ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶ୍ରମ ସଚିବ କହିଛନ୍ତି ଯେ, ସଂସଦରେ ଗୃହିତ ହୋଇଥିବା ଶ୍ରମ କୋର୍ଡ଼କୁ ଅତିଶୀଘ୍ର ଦେଶରେ କାର୍ଯ୍ୟକାରି କରାଯିବ । ଏହାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦୃଢ଼ ବିରୋଧ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଆମ ରାଜ୍ୟରେ ନୂଆ ସରକାରଙ୍କୁ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ଶ୍ରମିକମାନଙ୍କ ଲାଗି ଆର୍ଥିକ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ସମୂହ ମାନଙ୍କର ଏକ ବୈଠକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ଲାଗି ନିଷ୍ପତ୍ତି ହେବା ସହିତ ଆଗାମୀ ଜୁଲାଇ ୩ ତାରିଖରେ ଭବିଷ୍ୟନିଧି କାର୍ଯ୍ୟାଳୟ ଠାରେ ଶ୍ରମିକମାନଙ୍କର ଇପିଏଫ୍ ସଂପର୍କରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ବାଲେଶ୍ୱରରେ ଘଟିଥିବା ଗୋଷ୍ଠି ସଂର୍ଘଷ ଯୋଗୁଁ ଯେଉଁ ଅସ୍ତିରତା ଦେଖାଦେଇଛି ତୁରନ୍ତ ଶାନ୍ତି ଫେରାଇ ଆଣିବା ଲାଗି ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି ।
ଏଠି ଉଲ୍ଲେଖ୍ୟ ଥାଉକି ରାଜ୍ୟରେ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା କରିବା, ଅଣସଂଗଠିତ କଲ୍ୟାଣ ବୋର୍ଡ଼କୁ ୧୦୦୦ କୋଟି ଟଙ୍କା ଆର୍ôଥକ ବ୍ୟବସ୍ଥା ପ୍ରଦାନ କରିବା, ଯୁଗକମାନଙ୍କୁ ବେରୋଜଗାର ଭତ୍ତା ଘୋଷଣା କରିବା, ପୂର୍ବ ସରକାର ସମୟରେ ହୋଇଥିବା ସ୍ୱାସ୍ଥ୍ୟବୀମାକୁ ଚାଲୁରଖିବା, ଖାଲିଥିବା ସରକାରୀ ପଦବୀକୁ ଅତିଶୀଘ୍ର ପୂରଣ କରିବା, ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା, ପେଟ୍ରୋଲ ସାମଗ୍ରୀ ଉପରେ ରାଜ୍ୟ ସରକାର ଭାଟ୍ ଛାଡ଼ କରିବା ସହିତ ସ୍ୱାସ୍ଥ୍ୟସେବାରେ ଜିଏସ୍ଟି ବାତିଲ କରିବା, ସ୍କିମ୍ ୱାର୍କରମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହିତ ସେମାନଙ୍କର ଅବସରକାଳନୀ ଭତ୍ତା ୧ ଲକ୍ଷ ଟଙ୍କା ଓ ବୟସ ୬୨ ବର୍ଷକୁ ବୃଦ୍ଧି କରିବା ସହ ଶ୍ରମକୋର୍ଡ଼କୁ ଲାଗି କରିବା ଲାଗି ରୁଲ୍ ଫର୍ମେସନ ବନ୍ଦ କରିବା ଦାବିରେ ସ୍ମାରକ ପତ୍ର ଦେବା ଲାଗି ସ୍ଥିର କରାଯାଇଅଛି ।
ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସମ୍ପାଦକ-କିଶୋର ଜେନା, ଉପସଭାପତି-ମଦନ ମୋହନ ଧଳ, ଏ.ଆଇ.ଟି.ୟୁ.ସିର ସାଧାରଣ ସମ୍ପାଦକ-ବିଜୟ ଜେନା, ଏଚ୍.ଏମ୍.ଏସର ଭୁବନାନନ୍ଦ ମହାପାତ୍ର, ସି.ଆଇ.ଟି.ୟୁର ନେତା- ଦୁଷ୍ମନ୍ତ ଦାସ, ଏ.ଆଇ.ୟୁ.ଟି.ୟୁ.ସିର ସାଧାରଣ ସମ୍ପାଦକ -ଜୟସେନ ମେହେର, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ସାଧାରଣ ସମ୍ପାଦକ – ମହେନ୍ଦ୍ର ପରିଡ଼ା ଓ ସଭାପତି-ରାଧାକାନ୍ତ ସେଠୀ, ଟି.ୟୁ.ସି.ସିର ସଭାପତି- ଜ୍ୟୋତିରଞ୍ଜନ ମହାପାତ୍ର, ଏଲପିଏଫର ସଭାପତି- ବିରେନ୍ଦ୍ର ପ୍ରସାଦ ଦାସ ଓ ସାଧାରଣ ସମ୍ପାଦକ – ମନୋରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।