ନୂଆଦିଲ୍ଲୀ: ସବୁଠାରୁ ଚିନ୍ତାଜନକ ରୋଗ କର୍କଟକୁ ନେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି ବୈଜ୍ଞାନିକ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କର୍କଟ କୋଷଗୁଡ଼ିକୁ ୯୯% ଦୂର କରିବାରେ ବୈଜ୍ଞାନିକମାନେ ଏକ ଚମତ୍କାର ଟେକନିକ୍ ଆବିଷ୍କୃତ ହୋଇଛି । ଆମେରିକାର ରାଇସ୍ ୟୁନିଭରସିଟି, ଟେକ୍ସାସ୍ ଏଣ୍ଡ ଏମ୍ ୟୁନିଭରସିଟି ଏବଂ ଟେକ୍ସାସ୍ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଏକ ଟିମ୍ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ନେଚର କେମେଷ୍ଟ୍ରି ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, କର୍କଟ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ବୈଜ୍ଞାନିକମାନେ ‘ନିୟର ଇନଫ୍ରାଡ୍ ଲାଇଟ୍’ ବ୍ୟବହାର କରିଥିଲେ । ଯେଉଁଥିରେ ଆମିନୋସିୟାନାଇନ୍ ନାମକ ଏକ ଅଣୁ ବ୍ୟବହାର କରାଯାଇଥିଲା, ଯାହା କର୍କଟ କୋଷଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ । ସେହିଭଳି ରାଇସ୍ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନୀ ଜେମ୍ସ ଟୁର୍ ଏହାକୁ ଏକ ମଲିକୁଲାର ଜ୍ୟାକହାମର ବୋଲି କହିଥିଲେ, ଯାହା ପୂର୍ବ କର୍କଟ ରୋଗ ନଷ୍ଟ କରୁଥିବା ଅଣୁଠାରୁ ଲକ୍ଷ ଲକ୍ଷ ଗୁଣ ଅଧିକ ଦ୍ରୁତ । ଏହା ହେଉଛି ନୂଆ ପିଢ଼ିର ମଲିକୁଲାର ମେସିନ୍, ଯାହା କର୍କଟ କୋଷକୁ ନଷ୍ଟ କରିପାରେ । ଏଗୁଡ଼ିକ ଇନଫ୍ରାଡ୍ ଆଲୋକ ଦ୍ୱାରା ସକ୍ରିୟ ହୋଇପାରିବ, ଯାହା ଶରୀରର ଗଭୀରକୁ ଯାଇପାରେ । ଆମିନୋକିଆନାଇନ୍ ଅଣୁଗୁଡ଼ିକ ନିକଟ ଇନଫ୍ରାଡ୍ ଲାଇ ସଂସ୍ପର୍ଶରେ ଆସିବା ପରେ କମ୍ପିବା ଆରମ୍ଭ କରନ୍ତି । ଏହି କମ୍ପନ କର୍କଟ କୋଷଗୁଡ଼ିକର ଜାଲିକୁ ଭାଙ୍ଗି ସଂପୂର୍ଣ୍ଣ ରୂପେ ନଷ୍ଟ କରିଦିଏ । ଏହି ଟେକନିକର ସବୁଠାରୁ ବଡ଼ କଥା ହେଉଛି ଏହା ଶରୀରର ଗଭୀରତାରେ ଅର୍ଥାତ୍ ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟକୁ ଭଲ କରିପାରେ । ଅନୁସନ୍ଧାନକାରୀମାନେ ଏହି ଟେକନିକ୍କୁ ଲ୍ୟାବ୍-ବୃଦ୍ଧି କର୍କଟ କୋଷ ଉପରେ ଚେଷ୍ଟା କରିଥିଲେ । ଯାହା ପରେ ଏଥିରେ ୯୯% ସଫଳତା ହାସଲ କରିଥିଲେ । ଏହା ବ୍ୟତୀତ ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିକୁ ମୂଷା ଉପରେ ମଧ୍ୟ ପରୀକ୍ଷା କରିଥିଲେ, ଯେଉଁଥିରେ ଅଧା ମୂଷା ସଂପୂର୍ଣ୍ଣ କର୍କଟମୁକ୍ତ ହୋଇଗଲେ । କର୍କଟ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ମଲିକୁଲାର ସ୍କେଲରେ ଯାନ୍ତ୍ରିକ ଶକ୍ତି ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିବା ରାଇସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସିସେରନ୍ ଆୟାଲା ଓରୋଜକୋ କହିଛନ୍ତି । ଏହି ଟେକ୍ନୋଲୋଜି ଆଗକୁ କର୍କଟ ରୋଗକୁ ସମୂଳେ ନାଶ କରିବ ବୋଲି ବୈଜ୍ଞାନିକଙ୍କ ଆଶା ।