ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ର ନୂଆ କଣ୍ଟେଣ୍ଟ ଟେକ୍ଡାଉନ୍ ନିୟମକୁ ନେଇ ଭାରତ ସରକାର ଏବଂ ଏକ୍ସ ମଧ୍ୟରେ ପୁଣି ଚର୍ଚ୍ଚା ତେଜ ହୋଇଛି । ଏକ୍ସ ପକ୍ଷରୁ ସରକାରୀ ନିର୍ଦ୍ଦେଶରେ କୌଣସି କଣ୍ଟେଣ୍ଟ ହଟାଯାଇଥିଲେ କିମ୍ବା ସୀମିତ କରାଯାଇଥିଲେ, ଏହାର ସୂଚନା ୟୁଜରଙ୍କ ପାଇଁ ଅଧିକ ସ୍ପଷ୍ଟ ଭାବେ ଦୃଶ୍ୟମାନ କରାଯିବ ବୋଲି ଏଲନ୍ ମସ୍କ କହିଛନ୍ତି । ମସ୍କଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ କୌଣସି ପୋଷ୍ଟ କିମ୍ବା କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଆସିଲେ, ସେହି ସେନ୍ସରସିପ୍ ସମ୍ପର୍କରେ ୟୁଜରମାନେ ଅଧିକ ସ୍ୱଚ୍ଛ ତଥ୍ୟ ପାଇପାରିବେ । ଏହାକୁ ଏକ୍ସ ର ଟ୍ରାନ୍ସପାରେନ୍ସି ବଢ଼ାଇବା ଦିଗରେ ଏକ ପଦକ୍ଷେପ ବୋଲି ଦେଖାଯାଉଛି । ତେବେ ଭାରତ ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏକ୍ସ କୁ ଭାରତର ଆଇନ ମାନିବାକୁ ପଡ଼ିବ ।
ଅର୍ଥାତ୍ ଭାରତରେ କାର୍ଯ୍ୟ କରୁଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭାବେ ଏକ୍ସ କୁ ଦେଶର ଆଇନ ଓ ନିୟମ ଅନୁସାରେ ଚାଲିବାକୁ ହେବ । ସୂଚନାଯୋଗ୍ୟ, ଅନଲାଇନ୍ କଣ୍ଟେଣ୍ଟ ହଟାଇବା ଏବଂ ସରକାରୀ ଟେକ୍ଡାଉନ୍ ନିର୍ଦ୍ଦେଶକୁ ନେଇ ଏକ୍ସ ଓ ଭାରତ ସରକାରଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ମତଭେଦ ରହିଆସିଛି । ଏକ୍ସ ପକ୍ଷରୁ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ସହ ଜଡ଼ିତ ପ୍ରସଙ୍ଗ ଭାବେ ଉଠାଯାଇଥିବା ବେଳେ, ସରକାର ଅବୈଧ ଏବଂ କ୍ଷତିକାରକ କଣ୍ଟେଣ୍ଟ ଉପରେ ଆଇନ ଅନୁସାରେ ପଦକ୍ଷେପ ନେବାର ଆବଶ୍ୟକତା ଦର୍ଶାଇଆସିଛନ୍ତି । ଏବେ ମସ୍କଙ୍କ ନୂଆ ଟେକ୍ଡାଉନ୍ ଟ୍ରାନ୍ସପାରେନ୍ସି ନିୟମ ଏବଂ ଭାରତ ସରକାରଙ୍କ ‘ଲ’ ଅଫ୍ ଦ ଲ୍ୟାଣ୍ଡ’ ବାର୍ତ୍ତା ପରେ, ଆଗାମୀ ଦିନରେ ଏକ୍ସ ଏବଂ ଭାରତ ସରକାରଙ୍କ ମଧ୍ୟରେ କଣ୍ଟେଣ୍ଟ ମଡରେସନ୍କୁ ନେଇ ସମ୍ପର୍କ କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିବ ।










