ବେଙ୍ଗାଲୁରୁ : କର୍ଣ୍ଣାଟକ ଲୋକପାଳ ପୁଲିସ ଏକ ଭ୍ରଷ୍ଟାଚାର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ ତାଙ୍କ ପରିବାରର କେତେକ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି । ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶ ପରେ ଲୋକପାଳ ପୁଲିସ ଏହି ମାମଲା କରିଛି । ମାମଲାରେ ୟେଦିୟୁରପ୍ପାଙ୍କ ପୁତ୍ର ବିୱାଇ ବିଜୟେନ୍ଦ୍ର, ନାତି ଶଶିଧର ମାରାଡ଼ି, ଜ୍ୱାଇଁ ସଞ୍ଜୟ ଶ୍ରୀ, ବ୍ୟବସାୟୀ ଚନ୍ଦ୍ରକାନ୍ତ ରାମଲିଙ୍ଗମ୍, ବିଧାୟକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ଏସ୍ଟି ସୋମଶଙ୍କର, ଆଇଏଏସ୍ ଜିସି ପ୍ରକାଶ, କେ ରବି ଏବଂ ବିରୁପକ୍ଷପ୍ପାଙ୍କ ନାମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।
ସାମାଜିକ କର୍ମୀ ଟିଜେ ଆବ୍ରାହମ୍ଙ୍କ ଅଭିଯୋଗକ୍ରମେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଓ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ଏଫ୍ଆଇଆର୍ କରାଯାଇଛି । ଅଭିଯୁକ୍ତମାନେ ବେଙ୍ଗାଲୁରୁ ବିକାଶ ପ୍ରାଧିକରଣର ଆପାର୍ଟମେଣ୍ଟନ ନିର୍ମାଣ ପାଇଁ ଟେଣ୍ଡର ଦେବା ବଦଳରେ ଲାଞ୍ଚ୍ ନେଇଥିବା ଏଫ୍ଆଇଆର୍ରେ ଅଭିଯୋଗ ହୋଇଛି । ଏହି ଆଦେଶ ଏକ ବ୍ୟକ୍ତିଗତ ଅଭିଯୋଗକୁ ନେଇ ଆଡିସିନାଲ୍ ସିଟି ସିଭିଲ୍ ଏବଂ ସେସନ୍ସ ଜଜ୍ କୋର୍ଟଙ୍କ ପକ୍ଷରୁ ଦିଆଯାଇଛି । ଚଳିତ ବର୍ଷ ଜୁଲାଇ ୮ ତାରିଖରେ ତଳ କୋର୍ଟ ମାମଲାକୁ ନେଇ ହୋଇଥିବା ଅଭିଯୋଗକୁ ରଦ୍ଦ କରିଦେଇଥିଲେ ।