କୋଲକାତା : ଝିଅର ଶବ ସହ ରହୁଥିଲା ମା’ । ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ ପଡ଼ୋଶୀଙ୍କୁ ମଧ୍ୟ ଜଣାନଥିଲା । ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ଫୁଡ୍ ଡେଲିଭରି ବଏ ଫ୍ଲାଟ୍ରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ପୋଲିସକୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ସୋମବାର କୋଲକାତା ସହରର ବିଜୟଗଡ଼ ଅଞ୍ଚଳରେ ମାନସିକ ଅନଗ୍ରସର ମହିଳା ଜଣକ ଝିଅ ସହ ରହିବା ଘଟଣା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଡେଲିଭରି ବଏ ଜଣକ ସୋମବାର ଦିନ ବିଜୟଗଡ଼ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ୍ ବିଲ୍ଡିଂକୁ ଫୁଡ୍ ଡେଲିଭରି କରିବାକୁ ଆସିଥିଲେ ।
ଏହି ସମୟରେ ଫ୍ଲାଟ୍ର ଦ୍ୱିତୀୟ ମହଲାରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ସେ ପଡ଼ୋଶୀଙ୍କୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଥିଲେ । ଏହି ସମୟରେ ଦୀପ୍ତି ବାସୁ(୬୮) ମୃତ ଝିଅ ସଞ୍ଚିତା ବାସୁ(୩୮)ଙ୍କ ଶବ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ମା’ଙ୍କ ସହ ରହୁଥିଲେ ଓ ଉଭୟ ମାନସିକ ବିକାରଗ୍ରସ୍ତ । ଝିଅର ମୃତ୍ୟୁ ନେଇ ଦୀପ୍ତି କାହାକୁ ବି ଜଣାଇ ନଥିଲେ । ଡେଲିଭରି ବଏ ଫ୍ଲାଟ୍ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଉଭୟ ମା’ ଓ ଝିଅଙ୍କର କୌଣସି ରୋଜଗାରର ପନ୍ଥା ନଥିଲା । ଜଣେ ସମ୍ପର୍କୀୟ ସେମାନଙ୍କ ପାଖକୁ ସବୁବେଳେ ଖାଦ୍ୟ ପଠାଉଥିଲେ ।