ରାୟପୁର: ଚଳିତବର୍ଷ ଶେଷଆଡକୁ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ପକ୍ଷରୁ କୋର୍ କମିଟି ଓ ନିର୍ବାଚନ ପ୍ରଚାର କମିଟି ଗଠନ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରୀ ଶୈଳଜାଙ୍କୁ କୋର୍ କମିଟି ଏବଂ ଚରଣଦାସ ମହନ୍ତଙ୍କୁ ନିର୍ବାଚନ କମିଟି ଆବାହକ ନିଯୁକ୍ତ କରାଯାଇଛି ।
ସାତଜଣିଆ କୋର୍ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଛତିଶଗଡ ପିସିସି ସଭାପତି ଦୀପକ ବୈଜ୍, ଉପମୁଖ୍ୟମନ୍ତ୍ରୀ ଟି.ଏସ.ସିଂହଦେଓ, ତମରଧ୍ୱଜ ସାହୁ ଓ ଶିବକୁମାର ସାହାରିୟାଙ୍କୁ ସଦସ୍ୟଭାବେ ଗ୍ରହଣ କରାଯାଇଛି । ଅପରପକ୍ଷରେ ୭୪ ଜଣିଆ ନିର୍ବାଚନ ପ୍ରଚାର କମିଟିରେ ମୁଖ୍ୟମନ୍ତ୍ରୀ ବାଘେଲ, ଉପମୁଖ୍ୟମନ୍ତ୍ରୀ ସିଂହଦେଓ, ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା, ରଞ୍ଜିତ ରଞ୍ଜନ, ଫୁଲୋଦେବୀ ନେତମ ଓ କେଟିଏସ୍ ତୁଳସୀଙ୍କ ସମେତ ଛତିଶଗଡ ମନ୍ତ୍ରୀ ମୋହନ ମର୍କମ ଓ ଉମେଶ ପଟେଲ ସାମିଲ ଅଛନ୍ତି । ଏହାବ୍ୟତୀତ ୧୫ ଜଣିଆ କମ୍ୟୁନିକେସନ କମିଟି ଏବଂ ୨୫ ଜଣିଆ ପ୍ରୋଟୋକଲ କମିଟି ମଧ୍ୟ ଗଠନ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ନୂତନ କମିଟିଗୁଡିକୁ ଅନୁମୋଦନ କରିଛନ୍ତି ।