କଟକ: ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜଣେ ୮୩ ବର୍ଷୀୟ ବୃଦ୍ଧାଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାନଯିବା ଘଟଣାକୁ ହାଇାକୋର୍ଟ ଗୁରୁତର ଭାବେ ଗ୍ରହଣ କରିଛନ୍ତି । ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥଙ୍କ ଇଜିଲାସ ଏହାର ଶୁଣାଣି କରି ଏକ ମାସ ମଧ୍ୟରେ ଉକ୍ତ ବୃଦ୍ଧାଙ୍କ ସମସ୍ତ ପ୍ରାପ୍ୟ ଜଣେ ସ୍ୱତନ୍ତ୍ର ମେସେଞ୍ଜରଙ୍କ ଜରିଆରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ସୁପ୍ରିମ୍କୋର୍ଟଙ୍କ ଆଦେଶ ପରଠାରୁ ୧୦ ପ୍ରତିଶତ ସୁଧ ହାରରେ ଏହି ରାଶି ପ୍ରଦାନ କରିବାକୁ କୁହାଯାଇଛି । ଆବେଦନକାରୀଣୀ ମିନଲତା ମହାନ୍ତିଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି ।
ଆବେଦନକାରୀଣୀଙ୍କ ସ୍ୱାମୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ‘ଟାଇମ ବାଉଣ୍ଡ ଆଡଭାନ୍ସମେଣ୍ଟ ସ୍କେଲ୍’ ହାର୍ରେ ଦରମା ପାଇବା ନିମନ୍ତେ ଗତ ୧୯୯୯ ମସିହାରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ୨୦୦୪ ମସିହାରେ ହାଇକୋର୍ଟ ତାଙ୍କ ଦରମା ଧାର୍ଯ୍ୟ ସହ ପେନ୍ସନ୍ ଏବଂ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଗତ ୨୦୧୮ ମସିହାରେ ଖାରଜ ହୋଇଥିଲା । ଏହି ମାମଲା ପରିଚାଳନା ଅବସରରେ ଇତି ମଧ୍ୟରେ ଗତ ପ୍ରଫୁଲଙ୍କର ଦେହାନ୍ତ ହେବା ପରେ ତାଙ୍କ ସ୍ତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟଙ୍କ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରାର୍ଥନା କରିଥିଲେ ।