ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । କିନ୍ତୁ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ଟିକା ନେବା ଲାଗି ପିଲାଙ୍କୁ ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ପିଲା ଟିକା ନେଇପାରିବେ । ଏବେ କୋୱିନ୍ ପୋର୍ଟାଲରେ ଏ ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ । ପିଲାଙ୍କୁ ସ୍କୁଲରେ ଟିକା ଦିଆଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ ସିଡିଏମ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, କୋୱିନ୍ ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରାଯିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ୧୨ରୁ ୧୪ ବର୍ଷ ବୟସ୍କର ପିଲାମାନଙ୍କୁ କୋର୍ଭିଭାକ୍ସ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ଭିଭାକ୍ସ ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ ୧୨ ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି । ଏମାନଙ୍କ ଟିକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ।