ଭୁବନେଶ୍ୱର : ଦିନର ଗୋଟିଏ ପ୍ରହର ବିରୋଧ ପ୍ରତିବାଦ ପରେ ସନ୍ଧ୍ୟାରେ ଗାଇଡ୍ଲାଇନ୍ ବଦଳାଇଛି ବିଏମ୍ସି । ଗତ ୪ ତାରିଖରେ ଜାରି ହୋଇଥିବା ଗାଇଡଲାଇନ୍କୁ ସାମାନ୍ୟତମ ପରିବର୍ତ୍ତନ କରାଯାଇଥିବା ନଜରକୁ ଆସିଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ସହ ସରକାରୀ ତଥା ବେସରକାରୀ ଦପ୍ତର ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏକକାଳୀନ ଗୋଟିଏ ସ୍ଥାନରେ ୫୦ ଜଣ ଉପସ୍ଥିତ ରହିପାରିବେ । ଖୋଲାସ୍ଥାନରେ ହେଉ କି ଆବଦ୍ଧ ମଣ୍ଡପ ସବୁଠି ଏକକାଳୀନ ୫୦ ରହିପାରିବେ । ନିଜ ନିଜ ମଧ୍ୟରେ ୬ ଫୁଟ୍ର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ପୂର୍ବରୁ କେବଳ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପରି ସାମାଜିକ କାର୍ଯ୍ୟରେ କଟକଣା ଜାରି କରାଯାଇଥିଲା ।
ଏବେ ସମସ୍ତ ସାମାଜିକ ତଥା ଦପ୍ତର ଓ ବ୍ୟବସାୟିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ କଟକଣା ଲାଗିଛି । ଏଥିସହ ନୂଆ କରି ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଶୀତ ଋତୁ ପାଇଁ ନୁହେଁ ବରଂ ଅକ୍ଟୋବର ଶେଷ ଯାଏଁ ଏହା ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡ୍ଲାଇନ୍ ଆସିବା ପରେ ନଭେମ୍ବର ପାଇଁ ନୂଆ ଗାଇଡ୍ଲାଇନ୍ ପ୍ରକାଶ ପାଇବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଶୀତ ଦିନେ କରୋନା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସୋମବାର ବିଏମ୍ସି ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଥିଲା । ଏଥିରେ ବିବାହ, ବ୍ରତଘର ଏବଂ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏନେଇ ପ୍ରତିବାଦ ସ୍ୱର ଉଠିବା ପରେ ବିଏମ୍ସି ଦ୍ୱାରା ଏହି ନିୟମକୁ ପରିବର୍ତ୍ତନ କରାଯାଇଛି ।
ବାକି ସମସ୍ତ ନିୟମ ପୂର୍ବ ପରି କାର୍ଯ୍ୟକ୍ଷମ ରହିବ ବୋଲି ଚିଠି ସଂଖ୍ୟା ୭୪୫୦୦ରେ ପ୍ରକାଶ କରାଯାଇଛି । ତେବେ କାର୍ଯ୍ୟକ୍ରମ ହେଉଥିବା ମଣ୍ଡପ, ହୋଟେଲ୍ ଆଦିର ବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ଖାଇବା ସମୟକୁ ଛାଡି ଅନ୍ୟ ସମୟରେ ମାସ୍କ ପିନ୍ଧିବା, ଗର୍ଭବତୀ, ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଏ ସବୁ ସ୍ଥାନକୁ ନ ନେବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି କୌଣସି ଗାଇଡ୍ଲାଇନ ଉଲଂଘନ ହେଲେ ଆୟୋଜକ, ହଲ୍, ମଣ୍ଡପ ମାଲିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ନିର୍ଦ୍ଦେଶ ରହିଛି ।
ବିନ୍ଦୁସାଗର କୂଳେ ମହାଳୟା ମନା
ବିନ୍ଦୁସାଗର କୂଳରେ ଏଥର ବି ହେବନି ମହାଳୟା ଶ୍ରାଦ୍ଧ । ସ୍ଥିର ଥିବା ସଂକ୍ରମଣ ଓ ଜନଗହଳିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ମହାଳୟା ଶ୍ରାଦ୍ଧ ତଥା ବ୍ରାହ୍ମଣ ଭୋଜନ ଉପରେ କଟକଣା ଲଗାଯାଇଛି । ବିଏମ୍ସି ପକ୍ଷରୁ ଚିଠି ସଂଖ୍ୟା ୭୪୫୦୪ରେ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାଳୟା ସମୟରେ ଯଦି କେହି ବିନ୍ଦୁସାଗର କୂଳେ ଶ୍ରାଦ୍ଧ ତଥା ଗହଳି କରୁଥିାବ ନଜରକୁ ଆସନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ମଙ୍ଗଳବାର ବିଏମ୍ସି ପକ୍ଷରୁ ପ୍ରକାଶ ପାଇଛି ।