ଭୁବନେଶ୍ୱର : ପ୍ରଥମେ କଳାହାଣ୍ଡି, ଦ୍ୱିତୀୟରେ ସୁନ୍ଦରଗଡ଼ ଓ ଏବେ ନୂଆପଡ଼ା । କରୋନା ମହାମାରୀର ପ୍ରକୋପ କମିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତକରି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ପ୍ରତି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ତାହା ସ୍ପଷ୍ଟ କରିଥାନ୍ତି । ଏଥର ବି କରିଛନ୍ତି ।
କରୋନା ଯୋଗୁଁ ଲୋକଙ୍କ ଠାରୁ ପ୍ରାୟ ନଅ ମାସ ଦୂରେଇ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସାର୍ବଜନୀନ ‘ଇନ୍ଦ୍ରବତୀ ସମାବେଶ’ରେ ଯୋଗଦାନ କରିଥିଲେ । ଗତ ଜାନୁଆରୀ ୧୪ରେ ତାହା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ପରିଷଦର ୧୪ ସଦସ୍ୟ ଓ ୭୨ ବିଧାୟକ ସମାରୋହରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୨୪୦୦ କୋଟି ଟଙ୍କାର ପ୍ରକଳ୍ପର ଶୀଳାନ୍ୟାସ କରିଥିଲେ । ଏପରିକି ଜିଲ୍ଲାରେ ଥିବା ଚୀରସ୍ରୋତା ଇନ୍ଦ୍ରାବତୀ ନଦୀର ଜଳକୁ ସୁବିନିଯୋଗ କରିବା ସହ ସେ ୯୮୬.୭୧ କୋଟିର ଉପର ଉଠାଜଳସେଚନ ପ୍ରକଳ୍ପକୁ ଲୋକର୍ପଣ କରିଥିଲେ । ଚାଷ ଓ ଚାଷୀଙ୍କ ସମାଗ୍ରିକ ବିକାଶ କଥା କହିବା ସହ ନବୀନ ବାବୁ କଳାହାଣ୍ଡି ଏବେ ‘ଭୋକର’ ଭୋଗୋଳରୁ ‘ଭାତହାଣ୍ଡି’ରେ ପରିଣତ ହୋଇଛି ପ୍ରକାଶ କରିିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଖୁବ୍ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା । କଳାହାଣ୍ଡି ସମାବେଶ ପରେ ରାଉରକେଲା ଥିଲା ନବୀନଙ୍କର ଦ୍ୱିତୀୟ ମେଗା ସମାବେଶ୍ ।
ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହିସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ନୂଆପଡ଼ାର ବିକାଶରେ ବିଶେଷ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସହିତ ବି ୧୦ ମନ୍ତ୍ରୀ ଓ ୩୫ରୁ ଅଧିକ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗସ୍ତକୁ ସଫଳ କରିବାକୁ ସେମାନେ ବିଭିନ୍ନ ଦାୟୀତ୍ୱ ନେଇଥିବା ଜଣାପଡ଼ିଛି ।