27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆସିଥିଲେ ଚିକିତ୍ସା କରାଇବାକୁ, ପାଲଟିଗଲେ ପରସ୍ପରର ନିଃଶ୍ୱାସ....

ଆସିଥିଲେ ଚିକିତ୍ସା କରାଇବାକୁ, ପାଲଟିଗଲେ ପରସ୍ପରର ନିଃଶ୍ୱାସ….

ଚେନ୍ନାଇ: ପ୍ରେମ କେବେ, କେଉଁଠି ଏବଂ କେଉଁ ସମୟରେ କାହା ସହିତ ହୋଇଯିବ ଏହା ବିଷୟରେ କହିବା ବହୁତ ମୁସ୍କିଲ । କିଛି ଏମିତି ମାମଲା ଚେନ୍ନାଇର ୨୨୮ ବର୍ଷ ପୁରାତନ ଇନଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲଥ(ଆଇଏମଏଚ)ରେ ଦେଖିବାକୁ ମିଳିଛି । ଏହି କାହାଣୀ ଦୁଇ ମାନସିକ ରୋଗୀଙ୍କ ବିଷୟରେ ଯିଏ ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ଆସିଥିଲେ । ଦୁହେଁ ପରସ୍ପରକୁ କେବେ ଭଲ ପାଇ ବସିଲେ ନିଜେ ଜାଣି ପାରିଲେ ନାହିଁ । ଆଇଏମଏଚରେ ଏହା ଏକ ପ୍ରକାରର ଭିନ୍ନ ଏବଂ ବିରଳ ଘଟଣା । ପ୍ରଥମେ ଦୁଇ ଜଣଙ୍କୁ ପରସ୍ପରର ନିକଟକୁ ଆସିବାକୁ ରୋକାଗଲା । ଯେବେ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣି ପାରିଲେ ଯେ, ଦୁହେଁ ପରସ୍ପର ବିନା ରହି ପାରିବେ ନାହିଁ, ଉଭୟଙ୍କୁ ନିଜ ଜୀବନ ଜିଇଁବା ପାଇଁ ଛାଡି ଦିଆଗଲା । ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପ୍ରେମର ଏହି ଅଦ୍ଭୁତ କାହାଣୀ ଚେନ୍ନାଇ ସ୍ଥିତ ଆଇଏମଏଚର ।

ପି ମହେନ୍ଦ୍ରନ ଏବଂ ଦୀପା ନିଜର ମାସନିକ ଚିକିତ୍ସା ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହେନ୍ଦ୍ରନଙ୍କ ଜୀବନ ସେହି ସମୟରେ ଅଟକି ଯାଇଥିଲା, ଯେବେ ଧନ ସଂପତ୍ତି ପାଇଁ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାକୁ ନେଇ ମହେନ୍ଦ୍ରନ ବହୁତ ଚିନ୍ତା ଏବଂ ମାନସିକ ଚାପରେ ରହୁଥିଲେ । ଅନ୍ୟପଟେ ଦୀପାଙ୍କ ବାପାଙ୍କ ନିଧନ ୨୦୧୬ରେ ହୋଇଥିଲା । ସେ ମଧ୍ୟ ମାନସିକ ଅବସାଦ ଦେଇ ଗତି କରୁଥିଲେ । ମାଆ ଏବଂ ଭଉଣୀ ଘରେ ଥିଲେ ମଧ୍ୟ ସେ ନିଜକୁ ସର୍ବଦା ଏକାକୀ ମଣୁଥିଲେ । ତାଙ୍କର ସ୍ଥିତି ଏମିତି ବିଗିଡି ଯାଇଥିଲା ଯେ, ତାଙ୍କୁ ଆଇଏମଏଚରେ ଭର୍ତ୍ତି କରିବାକୁ ପଡିଥିଲା । ମହେନ୍ଦ୍ରନ ଏବଂ ଦୀପାଙ୍କୁ ଏହା ମଧ୍ୟ ଜଣା ନଥିଲା ଯେ, ସେମାନେ ଆଇଏମଏଚରେ କେବେ ଭର୍ତ୍ତି ହୋଇଥିଲେ । ସେମାନେ ଏହାବି ଜାଣି ନାହାନ୍ତି ଯେ ଏଠୁ ସେମାନେ କୁଆଡେ ଯିବେ ।

ଚିକିତ୍ସା ସରିବା ପରେ ବି ଦୁହେଁ ଜାଣିନଥିଲେ ଯେ, ସାଧାରଣ ଜୀବନ ବଞ୍ଚିବା ପାଇଁ ତାଙ୍କର ସାହାଯ୍ୟ କିଏ କରିବ । କିଛି ମାସ ପୂର୍ବେ ମହେନ୍ଦ୍ରନ ଏବଂ ଦୀପାଙ୍କୁ ଆଇଏମଏଚ ପରିସରରେ ନିର୍ମିତ ହାଫ ୱେ ହୋମକୁ ସ୍ଥାନାନ୍ତର କରାଯାଇଥିଲା । ଏହି କୋଠାରେ ସେହି ରୋଗୀଙ୍କୁ ରଖାଯାଏ, ଯାହାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥାଏ । ଏଠାରେ ହିଁ ପରସ୍ପରକୁ ଭେଟିଥିଲେ ମହେନ୍ଦ୍ରନ ଏବଂ ଦୀପା । ଉଭୟଙ୍କ ମଧ୍ୟରେ ପ୍ରେମର ପୁଲକ ଏହି ହସ୍ପିଟାଲରୁ ହିଁ ଫୁଟିଥିଲା । ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ଦୁହେଁ ଦୁହିଁଙ୍କୁ ଚିହ୍ନିବାକୁ ଲାଗିଲେ । ଏବେ ଉଭୟ ଆସନ୍ତା ଶୁକ୍ରବାର ସ୍ଥାନୀୟ ମନ୍ଦିରରେ ବିବାହ କରିବାକୁ ଯାଉଛନ୍ତି । ଦୀପା କହିଛନ୍ତି, ବାପାଙ୍କ ପରଲୋକ ପରେ ସେ କେବେ ବି ବିବାହ କରିବା ବିଷୟରେ ଚିନ୍ତା କରିନଥିଲେ । ମହେନ୍ଦ୍ରନ କହିଛନ୍ତି, ଦୀପା ଏବେ ତାଙ୍କ ପାଇଁ ସବୁ କିଛି ।

ଆଇଏମଏଚର ନିର୍ଦ୍ଦେଶକ ପୂର୍ଣ୍ଣା ଚନ୍ଦ୍ରିକା କହିଛନ୍ତି, ତାଙ୍କ ନିକଟକୁ ଅଭିଯୋଗ ଆସିଥିଲା ଯେ, ଦୀପା ଏବଂ ମହେନ୍ଦ୍ରନ ପରସ୍ପର ସହିତ ଅଧିକ ସମୟ ବିତାଉଛନ୍ତି । ଏପରିକି ଦୁହେଁ ଏକତ୍ର ବାହାରକୁ ଯାଉଛନ୍ତି ଏବଂ ଫିଲ୍ମ ଦେଖୁଛନ୍ତି । ଚନ୍ଦ୍ରିକା କହିଛନ୍ତି, ଏହା ପରେ ଦୁଇ ଜଣଙ୍କ ଉପରେ କିଛି କଟକଣା ଲଗାଯାଇଥିଲା । ହେଲେ ଉଭୟଙ୍କ ଭଲ ପାଇବା ବିଷୟରେ ଶୀଘ୍ର ଜାଣିବାକୁ ପାଇଥିଲୁ । ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ଦ୍ଦେଶକ କହିଛନ୍ତି, ବିବାହ ପରେ ଉଭୟ ଏଠାରେ ରହି ପାରିବେ ନାହିଁ । ମହେନ୍ଦ୍ରନ ଏବଂ ଦୀପାଙ୍କ କହିବା କଥା ବିବାହ ପରେ ଦୁହେଁ ଆଇଏମଏଚ ନିକଟରେ ଏକ ଭଡା ଘର ନେଇ ରହିବେ । ଯଦ୍ୱାରା ସେମାନେ ସଭିଙ୍କ ସହ ପରିବାର ପରି ରହି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking