ନୂଆଦିଲ୍ଲୀ : ଜୁନ୍ ୨୩ରେ ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଗୁରୁବାର ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୩ଟି ଲୋକସଭା ଆସନ ହେଲା ଉତ୍ତରପ୍ରଦେଶ (ୟୁପି)ର ଆଜମଗଡ, ରାମପୁର ଏବଂ ପଞ୍ଜାବର ସାଙ୍ଗରୁର୍ । ଚଳିତବର୍ଷ ପ୍ରାରମ୍ଭରେ ସମାଜବାଦୀ ପାର୍ଟିର ଦୁଇ ନେତା ଅଖିଳେଶ ଯାଦବ ଓ ଆଜମ ଖାନ୍ ୟୁପି ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆଜମଗଡ ଓ ରାମପୁର ଲୋକସଭା ଆସନ ଖାଲିପଡିଛି ।
ଅପରପକ୍ଷରେ ଭଗୱନ୍ତ ସିଂହ ମାନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାପରେ ତାଙ୍କୁ ସାଙ୍ଗ୍ରୁର୍ ଲୋକସଭା ଆସନ ଛାଡିବାକୁ ପଡିଛି । ୭ଟି ବିଧାନସଭା ଆସନ ହେଲା ରାଜେନ୍ଦ୍ରନଗର (ଦିଲ୍ଲୀ), ମନ୍ଦାର (ଝାଡ଼ଖଣ୍ଡ), ଆତ୍ମାକୁର (ଆନ୍ଧ୍ରପ୍ରଦେଶ), ଅଗରତାଲା, ବର୍ଦୋୱାଲି, ସୁର୍ମା, ଯୁବରାଜନଗର (ତ୍ରିପୁରା) । ଉପନିର୍ବାଚନ ପାଇଁ ଆସନ୍ତା ୩୦ରେ ବିଜ୍ଞପ୍ତି ଜାରି କରାଯିବ । ଜୁନ୍ ୨୬ରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି ।