ମୁମ୍ବାଇ: ସିବିଆଇ ପକ୍ଷରୁ ଶୁକ୍ରବାର ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ପ୍ରାୟ ୬ ଘଣ୍ଟା ଜେରା କରାଯାଇଛି । ଗତବର୍ଷ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଗତ ବଟି ଆଦାୟ ମାମଲାର ତଦନ୍ତ ଚାଲିଥିବାବେଳେ ସଞ୍ଜୟ କୁଆଡେ ମୁମ୍ବାଇର ତତ୍କାଳୀନ ପୁଲିସ କମିଶନର ପରମବୀର ସିଂହଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଘଟଣା ସମୟରେ ସଞ୍ଜୟ ମହାରାଷ୍ଟ୍ର ପୁଲିସ ମହାନିର୍ଦ୍ଦେଶକ (ଡିଜି)ଭାବେ କାର୍ଯ୍ୟ କରୁଥିଲେ ।
ଦେଶମୁଖଙ୍କ ବିରୋଧରେ ଆଗତ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ସଞ୍ଜୟ ସେତେବେଳେ ପରମବୀରଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ସଞ୍ଜୟ ଓ ତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପର ରେକର୍ଡିଂକୁ ପରମବୀର ସୁପ୍ରିମକୋର୍ଟରେ ଦାଖଲ କରିସାରିଛନ୍ତି । ସୂଚନାଯୋଗ୍ୟ ଦେଶମୁଖ ମନ୍ତ୍ରୀ ଥିବାବେଳେ ମୁମ୍ବାଇର ବିଭିନ୍ନ ହୋଟେଲ ଓ ବାର୍ରୁ ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ଭାଜେଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରମବୀର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ପତ୍ର ଲେଖି ଜଣାଇବାପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା ଏବଂ ଦେଶମୁଖ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।