19.1 C
Bhubaneswar
Friday, December 27, 2024
Homeଓଡିଶାଋଣ ପ୍ରଦାନରେ ଶ୍ରେଷ୍ଠ ୯ଟି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

ଋଣ ପ୍ରଦାନରେ ଶ୍ରେଷ୍ଠ ୯ଟି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ କୃଷି, ମିଶନ ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ଋଣ ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ୯ଟି ବ୍ୟାଙ୍କ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି । କୃଷି ଋଣ ପ୍ରଦାନ କ୍ଷେତ୍ରରେ ବଲାଙ୍ଗିର ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପ୍ରଥମ ପୁରସ୍କାର ଗ୍ରହଣ କରିଥିବା ବେଳେ ଆକ୍ସିସ୍ ବ୍ୟାଙ୍କର ରାୟଗଡ଼ା ଏବଂ ସମ୍ବଲପୁର ଶାଖା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ସେହିଭଳି ଏମ୍‌ଏସ୍‌ଏମ୍‌ଇ ସଂସ୍ଥାକୁ ଅଗ୍ରୀମ ଋଣ ପ୍ରଦାନକାରୀ ଭାବେ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବଲାଙ୍ଗିର ଶାଖା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜୟଦେବ ବିହାର ଶାଖା ଏବଂ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ତାଳଚେର ଶାଖା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ମିଶନ ଶକ୍ତି ଗ୍ରୁପ୍‌କୁ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏସବିଆଇର କଣ୍ଟାବାଞ୍ଜି, ଡୁଙ୍ଗୁରିପାଲି ଓ ମାଲକାନାଗିରି ଶାଖା ତିନୋଟି ପୁରସ୍କାର ପାଇଛନ୍ତି । ପ୍ରଥମ ପୁରସ୍କାର ବିିଜେତା ବ୍ୟାଙ୍କଗୁଡ଼ିକୁ ୫ ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର ପାଇଁ ୩ ଲକ୍ଷ ଏବଂ ତୃତୀୟ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶ ଯେ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବାରେ ଦେଶରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ।

ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାମାରୀ ସତ୍ତ୍ୱେ ୨ଠ୨୧-୨୨ର ବାର୍ଷିକ ଋଣ ଯୋଜନାରେ ୯୩%ରୁ ଅଧିକ ଲକ୍ଷ୍ୟ ହାସଲ ହୋଇଛି । ସବୁ ବ୍ୟାଙ୍କ ମିଶି ୧.ଠ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଆମେ ଏହି ଧାରାକୁ ବଜାୟ ରଖିବା ଦରକାର ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଋଣର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଆର୍ôଥକ ବର୍ଷରେ ରାଜ୍ୟ ୧.୩୪ ଲକ୍ଷ କୋଟିର ବାର୍ଷିକ ଋଣ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ଜିଲ୍ଲା ଏବଂ ବ୍ୟାଙ୍କଗୁଡ଼ିକ ଅଗ୍ରସର ହେବେ ବୋଲି ସେ ଆଶା ରଖିଛନ୍ତି । ଏହାସହ ସମସ୍ତ ତିନି ପ୍ରାଥମିକତା କ୍ଷେତ୍ରକୁ ଉତ୍ତମ କ୍ରେଡିଟ୍ ଲିଙ୍କେଜ୍ ପାଇଁ ବ୍ୟାଙ୍କଗୁଡ଼ିକ ପ୍ରୟାସ କରିବା ଉଚିତ୍ ବୋଲି ସେ ମତ ରଖିଛନ୍ତି । ବିଶେଷ କରି ମିଶନ୍ ଶକ୍ତି ପାଇଁ ହାରାହାରି ଋଣ ପରିମାଣକୁ ବୃଦ୍ଧି କରିବା ଦିଗରେ ବ୍ୟାଙ୍କଗୁଡ଼ିକ ଦୃଷ୍ଟି ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ୫ ବର୍ଷରେ ମିଶନ୍ ଶକ୍ତି ଗ୍ରୁପ୍‌ଗୁଡ଼ିକୁ ୫ଠ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିବାକୁ ନିକଟରେ ନିଷ୍ପତ୍ତି ହୋଇଥିବା ସେ ଉଲ୍ଲେଖ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ କୃଷିକ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ପୁରସ୍କୃତ ହୋଇଥିବାବେଳେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସର୍ବାଧିକ ଋଣ ପାଇଁ ଏସ୍‌ବିଆଇ ଏବଂ ମିଶନ୍ ଶକ୍ତି ଗ୍ରୁପ୍‌ଙ୍କୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ପୁରସ୍କାର ଗ୍ରହଣ କରିଛନ୍ତି । ସାମଗ୍ରିକ ଭାବେ ପ୍ରାଥମିକତା କ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଏସ୍‌ବିଆଇ ଏବଂ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ୍ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ୍‌ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଚାମ୍ପିଅନ୍ ବ୍ୟାଙ୍କ୍‌ଗୁଡ଼ିକ ଅନ୍ୟ ବ୍ୟାଙ୍କ୍‌ମାନଙ୍କ ପାଇଁ ଅନୁକରଣୀୟ ମଡେଲ୍ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ପ୍ରଥମ ଥର ପ୍ରାଥମିକତା କ୍ଷେତ୍ରକୁ ଅବଦାନ ପାଇଁ ବ୍ୟାଙ୍କଗୁଡ଼ିକୁ ମାନ୍ୟତା ଦେବା ହେଉଛି ଏକ ଐତିହାସିକ ପଦକ୍ଷେପ । ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳାମାନେ ହେଉଛନ୍ତି ଆମ ଅର୍ଥନୀତିର ପ୍ରମୁଖ ଚାଳକ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ମିଶନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଉପସ୍ଥାପନା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବା ବେଳେ ଇଷ୍ଟିଚ୍ୟୁସନାଲ୍ ଫାଇନାନ୍ସ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking