ଭୁବନେଶ୍ୱର : ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ଝଡ଼ ଉଠିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୬୮ହଜାର ୭୧୭ଟି ସରକାରୀ ସ୍କୁଲ୍ ରହିଛି। ସେଗୁଡ଼ିକରେ ଆହୁରି ୨୮ ହଜାର ୮୧୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ଉଦବେଗର ବିଷୟ ହେଲା ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ୬୭ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି। ତେବେ ଏସବୁ ପଦବୀ କେବେ ପୂରଣ ହେବ, ତା’ର ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏନେଇ ମନ୍ତ୍ରୀ କହିଛନ୍ତି, ସାରା ଭାରତ ବର୍ଷରେ ଯେଉଁଠି ପ୍ରତି ୩୦ ଜଣ ପିଲାରେ ଜଣେ ଶିକ୍ଷକ ରହିଛନ୍ତି, ସେହିଠାରେ ଆମ ରାଜ୍ୟରେ ପ୍ରତି ୨୨ଜଣ ପିଲାରେ ଜଣେ ଶିକ୍ଷକ ଅଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୬ହଜାର ଶିକ୍ଷକ ପଦବୀ ନିଯୁକ୍ତି ଦେବା ପାଇଁ ଯାଉଛନ୍ତି। ତେଣୁ ଶିକ୍ଷକ ଅଭାବ କଥା ଅଳ୍ପ ଦିନ ଭିତରେ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ପିଲାମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ଆଣିଥିଲେ ୫ଟି ଟ୍ରାନ୍ସଫର୍ମେସନ୍। ଏହି ଯୋଜନାରେ ପିଲାମାନଙ୍କୁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ଦେବା ଲାଗି ସ୍ମାର୍ଟ ସ୍କୁଲ୍ କରାଯାଇଥିଲା। କିନ୍ତୁ ଏହା ଏବେ ପ୍ରହସନ ପାଲଟିଛି। ସ୍ମାର୍ଟ ସ୍କୁଲର ସ୍ଥିତି ଏବେ ନକହିଲେ ଭଲ। ଶିକ୍ଷକ ଅଭାବରୁ ଏବେ ବାଟ ହୁଡୁଛି ସ୍ମାର୍ଟ ସ୍କୁଲ।