ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଗୁରୁ । ତାଙ୍କ ନୀତି ଓ ଆଦର୍ଶରେ ମୁଁ ଅନୁପ୍ରାଣିତ । ତାଙ୍କରି ଆଦର୍ଶରେ ହିଁ ମୁଁ ରାଜନୀତିରେ ଯୋଗଦେଇଛି । ମୁଖ୍ୟମନ୍ତ୍ରୀ କେବେ ବି ରାଜନୀତି ପାଇଁ ରାଜନୀତି କରନ୍ତି ନାହିଁ । ସେ ରାଜନୀତିକୁ ଜନସେବା ବୋଲି ଭବନ୍ତି । ଏହି ହିଁ ନବୀନ ପଟ୍ଟନାୟକଙ୍କ ସଫଳତାର ରହସ୍ୟ । ଯେଉଁଥିପାଇଁ କ୍ରମାଗତ ଭାବେ ଅଢ଼େଇ ଦଶନ୍ଧି ଧରି ସେ ଓଡ଼ିଶାବାସୀଙ୍କ ଆଶା ଓ ଭରସା ଜିତୁଛନ୍ତି । ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ବଢୁଛି ବୋଲି ନ୍ୟୁଜ୍-୧୮ର ରାଇଜିଂ ଭାରତ କାର୍ଯ୍ୟକ୍ରମରେ କହିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଓଡ଼ିଶାର ସାଧାରଣ ଜନତା ବାଛିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସେବାକୁ ହିଁ ରାଜନୀତି ବୋଲି ଭାବନ୍ତି । ଲୋକଙ୍କ ସେବା ଆଉ ବିକାଶ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ । ରାଜ୍ୟର ସବୁଶ୍ରେଣୀର ଲୋକଙ୍କ ବିକାଶ ପାଇଁ ସେ ସବୁବେଳେ କାମ କରୁଥାନ୍ତି । ସେଥିପାଇଁ ପ୍ରତି ନିର୍ବାଚନରେ ବିଜେଡିର ଭୋଟ୍ ହାର ବଢୁଛି । ସରକାର ବିରୋଧୀ ହାୱା ଏଯାଏଁ ତାଙ୍କୁ ଛୁଇଁ ପାରିନି ।୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିବା ସହ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ରାଜ୍ୟବାସୀଙ୍କ ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତାରେ ସେ ଦେଖିଛନ୍ତି ଓ ସେଥିରେ ଅନୁପ୍ରାଣିତ ହୋଇଛନ୍ତି । ଲୋକେ ଏହାକୁ କିଭଳି ଗ୍ରହଣ କରିବେ ତାହା ଲୋକଙ୍କ ଉପରେ ନିର୍ଭର କରେ । ମୁଖ୍ୟମନ୍ତ୍ରୀ ଜଣେ ଭଲ ହୃଦୟର ବ୍ୟକ୍ତିତ୍ୱ । ସେ ସବୁବେଳେ ଲୋକ କଲ୍ୟାଣ କଥା ହିଁ ଚିନ୍ତା କରନ୍ତି ।
ତାଙ୍କର ସେହି ଜନସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଓହ୍ଲାଇଛନ୍ତି ସତ । ତେବେ ସେ ନିର୍ବାଚନ ଲଢ଼ିବେ ନାହିଁ । ବରଂ ଷଷ୍ଠଥର ପାଇଁ ତିନି ଚତୁର୍ଥାଂଶ ଆସନରେ ଜିତିବାରେ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି । ରାଜ୍ୟର ୭୦ ପ୍ରତିଶତ ଲୋକ ନିର୍ଭର କରୁଥିବା ସରକାରୀ ଅନୁଷ୍ଠାନର ବିକାଶ ଏକ ଲୋକାଭିମୁଖୀ ସରକାରର ଦାୟିତ୍ୱ । କେବଳ ସେତିକି ନୁହେଁ, ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ କଲ୍ୟାଣ କରିବା ମଧ୍ୟ ସରକାରଙ୍କ ଦାୟିତ୍ୱ । ସେଥିପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଭଳି ମୌଳିକ ଆବଶ୍ୟକତା କ୍ଷେତ୍ରରେ ଲୋକେ କିଭଳି ସୁବିଧା ପାଇବେ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ କରିଆସୁଛନ୍ତି । ରାଜ୍ୟର ସବୁ ଧର୍ମାନୁଷ୍ଠାନର ରୂପାନ୍ତରଣ ପ୍ରମାଣିତ କରୁଛି ଯେ, ଓଡ଼ିଶା ସବୁ ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଦେଉଛି । ଓଡ଼ିଶାରେ ଆଧ୍ୟାତ୍ମିକ ସରକାର ଚାଲିଛି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।