27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି; ଜନସ୍ୱାର୍ଥ ମାମଲାରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି; ଜନସ୍ୱାର୍ଥ ମାମଲାରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ପଶ୍ଚିମବଙ୍ଗର ସନ୍ଦେଶଖାଲି ଅଞ୍ଚଳରେ ବସବାସ କରୁଥିବା ମହିଳାଙ୍କୁ ଯୌନଶୋଷଣ, ଶାରୀରିକ ନିର୍ଯାତନା ଦିଆଯାଉଥିବା ତଥା ସେମାନଙ୍କ ଜମିକୁ ବେଆଇନ୍ ଭାବେ ହଡପ୍ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ହିଂସାକାଣ୍ଡ ଆଦି କରାଯାଉଥିବା ଅଭିଯୋଗ  ବେଶ୍ କିଛି ଦିନ ଧରି ହୋଇଆସୁଛି । ତେବେ ଏସବୁ ପଛରେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୨ ନେତା ଏବଂ ସେମାନଙ୍କ ସମର୍ଥକଙ୍କ ସମ୍ପୃକ୍ତି ରହିଥିବା ସମ୍ପର୍କରେ ଯେବେ ଠାରୁ ଜଣାପଡିଛି ସେବେଠାରୁ ଏହାକୁ ନେଇ ଦେଶବ୍ୟାପୀ ରୀତିମତ ଆଲୋଚନା ଜାରି ରହିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସମସ୍ତଙ୍କ ନଜର ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ରହିଥିବା ବେଳେ ସୋମବାର ଏସମ୍ପର୍କୀତ ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି) ଗଠନ ପୂର୍ବକ ସନ୍ଦେଶଖାଲି ଅଞ୍ଚଳରେ ଘଟିଥିବା ବା ଘଟୁଥିବା ଘଟଣାର ତଦନ୍ତ କରାଯିବା ନେଇ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି କହିଛନ୍ତି ଯେ, ଏହି ମାମଲାର ବିଚାର ପ୍ରକ୍ରିୟା କୋଲକାତା ହାଇକୋର୍ଟରେ ହୋଇସାରିଛି । ତେଣୁ ଏହି ମାମଲାରେ ଦ୍ୱିତୀୟ ଫୋରମ୍‌ର କୌଣସି ଆବଶ୍ୟକତା ନାହିଁ ।

ସୁତରାଂ ଆବେଦନକାରୀ ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ୍ । ଆବେଦନକାରୀ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରିନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ୍ । ହାଇକୋର୍ଟ ମଧ୍ୟ ରାଜ୍ୟ ବାହାରୁ ସିବିଆଇ ତଦନ୍ତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ଟିମ୍ ଗଠନ ତଥା ତଦନ୍ତ ପ୍ରକ୍ରିୟାକୁ ଅନୁମୋଦନ କରିପାରିବେ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ । ସେହିପରି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଆଲେଖ ଆଲୋକ ଶ୍ରୀବାସ୍ତବଙ୍କ ଏକ ଯୁକ୍ତିକୁ ମଧ୍ୟ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ, ସନ୍ଦେଶଖାଲି ଘଟଣାକୁ ମଣିପୁର ଘଟଣା ସହ ତୁଳନା କରିବା ଉଚିତ୍ ନୁହେଁ । ତେବେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିବାରୁ ଆବେଦନକାରୀ ନିଜ ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି । ଯାହାଦ୍ୱାରା ପରୋକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ସେହିପରି ଏହି ମାମଲା ସହ ଜଡିତ ଅନ୍ୟ ଏକ ଘଟଣାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଅନ୍ୟ ଏକ ଖଣ୍ଡପୀଠ ଦେଇଥିବା ରାୟ ମଧ୍ୟ ମମତା ସରକାରଙ୍କ ପାଇଁ ଆଶ୍ୱସ୍ତିଜନକ ରହିଛି । ବାସ୍ତବରେ ପଶ୍ଚିମବଙ୍ଗରେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ବିଜେପିର କିଛି ନେତାମାନେ ସନ୍ଦେଶଖାଲି ଅଞ୍ଚଳକୁ ଯାଇ ସେଠାରେ ପୀଡିତଙ୍କୁ ସାକ୍ଷାତ କରିବା ପାଇଁ ଉଦ୍ୟମ କରିଥିବା ବେଳେ ପଶ୍ଚିମବଙ୍ଗ ପୁଲିସ୍ ସେମାନଙ୍କୁ ମାର୍ଗରେ ଅଟକାଇଥିଲା । ଏହାକୁ ନେଇ ବିଜେପି ନେତା ଓ ପୁଲିସ୍ ମଧ୍ୟରେ ହାତାହାତି ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି ସମୟରେ ବିଜେପି ସାଂସଦ ସୁକାନ୍ତ ମଜୁମଦାରଙ୍କ ସମେତ ଅନେକ ନେତା ଗୁରୁତର ଆହତ ହୋଇଥିଲେ ।

ଏହାକୁ ନେଇ ସଂସଦର ବିଶେଷ ଅଧିକାର କମିଟି (ପ୍ରିଭିଲେଜ୍ କମିଟି) ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଭାଗବତ୍ ପ୍ରସାଦ ଗୋପାଳିକା, ଉତ୍ତର୨୪ ପ୍ରଗଣା ଜିଲ୍ଲା ମାଜିଷ୍ଟ୍ରେଟ୍ ଶରଦ କୁମାର ଦ୍ୱିବେଦୀ, ଡିଜିପି ରାଜୀବ କୁମାର, ବଶିରହାଟ ପୁଲିସ୍ ଅଧୀକ୍ଷକ ହୁସୈନ୍ ମେହେଦି ରେହମାନ ଏବଂ ଅତିରିକ୍ତ ପୁଲିସ୍ ଅଧୀକ୍ଷକ ପାର୍ଥ ଘୋଷଙ୍କୁ ଆଜି ତାରିଖ (୧୯ ଫେବ୍ରୁଆରୀ)ରେ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ୍ କରି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଫାଇଲ୍ କରିଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ନିଜ ରାୟରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରିଭିଲେଜ୍ କମିଟିର ଏହି ନୋଟିସ୍ ଉପରେ ଷ୍ଟେ’ ଅର୍ଡର ଲାଗୁ କରିବା ସହ ଲୋକସଭା ସଚିବାଳୟକୁ ନୋଟିସ୍ ଜାରି କରି ଆସନ୍ତା ୪ ସପ୍ତାହ ମଧ୍ୟରେ ନିଜ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ତେବେ ଏମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍ କପିଲ ସିବଲ ଏବଂ ଅଭିଷେକ୍ ମନୁ ସିଂଘଭୀ ନିଜ ଯୁକ୍ତିରେ କହିଥିଲେ ଯେ, ରାଜ୍ୟ ସରକାର ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ଧାରା ୧୪୪ ଲାଗୁ କରାଯାଇଥିବା ବେଳେ ବିଜେପି ସାଂସଦମାନେ ସେଠାକୁ ଯିବା ରାଜନୈତିକ ଅଧିକାରର ସିଧାସଳଖ ଉଲ୍ଲଂଘନ । ସେହିପରି ଘଟଣା ଘଟିବା ଦିନ ଘଟଣାସ୍ଥଳରେ ଉପସ୍ଥିତ ନଥିôବା ପଦାଧିକାରୀଙ୍କୁ କାହିଁକି ଲୋକସଭା ସଚିବାଳୟ ନୋଟିସ୍ ଜାରି କରି ଡକାଇଛନ୍ତି ସେନେଇ ମଧ୍ୟ ମନୁ ସିଂଘଭୀ ପ୍ରଶ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking