ୍ ଏବଂ ଅରୁଣାଚଳରେ ଆଜି ଶାନ୍ତ ପରିବେଶ ସମ୍ଭବ ହୋଇପାରିଛି ବୋଲି ଶାହା କହିଛନ୍ତି । ସୀମାରେଖାରେ ଅନୁପ୍ରବେଶ ଭଳି ବେଆଇନ୍ କାର୍ଯ୍ୟକ୍ରମକୁ ମଧ୍ୟ ଦୃଢ଼ତାର ସହ ରୋକାଯାଇପାରୁଛି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ଏହି ଅବସରରେ କଂଗ୍ରେସକୁ ସମାଲୋଚନା କରିବାକୁ ଭୁଲିନାହାନ୍ତି । ଶାହାଙ୍କ କହିବାନୁସାରେ ଉଭୟ ଆସାମ ଏବଂ ଅରୁଣାଚଳପ୍ରଦେଶ ବାସୀ କଦାପି ୧୯୬୨ ମସିହାର ତତ୍କାଳୀନ କଂଗ୍ରେସ ସରକାର ଏବଂ ଦିବଂଗତ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ସେମାନଙ୍କ ସହ କ’ଣ ଅନ୍ୟାୟ କରିଥିଲା ସେସବୁ କିଛି ଆଦୌ ଭୁଲିଯିବା ଉଚିତ୍ ନୁହେଁ । ୧୯୬୨ରେ ଜବାହରଲାଲୁ ନେହରୁ ଦେଶର ପ୍ରଧାନମନ୍ତ୍ରୀ ଥିବା ସତ୍ତ୍ୱେ ଆସାମ ଏବଂ ଅରୁଣାଚଳପ୍ରଦେଶ ପ୍ରତି ପାତର ଅନ୍ତର ନୀତି ପୋଷଣ କରିଥିଲେ ଏବଂ ଏହି ଦୁଇ ରାଜ୍ୟ ପ୍ରତି କୌଣସି ବିଶେଷ ଆଗ୍ରହ ଦେଖାଇନଥିଲେ ବୋଲି ଶାହା କହିଛନ୍ତି । ନେହରୁଙ୍କ ସମୟରେ ହିଁ ଚୀନ୍‌, ଭାରତର ଏକ ଭୂଭାଗକୁ ନିଜ କବ୍‌ଜାକୁ ନେଇପାରିଥିଲା । କିନ୍ତୁ ବିଜେପି ନେତୃତ୍ୱାଧୀନ ସରକାର ସମୟରେ ଚୀନ୍ ନିଜ ଡ୍ରାଗନ୍ ୍‌ସେନା ଆଳରେ ବହୁବାର ଏପ୍ରକାର ହୀନ ଉଦ୍ୟମ କରିସାରିଛି । କିନ୍ତୁ ଚୀନ୍ କଦାପି ସଫଳ ହୋଇପାରିନାହିଁ । ଭାରତୀୟ ସେନା ନିଜ ସାମର୍ଥ୍ୟର ପ୍ରମାଣ ଦେଇଛନ୍ତି ଏବଂ ଭାରତର ଅଖଣ୍ଡତାକୁ ସୁରକ୍ଷିତ ରଖିଛନ୍ତି । ଭାରତ ଭୂଭାଗରୁ ଇଞ୍ଚେ ପରିମାଣର ଜମି ମଧ୍ୟ ଚୀନ୍ କବ୍‌ଜା କରିପାରିନାହିଁ ।
ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଯେ, ଆମ ସମସ୍ତଙ୍କୁ ମିଳିମିଶି ଆସାମର ସଭ୍ୟତା, କଳା ସଂସ୍କୃତିକୁ ସୁରକ୍ଷିତ ରଖିବାକୁ ହେବ । ରାହୁଲଙ୍କ ଏପ୍ରକାର ବୟାନ୍ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଶାହା କହିଛନ୍ତି, ସେ କେବଳ ରାହୁଲଙ୍କୁ କେବଳ ଗୋଟିଏ କଥା ମନେ ପକାଇ ଦେବାକୁ ଚାହାନ୍ତି ଯେ, ଆସାମବାସୀଙ୍କ ସହ ତାଙ୍କ ଜେଜେ ମା’ ଅର୍ଥାତ୍ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ କ’ଣ କରିଥିଲେ? ଆସାମର ହଜାର ହଜାର ଯୁବଗୋଷ୍ଠୀଙ୍କୁ ଭ୍ରମିତ କରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା । ଏହା ହିଁ କଂଗ୍ରେସର ବାସ୍ତବିକ ଚରିତ୍ର ବୋଲି ଶାହା କହିଛନ୍ତି । ଏହି ଅବସରରେ ଶାହା, ମୋଦୀ ସରକାରଙ୍କ ଗତ ୧୦ବର୍ଷର ଶାସନ କାଳରେ ନିଆଯାଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଶାହା ଆସାମବାସୀଙ୍କ ସମ୍ମୁଖରେ ଗୋଟି ଗୋଟି କରି ତାଲିକା ପ୍ରଦାନ କରିଥିଲେ । ଆସାମକୁ ପୁର୍ନବିକଶିତ କରିବା ଦିଗରେ ମୋଦୀ ସରକାର ଯେଉଁସବୁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ବା ହାତକୁ ନେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କୌଣସି ସରକାର ନେଇନଥିବା ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶାହା କହିଛନ୍ତି, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତଥା ଶାନ୍ତ ପରିବେଶଯୁକ୍ତ ଆସାମ ଭଳି ରାଜ୍ୟରେ ଶାନ୍ତି ସ୍ଥାପନା କରିବା ଉଦ୍ଦେଶ୍ୟରେ ମୋଦୀ ସରକାରଙ୍କ ପ୍ରଚେଷ୍ଟା ବଳରେ ଏଠାକାର ଉଗ୍ରବାଦୀ ସମୁଦାୟଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇପାରିଛି । ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଆଧାରରେ ଆସାମକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ରାଜ୍ୟରେ ପରିଣତ କରାଯିବା ପାଇଁ ଚେଷ୍ଟା ଜାରି ରହିଛି । ଆଗାମୀ ବର୍ଷରେ ଆସାମ ନିଶ୍ଚିତ ଭାବେ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଭାବେ ପରିଗଣିତ ହେବ ବୋଲି ଶାହା କହିଛନ୍ତି । ସୂଚନାଯୋଗ୍ୟ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ଆସାମର ଲଖିମପୁର ଆସନରେ ମଧ୍ୟ ଭୋଟ୍ ଗ୍ରହଣ କରାଯିବ । ସେହିପରି ଏପ୍ରିଲ ୨୬ ଏବଂ ମେ’ ୭ରେ ମଧ୍ୟ ଆସାମର ଉତ୍ତର-ପୂର୍ବ ଅଞ୍ଚଳର ଅନ୍ୟ ଲୋକସଭା ଆସନରେ ମତାମତ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking