ଫୁଲବାଣୀ : ଜଣେ ପୁରୁଷ ପୁଲିସ ଏସ୍ଆଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଏସ୍ଆଇ । ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପୁରୁଷ ଏସ୍ଆଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏନେଇ ମହିଳା ଏସ୍ଆଇ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିବା ବେଳେ ପୁରୁଷ ଏସ୍ଆଇଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ସୋମବାର ମହିଳା ସବଇନ୍ସପେକ୍ଟର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାର ସବ-ଇନ୍ସପେକ୍ଟର ସିଲୁ ଧଳ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ସମୟରେ ଜଣେ ମହିଳା ଏସ୍ଆଇଙ୍କ ସହିତ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ସିଲୁ ଧଳ ତାଙ୍କୁ ବିବାହ କରିବେ ବୋଲି କହିଥିଲେ । କିନ୍ତୁ ମହିଳା ସବଇନ୍ସପେକ୍ଟର ଜଣକ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ବିବାହ କରିବାକୁ ମନା କରିଥିଲେ । ଏହାପରେ ସେ ସମ୍ବଲପୁର ସ୍ଥିତ ଜମନକିରା ଅଇଁଠାପାଲି ଥାନାରେ ତାଲିମ୍ ନେଉଥିବା ବେଳେ ସିଲୁ ଧଳ ଝାରସୁଗୁଡ଼ାର ଲଇକେରା ଏବଂ ଓରିଏଣ୍ଟ ଥାନାରେ ଟ୍ରେନିଂ ନେଉଥିଲେ । ମହିଳା ସବଇନ୍ସପେକ୍ଟର ଜଣକ ଜମନକିରା ସ୍ଥିତ ସରକାରୀ କ୍ୱାଟର୍ସରେ ଥିବା ବେଳେ ସିଲୁ ଧଳ ସେଠାରେ ପହଞ୍ଚିଥିଲେ । ସେଠାରେ ବଳପୂର୍ବକ ତାଙ୍କ ସହିତ ଶାରୀରୀକ ସମ୍ପର୍କ ରଖିଥିଲେ । ଏନେଇ ମହିଳା ଏସ୍ଆଇ ଅଭିଯୋଗ କରିବେ ବୋଲି କହିବାରୁ ସିଲୁ ଧଳ ତାଙ୍କୁ ୨୦୧୯ ଫେବୃୟାରୀ ମାସରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତା’ ପର ଦିନ ସେଠାରୁ ଚାଲି ଯାଇଥିଲେ । ଏହା ପରେ ମହିଳା ସବଇନ୍ସପେକ୍ଟର ଜଣଙ୍କ ଅଇଁଠାପାଲି ଥାନାରେ ପୋଷ୍ଟିଂ ହୋଇଥିଲେ । ସିଲୁ ଧଳ ପ୍ରତି ସପ୍ତାହରେ ତାଙ୍କର ଭଡ଼ାଘରକୁ ଆସି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଶାରିରୀକ ସଂପର୍କ ନରଖିଲେ ଉଭୟଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେବି ବୋଲି ତାଙ୍କୁ ଧମକ ଦେଇଥିଲେ । ସେହିପରି ରଥଯାତ୍ରା ଡ୍ୟୁଟି ସମୟରେ ଏବଂ ଝାରସୁଗୁଡ଼ା ଭିଭିଆଇପି କଲୋନୀ ଡ୍ୟୁଟିରେ ଥିବା ବେଳେ ବିଭିନ୍ନ ଲଜ୍ ଏବଂ କଟକ ସ୍ଥିତ ଏକ ଲଜ୍କୁ ନେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ମହିଳା ସବଇନ୍ସପେକ୍ଟରଙ୍କର କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନାକୁ ବଦଳି ହୋଇଥିଲା । ସିଲୁ ଧଳ ସାରଙ୍ଗଡ଼ ଆସି ମଧ୍ୟ ନାନା ପ୍ରକାର ହଇରାଣ କରୁଥିଲେ । ପରେ ସିଲୁ ଧଳ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଏନେଇ ମହିଳା ସବଇନ୍ସପେକ୍ଟର ଜଣକ ୨୦୧୯ ମସିହାରେ ସାରଙ୍ଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ । ସେହି ସମୟରେ ସିଲୁ ଧଳ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଥିଲେ । ପରେ ସିଲୁ ଧଳ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । କଥାକୁ ବିଶ୍ୱାସ କରି ସେ ଭୁଲ ବୁଝାମଣା ଯୋଗୁଁ ସେ ମାମଲା ରୁଜୁକରିଥିଲେ ବୋଲି କୋର୍ଟରେ କହିଥିଲେ । ଏହାପରେ ଉଭୟେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଏକ ମନ୍ଦିରରେ ମିଛ ବିବାହ କରି କେବଳ ଫଟୋ ଉଠାଇ ତାଙ୍କୁ ଛାଡ଼ି ଖଲ୍ଲିକୋଟ ଚାଲିଯାଇଥିଲେ । ପ୍ରାୟ ୨ମାସ ପରେ ମହିଳା ସବଇନ୍ସପେକ୍ଟର ଜଣକ ଖଲ୍ଲିକୋଟ ଯାଇ ସିଲୁ ଧଳଙ୍କ ପାଖରେ ପହଞ୍ଚିବାରୁ ସେଠାରେ ସିଲୁ ଧଳ ବିଭିନ୍ନ ଜାତିଆଣ ଆକ୍ଷେପ କରିବା ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରି ଆମର ବିବାହ ସମ୍ଭବ ନୁହେଁ ବୋଲି କହି ତାଙ୍କୁ ଏକ କୋଠରୀରେ ତାଲା ପକାଇ ରଖି ମାର୍ପିଟ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହା ଜାଣିବା ପରେ ଖଲ୍ଲିକୋଟ ଥାନା ତତ୍କାଳୀନ ଅଧିକାରୀ ଅନ୍ୟ କର୍ମଚାରୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଏହାପରେ ମହିଳା ଏସ୍ଆଇ ଜଣକ ସାରଙ୍ଗଡ଼ ଫେରି ଆସିଥିଲେ । ଇତି ମଧ୍ୟରେ ମହିଳା ସବଇନ୍ସପେକ୍ଟରଙ୍କର ଦାରିଙ୍ଗବାଡ଼ି ଥାନାକୁ ବଦଳି ହୋଇଥିବା ବେଳେ ସେ ପୁଣିଥରେ ଗତ ୧୬ ତାରିଖରେ ଏକ ମାମଲା ରୁଜୁ କରିଛନ୍ତି । କିନ୍ତୁ ମାମଲା ରୁଜୁ ହେବାର ଏକ ସପ୍ତାହ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ସିଲୁ ଧଳ ଫେରାର ହୋଇଯାଇଛନ୍ତି । ଏହା ଜାଣିବା ପରେ ମହିଳା ସବଇନ୍ସପେକ୍ଟର ଜଣଙ୍କ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ôଚ ନ୍ୟାୟ ଭିକ୍ଷା କରି ସିଲୁ ଧଳଙ୍କୁ ଯଥାଶୀଘ୍ର ଗିରଫ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।